ଭୁବନେଶ୍ୱର : ଆଜି ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାଫଳ କାହା ପାଇଁ ଖୁସି ତ କାହା ପାଇଁ ଦୁଃଖ ଆଣିଦେଇଛି । ଯାଜପୁରର ବରୀ ଅଂଚଳର ଜଣେ ଛାତ୍ର ଫେଲ ହେବାରୁ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଦୁଃଖିତ କରିଥିବାବେଳେ ବାଲେଶ୍ୱର ଅଂଚଳରୁ ଏକ ଭଲ ଖବର ମିଳିଛି । ଏହି ଜିଲ୍ଲାର ୫୮ ବର୍ଷ ବୟସ୍କ ଅରୁଣ କୁମାର ବେଜ ଓ ତାଙ୍କ ୩୦ ବର୍ଷ ବୟସ୍କ ପୁଅ ବିଶ୍ୱଜିତ ବେଜ୍ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଆଉ ମଜା କଥା ହେଉଛି ଉଭୟଙ୍କ ନମ୍ବର ସମାନ ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ଥାନୀୟ ଅଂଚଳରେ ଜଣେ ବିଜେପି ନେତା ହିସାବରେ ଜଣାଶୁଣା ଅରୁଣ ସପ୍ତମ ଶ୍ରେଣୀ ପଢୁଥିବାବେଳେ ପିତାଙ୍କ ଦେହାନ୍ତ ଯୋଗୁଁ ମାଟ୍ରିକ ପାଶ କରିପାରିନଥିଲେ । ରାଜନୈତିକ ଜୀବନରେ ସଫଳତା ହାସଲ କରିଥିଲେ ମଧ୍ୟ ମାଟ୍ରିକ ପାଶ କରି ନ ଥିବାରୁ ତାଙ୍କ ମନରେ ସବୁବେଳେ ଦୁଃଖ ରହିଆସିଥିଲା । ଅନ୍ୟପକ୍ଷରେ ତାଙ୍କ ସାନ ପୁଅ ବିଶ୍ୱଜିତ ମଧ୍ୟ ମେଟ୍ରିକ ପାଶ କରି ପାରିନଥିଲେ । ତାଙ୍କ ପରିବାରରେ ଅନ୍ୟ ସମସ୍ତେ ଉଚ୍ଚ ଶିକ୍ଷିତ ହୋଇଥିବାବେଳେ ଏହି ବାପପୁଅ ମାଟ୍ରିକ ପାଶ କରିପାରି ନଥିଲେ । ଉଭୟେ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟରୁ ପରୀକ୍ଷା ଦେଇ ପାଶ କରିଛନ୍ତି । ଉଭୟେ ୩୪୨ ନମ୍ବର ରଖିଛନ୍ତି । ଏହା ଫଳରେ ତାଙ୍କ ପରିବାରରେ ଆନନ୍ଦ ଖେଳିଯାଇଛି ।