ବାପାଙ୍କ ଗୁଳିରୁ ଅଳ୍ପକେ ବର୍ତ୍ତିଲେ ପୁଅ ଓ ପତ୍ନୀ

ରାୟଗଡ଼ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ କୁମୁଳିସିଂ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ ଓ ପୁଅ ଉପରକୁ ଗୁଳି ଚଳାଇ ଗିରଫ ହୋଇଛନ୍ତି ଜଣେ ୫୫ ବର୍ଷୀୟ ବ୍ୟକ୍ତି। ହେଲେ ସୌଭାଗ୍ୟବଶତଃ ମା’ ତରାବତୀ (୫୩) ଏବଂ ପୁଅ ଯିଖରୀୟ (୨୨) ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏ ନେଇ ରାୟଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ବାମୀ ଯିହୁଦା ଘଣ୍ଟଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଶନିବାର ରାତିରେ ଯିହୁଦାଙ୍କ ଘରେ କୌଣସି କାରଣ ନେଇ ସ୍ତ୍ରୀ ତରାବତୀ ଓ ପୁଅ ଯିଖରୀୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ଯିହୁଦା ପତ୍ନୀ ଓ ପୁଅ ଦୁହିଁଙ୍କୁ ମାଡ଼ ମାରିଥିଲେ। ସେମାନେ ପ୍ରତିରୋଧ କରିବାରୁ ଘରେ ଥିବା ଏକ ଦେଶୀ ବନ୍ଧୁକରେ ଯିହୁଦା ସ୍ତ୍ରୀ ଓ ପୁଅ ଉପରକୁ ଗୁଳି ଚାଳନା କରିଥିଲେ। ହେଲେ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା, ଦୁହେଁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଭୟରେ ମା ଏବଂ ପୁଅ ଦୁହେଁ ମିଶି ଯିହୁଦାଙ୍କୁ ଧକ୍କା ଦେଇ ଘରୁ ବାହାରି ଆସି ରାୟଗଡ଼ ଥାନାରେ ପହଞ୍ଚିଥିଲେ। ସ୍ତ୍ରୀ ଓ ପୁଅ ଏତଲା ପରେ ରାୟଗଡ଼ ପୁଲିସ ମାମଲା ରୁଜୁ କରି ଯିହୁଦାଙ୍କୁ ଗିରଫ କରିଥିଲା। ଯିହୁଦାଙ୍କଠାରୁ ଏକ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ପୁଲିସ ଜବତ କରିଥିବା ଏସ୍ଆଇ କୃଷ୍ଣଚନ୍ଦ୍ର ମଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର