ବଲାଙ୍ଗୀର: ବଲାଙ୍ଗୀର ସହରର ଜଣେ ଅଭ୍ୟାସଗତ ଅପରାଧୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ୍ ଥାନା ପୁଲିସ। ଗିରଫ ଆଲୋକ ପଟ୍ଟନାୟକ ନାଁରେ ହତ୍ୟା ଉଦ୍ୟମ, ଲୁଟ୍ତରାଜ ଭଳି ବିଭିନ୍ନ ପ୍ରକାର ସଂଗିନ ମାମଲା ରୁଜୁ ହୋଇଥିଲା। ଜେଲ୍ ଯାଇ ଜାମିନରେ ଆସି ପୁଣି ଥରେ ଆରମ୍ଭ କରିଥିଲା ଗୁଣ୍ଡାଗର୍ଦି। ରବିବାର ନିଶାସକ୍ତ ଅବସ୍ଥାରେ ଆଲୋକ ନିଜ ଘର ଭିତରେ ଦାଦାଗିରି କରି ଘରର ଆସବାବପତ୍ର ଭାଙ୍ଗିବା ସହିତ ମାରପିଟ କରିଥିଲା। ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ଆଲୋକର ବାପା ଲକ୍ଷ୍ମୀକାନ୍ତ ପଟ୍ଟନାୟକ ପୁଅ ନାଁରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ଏକ ମାମଲା ରୁଜୁ କରି ଆଲୋକକୁ ଗିରଫ କରି ଜେଲ ପଠାଇଛି। ଗିରଫ ଆଲୋକ ନିକଟରୁ ଏକ ଦେଶୀ ପିସ୍ତାଲ ଓ ଗୋଟିଏ ଭୁଜାଲି ଜବତ କରିଛି। ଆଲୋକ ଆଗକୁ ବଡ଼ ଧରଣର ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ଜାଣିବାକୁ ପାଇଛି ପୁଲିସ। ପୁଲିସର ସୂଚନା ଅନୁଯାୟୀ, ଆଗରୁ ବିଭିନ୍ନ କେସ୍ରେ ଆଲୋକ ୯ ବର୍ଷ ଜେଲ ଦଣ୍ଡ କାଟି ଫେରିଥିଲା। ଅଭ୍ୟାସଗତ ଅପରାଧୀ ଭାବେ ପଡ଼ାରେ ସବୁ ବେଳେ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ଆଲୋକ ନାଁରେ ଥାନାରେ ଦୁଇଟି କେସ୍ ରୁଜୁ ହୋଇଥିଲା। କେସ୍ ନଂ ୧୬୭/୨୩ ଅନୁସାରେ ଆଇପିସି ୩୪୧, ୨୯୪, ୩୨୩, ୪୨୭, ୫୦୬ ଦଫା ଲଗାଯାଇ ପୁଣି ଜେଲ୍ ହାଜତକୁ ପଠାଇ ଦେଇଛି ବଲାଙ୍ଗୀର ଟାଉନ ପୁଲିସ।