ପୁଅ ପାଇଁ ୪ ବର୍ଷ ହେଲା ନିତି ଥାନାକୁ ଧାଉଁଥିଲେ ବାପା

୨୦୧୭ରୁ ନିଖୋଜ ଥିଲେ ଡେଭିଡ୍‌, ପରକୀୟା ପ୍ରୀତିରୁ କରାଯାଇଥିଲା ହତ୍ୟା

ମାଷ୍ଟର୍‌ ମାଇଣ୍ଡ ଥିଲେ ଶିକ୍ଷକ ଓ ସମ୍ପର୍କୀୟ ଭାଇ

ବାରିପଦା : ମହାରାଷ୍ଟ୍ରରୁ ଡାକିଆଣି ଝାଡ଼ଖଣ୍ଡ ଢୋଲଭୂମଗଡ଼ ଥାନା ଅଞ୍ଚଳରେ ହତ୍ୟା। ୪ ବର୍ଷ ତଳେ ବାରିପଦା ସହର ଭଞ୍ଜପୁର ଯମୁନାଦେଇପୁରରୁ ନିଖୋଜ ହୋଇ ଯାଇଥିବା ପର୍ଶୁରାମ ବେହେରାଙ୍କ ବଡ଼ପୁଅ ବିଶ୍ଵଜିତ ବେହେରା ଓରଫ୍‌ (ଡେଭିଡ୍‌) ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ପୁଲିସ। ଗତକାଲି ରାତିରେ ବାରିପଦା ଟାଉନ୍‌ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ପୁଲିସର ଏକ ସ୍ୱତନ୍ତ୍ର ଟିମ ଡେଭିଡ୍‌ଙ୍କ ହତ୍ୟାକାରୀଙ୍କୁ ଝାଡ଼ଖଣ୍ଡ ଢୋଲଭୂମଗଡ଼ ଚିରୁଗୁଡାରୁ ଗିରଫ କରିଛି। ଫଳରେ ଦୀର୍ଘ ଚାରି ବର୍ଷ ହେଲା ଡେଭିଡ୍‌ଙ୍କୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଅଭିଯୁକ୍ତ ଯୁବକ ଝାଡ଼ଖଣ୍ଡ ଚିରୁଗୁଡାର ବଂଶୀଧର ପାତ୍ର (୩୫) ଏହି ହତ୍ୟାକାଣ୍ଡ ଭିଆଇଥିବା ବେଳେ ଘଟଣାର ମାଷ୍ଟର୍‌ ମାଇଣ୍ଡ କୁହାଯାଉଥିବା ଶିକ୍ଷକ ନରେନ୍ଦ୍ର ପାତ୍ରଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।

