ମାଲକାନଗିରି: ଯାହାର ସନ୍ତାନ ନାହିଁ ତା ଦୁଃଖ ସେ ହିଁ ଜାଣେ କିନ୍ତୁ ଯଦି ସନ୍ତାନ ଥାଇ ପାଖରେ ନଥାଏ ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଘରର ବଡ ପୁଅ ନିରଞ୍ଜନ ପେଟ ପୋଷିବା ପାଇଁ ଦିନେ କାମ ଖୋଜି ଖୋଜି ସୁଦୁର ମୁମ୍ବାଇରେ ପହଞ୍ଚିଲା। ନିରଞ୍ଜନର ବୟସ ସେତେବେଳକୁ ୧୭ କିମ୍ବା ୧୮ ହେବ। ପେଟ ପୋଷିବା ପାଇଁ ମିଳିଲା କାମ, ମୁଣ୍ଡ ଗୁଞ୍ଜିବାକୁ ମିଳିଲା ଘର ଆଉ ଶେଷରେ ମୁମ୍ବାଇ ସହରର ଚାକଚକ୍ୟ ଯୁବ ନିରଞ୍ଜନକୁ ମୋହରେ ବାନ୍ଧି ପକାଇଲା। ନିଜ ଗାଁ ମାଲକାନଗିରିକୁ ଫେରି ଆସିବା କଥା ଭୁଲି ଗଲା। ସେଠାରେ ବିବାହ କରି ନିଜର ଘର ସଂସାର ମଧ୍ୟ ଗଢ଼ିଥିଲେ ନିରଞ୍ଜନ। ସଂସାର ଜଞ୍ଜାଳ ମଧ୍ୟରେ ସବୁକିଛି ଭୁଲି ଯାଇଥିଲେ ନିରଞ୍ଜନ କିନ୍ତୁ ମନ ଭିତରେ ନିଜ ଜନ୍ମ କଲା ମାଆ, ଭାଇ ଭଉଣୀ ଓ ସମ୍ପର୍କୀୟ ଓ ଗାଁ କଥା ମନେ ପଡିଗଲା

Advertisment

୨୨ ବର୍ଷ ବିତିଯିବା ପରେ। ନିରଞ୍ଜନଙ୍କ ଝିଅ ଖୁସବୁ ମଧ୍ୟ ଇଛା କଲା ମୁଁ ଗାଁ ବୁଲିବାକୁ ଯିବି। ନା ଥିଲା ଠିକଣା ନା ଥିଲା ଯୋଗାଯୋଗ। ଝିଅ ଖୁସବୁ କିନ୍ତୁ ଥିଲା ବୁଦ୍ଧିମାନ। ମୋବାଇଲର ଜିପିଏସ ଲୋକେସନ ଦେଖି ଦେଖି ଶେଷରେ ବାପା, ଝିଅ, ମାଆ ପହଁଚିଗଲେ ମାଲକାନଗିରି ମାଟିରେ। ନିରଞ୍ଜନଙ୍କ ବୁଢି ମାଆର ଖୁସି ଦେଖିଲେ ନସରେ। ସାନ ଭାଇ ସତ୍ୟରଞ୍ଜନ ସରକାର ଭାଇର ଆଧାରକାର୍ଡରେ ବାପା ସୁନିଲ ସରକାରଙ୍କ ନାଁ ଓ ବନ୍ଧୁବାନ୍ଧବଙ୍କ ଘର ଠିକଣା ନିରଞ୍ଜନଙ୍କୁ ପଚାରିବା ପରେ ଜାଣି ପାରିଲେ ଯେ ଇଏ ମୋ ବଡ଼ ଭାଇ ନିରଞ୍ଜନ। କିନ୍ତୁ ମାଆ କାଲିତାରା ସରକାର ନିଜ ରକ୍ତର ପୁଅକୁ ଦେଖୁ ଦେଖୁ ଚିହ୍ନି ପାରିଥିଲେ।

ମାଆ ବୁଢି ହେଇ ଗଲାଣି ହେଲେ ଏବେବି ନିଜ ଗର୍ଭରୁ ଜନ୍ମ କଲା ପୁଅ ବିଷୟରେ ସବୁବେଳେ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଥିଲେ। ଆଜି ପାଖରେ ପାଇଁ ଖୁସିରେ ଆଖିରୁ ଲୁହ ଝରିପଡୁଥିଲା। ସେହିପରି ନିରଞ୍ଜନ ମଧ୍ୟ ସେପଟେ ନିଜ ପରିବାର ଲୋକଙ୍କୁ ଝୁରି ହେଉଥିଲେ।ଦୀର୍ଘ ୨୨ ବର୍ଷ ପରେ ନିରଞ୍ଜନଙ୍କ ଝିଅ ଫେରାଇ ଆଣିଲା ବୁଢି ମାଆ କାଲିତାରାଙ୍କ ହଜିଲା ପୁଅ। ହସି ଉଠିଛି ଏବେ କାଲିତାରା ସରକାରଙ୍କ ପରିବାର।