ମଦ ପାଇଁ ଝିଅକୁ ବିକିଲା ବାପା

ବିଂଝାରପୁର : ମଦ ପିଇବା ପାଇଁ ଅଢ଼େଇବର୍ଷର ଶିଶୁକନ୍ୟାକୁ ୫ ହଜାର ଟଙ୍କାରେ ବିକ୍ରି କରିଦେଲା ବାପା। ଜେଜେଙ୍କ ଅଭିଯୋଗ କ୍ରମେ ବିଂଝାରପୁର ପୁଲିସ ଶିଶୁକନ୍ୟାକୁ ଉଦ୍ଧାର କରିବାସହ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛି। ଏଭଳି ଘଟଣା ଘଟିଛି ବିଂଝାରପୁର ଥାନା ଫତେପୁର ପଞ୍ଚାୟତ ମଲିଆ ଗ୍ରାମରେ।

ମଲିଆ ଗ୍ରାମର ରମେଶ କୁମାର ବାରିକ(୩୨) ତାଙ୍କ ପତ୍ନୀଙ୍କ ସହିତ ଭୁବନେଶ୍ବର କ୍ୟାପିଟାଲ ଥାନା ଅଞ୍ଚଳରେ ରହୁଥିଲେ। ରମେଶଙ୍କର ୨ ଝିଅ ଓ ଗୋଟିଏ ପୁଅ। ରମେଶ ସବୁବେଳେ ମଦ ପିଇ ପତ୍ନୀ ଓ ପୁଅଝିଅଙ୍କୁ ମାରଧର କରନ୍ତି। ସେଥିପାଇଁ ପୂର୍ବରୁ ବଡ଼ଝିଅ ଓ ପୁଅଙ୍କୁ ଜେଜେ ରବୀନ୍ଦ୍ର କୁମାର ବାରିକ ନେଇଆସି ମଲିଆ ଗ୍ରାମରେ ନିଜ ପାଖରେ ରଖିଥିଲେ। ସାନଝିଅ ପ୍ରିୟଙ୍କା ବାରିକ (ଅଢ଼େଇବର୍ଷ) ଭୁବନେଶ୍ବରରେ ବାପାମା’ଙ୍କ ପାଖରେ ରହୁଥିଲେ। ଏକମାସ ପୂର୍ବେ ରମେଶ ତାଙ୍କ ପତ୍ନୀ ସସ୍ମିତାଙ୍କୁ ମାଡ଼ ମାରି ଘରୁ ତଡ଼ିଦେଇ ସାନଝିଅ ପ୍ରିୟଙ୍କାଙ୍କୁ ପାଖରେ ରଖିଥିଲେ। ସସ୍ମିତା ସ୍ବାମୀଙ୍କଠାରୁ ପଳାଇଯାଇ ଭୁବନେଶ୍ବର ଅଞ୍ଚଳରେ ନିଜ ବାପାଙ୍କ ଘରେ ରହୁଥିଲେ। ମଦ ପିଇବାକୁ ଟଙ୍କା ଅଭାବ ହେବାରୁ ରମେଶ ଗତ ୪ ତାରିଖ ଦିନ ପ୍ରିୟଙ୍କାକୁ ସୟଦପୁର ପଞ୍ଚାୟତ ମେଡିକାଲ ଛକ ହାଟସାହିର ମିଟୁ ଜେନାଙ୍କୁ ୫ ହଜାର ଟଙ୍କାରେ ବିକ୍ରି କରିଦେଇ ନିଜ ଗାଁକୁ ଚାଲିଯାଇଥିଲେ। ଏ ସଂକ୍ରାନ୍ତରେ ସସ୍ମିତା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିବା ବେଳେ ଭାଇ ଗତକାଲି ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଶନିବାର ବିଂଝାରପୁର ପୁଲିସ ମିଟୁ ଜେନାଙ୍କ ଘରୁ ପ୍ରିୟଙ୍କାଙ୍କୁ ଉଦ୍ଧାର କରିଛନ୍ତି। ପୋଲିସ ମାମଲା ରୁଜୁକରି ରମେଶ ବାରିକ ଓ ମିଟୁ ଜେନାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛନ୍ତି।

ସମ୍ବନ୍ଧିତ ଖବର