ବଂଶୀଧର ପାତ୍ର

ପୁଲିସ ସୂଚନା ଅନୁସାରେ ଡେଭିଡ୍‌ଙ୍କ ଘର ପାଖରେ ରହୁଥିଲେ ଶିକ୍ଷକ ନରେନ୍ଦ୍ର ପାତ୍ର। ପଡ଼ୋଶୀ ହୋଇଥିବାରୁ ନରେନ୍ଦ୍ର ଓ ଡେଭିଡ୍‌ଙ୍କ ପରିବାର ମଧ୍ୟରେ ଭଲ ସମ୍ପର୍କ ଥିଲା। ତେବେ ପରବର୍ତ୍ତୀ ସମୟରେ ଡେଭିଡ୍‌ ଓ ନରେନ୍ଦ୍ରଙ୍କ ପତ୍ନୀ ସ୍ନେହଲତାଙ୍କ ଭିତରେ ଗଢ଼ି ଉଠିଥିଲା ଅନୈତିକ ସମ୍ପର୍କ। ନରେନ୍ଦ୍ର ଏହା ଜାଣିବା ପରେ ଦୁଇ ପରିବାରରେ ତିକ୍ତତା ଦେଖା ଦେଇଥିଲା। ଏମିତିକି ସ୍ନେହଲତାଙ୍କ ସହ ସଂପର୍କ ଛିନ୍ନ ନ କଲେ ଡେଭିଡ୍‌ ଭୟଙ୍କର ପରିଣାମ ଭୋଗିବେ ବୋଲି ସମ୍ପର୍କୀୟ ଭାଇ ବଂଶୀଧର ଧମକ ଦେଇଥିଲେ। ଡିପ୍ଲୋମା ଇଂଜିନିୟର ପାଠ୍ୟକ୍ରମ ସାରିଥିବା ଡେଭିଡ୍‌ ଏହାମଧ୍ୟରେ ମହାରାଷ୍ଟ୍ର ଔରଙ୍ଗାବାଦର ଏକ ଘରୋଇ କମ୍ପାନିରେ ଚାକିରି କରିଥିଲେ। ଅନ୍ୟପଟେ ଡେଭିଡ୍‌ଙ୍କ ପାଖରେ ସ୍ନେହଲତାଙ୍କର କିଛି ଆପତ୍ତିଜନକ ଫଟୋ ଥିବାରୁ ମାନସିକ ଦୁଶ୍ଚିନ୍ତାରେ ରହିଥିଲେ ନରେନ୍ଦ୍ର। ଏହି ଫଟୋ ଆଳରେ ଡେଭିଡ୍‌ କୁଆଡ଼େ ତାଙ୍କୁ ବ୍ଲାକମେଲିଂ କରୁଥିଲେ। ତେଣୁ ‌ଡେଭିଡ୍‌ଙ୍କୁ ସବୁଦିନ ପାଇଁ ବାଟରୁ ହଟାଇଦେଲେ ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଚିନ୍ତା କରିଥିଲେ ନରେନ୍ଦ୍ର। ଆଉ ବଂଶୀଧର ସହ ମିଶି ରଚିଥିଲେ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର। କୌଶଳକ୍ରମେ ଔରଙ୍ଗାବାଦରେ ଥିବା ଡେଭିଡ୍‌ଙ୍କୁ ଡାକିଥିଲେ। ୨୦୧୭, ଏପ୍ରିଲ ୧୩ରେ ମହାରାଷ୍ଟ୍ରରୁ ବାହାରିଥିବା ଡେଭିଡ୍‌ କିନ୍ତୁ ଘରେ ପହଞ୍ଚିନଥିଲେ। ଏପ୍ରିଲ ୧୫ରେ ଶେଷ ଥର ପାଇଁ ପୁଅ ସହିତ କଥା ହେଇଥିବା କହିଥିଲେ ପିତା ପର୍ଶୁରାମ। ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଡେଭିଡ୍‌ଙ୍କୁ ଝାଡ଼ଖଣ୍ଡ ନେଇ ହତ୍ୟା କରିବା ପରେ ତାଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍‌ ନେଇ ଯାଇଥିଲେ। ସେଥିରୁ ଦୁଇଟିକୁ ନଷ୍ଟ କରି ଦେଇଥିବା ବେଳେ ଗୋଟିଏ ମୋବାଇଲକୁ ଥରୁଟିଏ ବ୍ୟବହାର କରିଥିଲା ହତ୍ୟାକାରୀ ବଂଶୀଧର।

(ଡେଭିଡ୍‌ଙ୍କ ଫାଇଲ ଫଟୋ)

ହତ୍ୟାକାଣ୍ଡ ପରେ ବାରିପଦା ଛାଡି ଦେଇଥିଲେ କୁଳିଅଣା ଥାନା ଅନ୍ତର୍ଗତ ଅନ୍ଧାରୁଆ ଅଞ୍ଚଳର ବାସିନ୍ଦା ନରେନ୍ଦ୍ର। ସେପଟେ ପୁଅ ନମିଳିବାରୁ ପିତା ପର୍ଶୁରାମ ବାରିପଦା ଟାଉନ ଥାନା ସହିତ ମହାରାଷ୍ଟ୍ରକୁ ଯାଇ ମଧ୍ୟ ଏତଲା ଦେଇଥିଲେ। ପୁଲିସ ଡେଭିଡ୍‌ଙ୍କ ଗୋଟିଏ ମୋବାଇଲକୁ ଟ୍ରାକିଂ କରି ଝାଡ଼ଖଣ୍ଡରେ ପହଞ୍ଚିଥିଲା। ହେଲେ ଆଗକୁ ବଢ଼ି ପାରିନଥିଲା ତଦନ୍ତ। ଚାରି ବର୍ଷ ପରେ ଗତକାଲି ରାତିରେ ହତ୍ୟାକାରୀ ବଂଶୀଧରକୁ ଗିରଫ କରି ବାରିପଦା ଆଣିଥିଲା ପୁଲିସ। ଦୋଷ ସ୍ୱୀକାର କଲା ପରେ ହତ୍ୟାକାଣ୍ଡର ଡେମୋ ଦେଖାଇବା ପାଇଁ ତାକୁ ଶନିବାର ଝାଡ଼ଖଣ୍ଡ ଚିରୁଗୁଡାକୁ ନେଇଛି ପୁଲିସ। ସେଠାରେ ଅଭିଯୁକ୍ତ ବଂଶୀ ହତ୍ୟା କରି କେମିତି ଶବ ପୋଡ଼ିଥିଲା ତାହାର ଡେମୋ ଦେଖାଇଛି।

ଆଶା ଛାଡ଼ିନଥିଲେ ବାପା ପର୍ଶୁରାମ
ପୁଅ ବିଶ୍ଵଜିତର ନିଖୋଜ ପରଠାରୁ ତାଙ୍କୁ ଖୋଜିବା ଛାଡ଼ିନଥିଲେ ବାପା ପର୍ଶୁରାମ। ବାରିପଦା ଟାଉନ ଥାନା ସହିତ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପୁଲିସକୁ ମଧ୍ୟ ନିଜ ପୁଅକୁ ଖୋଜିବାକୁ ନେହୁରା ହୋଇଥିଲେ। ୪ ବର୍ଷ ମଧ୍ୟରେ ଏମିତି କୌଣସି ଦିନ ନାହିଁ, ଯେଉଁଦିନ ପର୍ଶୁରାମ ଥାନାକୁ ଆସିନାହାନ୍ତି। ଅନେକ ଥାନା ଅଧିକାରୀ ଆସିଛନ୍ତି ଯାଇଛନ୍ତି, ପର୍ଶୁରାମ କିନ୍ତୁ ଥାନାକୁ ଆସିବା ବନ୍ଦ କରିନଥିଲେ। ଏପରିକି ପୁଅର ଉକ୍ତ ମହିଳାଙ୍କ ସହିତ ସମ୍ପର୍କ ଥିବା କଥା ମଧ୍ୟ କହିଥିଲେ ସେ। ପୁଅର ନିଖୋଜ ପଛରେ ଉକ୍ତ ମହିଳା, ତାଙ୍କ ଶିକ୍ଷକ ସ୍ୱାମୀ ଓ ସମ୍ପର୍କୀୟ ଭାଇଙ୍କ ହାତ ଥିବା ସେ ଆରମ୍ଭରୁ କହିଆସୁଥିଲେ। ଅଭିଯୁକ୍ତ ନରେନ୍ଦ୍ର ଓ ତାଙ୍କ ପତ୍ନୀ ସେତେବେଳେ ଆଗୁଆ ଜାମିନ ଆବେଦନ କରିଥିଲେ। ୨୦୧୮ରେ ସେମାନଙ୍କ ଜାମିନ୍‌ ଖାରଜ ହୋଇଥିଲା। ହେଲେ ପୁଲିସ ଉକ୍ତ ଲିଙ୍କ୍‌କୁ ଗୁରୁତ୍ବ ଦେଇନଥିଲା। ଶେଷରେ ପର୍ଶୁରାମଙ୍କ ସନ୍ଦେହ ସତ ହେଲା। ପୁଅ ଜୀବିତ ନଥିବା କଥା ଆଜି ଜାଣିବା ପରେ ଭୋଭୋ ହୋଇ ଥାନାରେ କାନ୍ଦି ପକାଇଥିଲେ ପର୍ଶୁରାମ। ଘରେ ଥିବା ରୋଗିଣା ସ୍ତ୍ରୀଙ୍କୁ ଏକଥା କିପରି କହିବେ, ସେ ନେଇ ବାଷ୍ପରୁଦ୍ଧ ହୋଇ ଯାଇଥିଲେ। ଆଜି ତାଙ୍କ ପୁଅ ବଞ୍ଚିଥିଲେ ୩୩ ବର୍ଷର ହୋଇଥାନ୍ତା। ପୁଅକୁ ସିନା ଆଉ ଫେରି ପାଇବେନି, ହତ୍ୟାକାରୀମାନଙ୍କୁ କିନ୍ତୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ସେ ପୁଲିସକୁ ନେହୁରା ହେଉଥିବା ଦେଖିବାକୁ ମିଳିଥିଲା।

ମାମଲା ରୁଜୁ ହେବା ପରଠାରୁ ବାରିପଦା ଟାଉନ ଥାନାରୁ ଚାରି ଜଣ ଅଧିକାରୀ ବଦଳି ହୋଇ ଯାଇଛନ୍ତି। ତେବେ ବର୍ତ୍ତମାନର ଆଇଆଇସି ବୀରେନ୍ଦ୍ର ସେନାପତି ଏହାର ଖିଅ ଖୋଜିବା ଆରମ୍ଭ କରିଥିଲେ। ଝାଡ଼ଖଣ୍ଡ ଥାନା ସହିତ ଯୋଗାଯୋଗ ରଖିବା ସହିତ ଅଭିଯୁକ୍ତ ବଂଶୀଧର ଉପରେ ବରାବର ନଜର ରଖିଥିଲେ। ଅଭିଯୁକ୍ତ ନିଜ ଘରେ ନରହି ପ୍ରାୟ ୧୫ କିମି ଦୂରରେ ନିଜ ପତ୍ନୀ ସହିତ ରହୁଥିଲା। ପକ୍କା ସୂତ୍ରରୁ ଖବର ପାଇବା ପରେ ଆଇଆଇସି ସେଠାକୁ ଯାଇ ଅଭିଯୁକ୍ତକୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର