ବାପ-ପୁଅଙ୍କ ମାଗଣା ଅକ୍ସିଜେନ୍ ସଞ୍ଜିବନି ସେବା

କରୋନା ଆକ୍ରାନ୍ତଙ୍କୁ ପହଞ୍ଚାଉଛନ୍ତି କୋଭିଡ ହସ୍ପିଟାଲରେ

ରାଉରକେଲା: କରୋନାର ଦ୍ବିତୀୟ ଲହରରେ ଦେଶ ପାଇଁ ସବୁଠୁ ମୂଲ୍ୟବାନ ହୋଇ ପଡିଛି ଜୀବନ ରକ୍ଷାକାରୀ ଅକ୍ସିଜେନ୍। ଅକ୍ସିଜେନ୍ ଅଭାବରୁ ଆଖି ବୁଜୁଛନ୍ତି ଗୁରୁତର କରୋନା ରୋଗୀ। ମହାମାରୀର ମହାସଙ୍କଟ ସମୟରେ ସ୍ମାର୍ଟସିଟି ରାଉରକେଲାରେ କରୋନା ଆକ୍ରାନ୍ତଙ୍କ ଜୀବନ ରକ୍ଷା କରିବାକୁ ଆଗେଇ ଆସିଛନ୍ତି ବାପ-ପୁଅ। ଅକ୍ସିଜେନ୍ ଅଭାବରୁ ଯେମିତି କାହାର ଅମୂଲ୍ୟ ଚାଲି ନଯାଉ, ଏଥିପାଇଁ ଦୁହେଁ ଅଣ୍ଟା ଭିଡିଛନ୍ତି। କରୋନା ଭୂତାଣକୁ ଖାତିର ନ କରି ୨୪ ଘଣ୍ଟିଆ ମାଗଣା ଅକ୍ସିଜେନ୍ ସଞ୍ଜିବନି ସେବା ଯୋଗାଇ ଗୁରୁତର କରୋନା ଆକ୍ରାନ୍ତଙ୍କ ପାଇଁ ସାଜିଛନ୍ତି ଦେବଦୂତ। ସେମାନେ ହେଲେ କୋଏଲନଗର ବ୍ୟବସାୟୀ ନିଲେଶ ଗୁପ୍ତା ଓ ତାଙ୍କ ବାପା ନିରଞ୍ଜନ। ଦୁହିଁଙ୍କୁ ସହାୟତାରେ ହାତ ବଢ଼ାଇଛନ୍ତି ବାସନ୍ତୀ କଲୋନିର ନିଲେଶଙ୍କ ସାଙ୍ଗ ଶ୍ୟାମ ଅଗ୍ରୱାଲ। ସେମାନଙ୍କ ଗାଡିର ନାମ ରଖିଛନ୍ତି ‘ ଏମରଜେନ୍ସି ରେସ୍ପନ୍ସ ଭେଇକିଲ୍’।

ରାତି ହେଉ କିମ୍ବା ଦିନ ୨୪ ଘଣ୍ଟା କରୋନା ଆକ୍ରାନ୍ତଙ୍କ ପ୍ରସ୍ତୁତି ରହିଛି ସେମାନଙ୍କ ଅକ୍ସିଜେନ୍ ଭ୍ୟାନ୍। ନିଜ ଘରେ ବ୍ୟବହାର କରୁଥିବା ଦୁଇଟି କାର୍ ସହ ଅନ୍ୟ ୬ଟି ଅଟୋ ଭଡା ସୂତ୍ରରେ ଆଣି ଏହି ସେବାରେ ଲଗାଇଛନ୍ତି। କଲ୍ ପାଇବାର ମାତ୍ର କେଇ ମିନିଟ୍ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ଘରେ ପହଞ୍ଚିଯାଉଛି ଅକ୍ସିଜେନ୍ ଭ୍ୟାନ୍। ନାକରେ ଅକ୍ସିଜେନ୍ ଲଗାଇ ଗୁରୁତର ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଗାଡିରେ ବସାଇ ପହଞ୍ଚାଉଛନ୍ତି କୋଭିଡ ହସ୍ପିଟାଲରେ। ବେଡ଼ ନ ମିଳିବା ପର୍ଯ୍ୟନ୍ତ ରୋଗୀଙ୍କୁ ଭ୍ୟାନ୍ ଭିତରେ ବସାଇ ଅକ୍ସିଜେନ୍ ଦେଉଛନ୍ତି। ଗତ ୧୦ ଦିନ ମଧ୍ୟରେ ପ୍ରାୟ ୧୬୦ରୁ ଅଧିକ ଗୁରୁତର କରୋନା ଆକ୍ରାନ୍ତ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି l ନିଲେଶଙ୍କ ଠାରୁ ପାରିଶ୍ରମିକ ନେଉଥିଲେ ହେଁ ଏହି ମହତ କାର୍ଯ୍ୟରେ ଅଟୋ ଡ୍ରାଇଭରମାନେ ନିଜକୁ ଉତ୍ସର୍ଗ କରି ଦେଇଛନ୍ତି l

ନୀଲେଶଙ୍କ କହିବା ମୁତାବକ ଅଟୋ ଡ୍ରାଇଭରମାନେ ମଧ୍ୟ ଭୂତାଣକୁ ଭୟ ନ କରି ଦିନ ରାତି ଏଭଳି ସେବାମୂଳକ କାମରେ କରୋନା ଆକ୍ରାନ୍ତ ରୋଗୀଙ୍କୁ ପରିବାର ଲୋକ ଭଳି ସେବା କରୁଛନ୍ତି। ନିଲେଶ କେବଳ ମାଗଣା ଅକ୍ସିଜେନ୍ ସେବା ଯୋଗାଇଉଛନ୍ତି ତା ନୁହେଁ ବରଂ କରୋନା ଆକ୍ରାନ୍ତଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଥିବା ଅନୁଷ୍ଠାନଙ୍କୁ ସହଯୋଗ କରୁଛନ୍ତି। ସେମାନଙ୍କ ଠାରୁ ରନ୍ଧାଖାଦ୍ୟ ପ୍ୟାକେଟ ଆଣି ଅକ୍ସିଜେନ୍ ଭ୍ୟାନରେ ଯାଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଦେଉଛନ୍ତି। କରୋନା ସଙ୍କଟ ନ ହଟିବା ଯାଏ, ତାଙ୍କର ଏଭଳି ସେବା ଜାରି ରହିବ ବୋଲି କୁହନ୍ତି ନିଲେଶ।

ସେ କହିଛନ୍ତି, କରୋନା ଭଳି ସଙ୍କଟ ସମୟରେ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ସହ ସଂଘର୍ଷ କରୁଥିବା ପରିବାରକୁ ସହାୟତା ହାତ ବଢ଼ାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ପ୍ରଥମେ ସେ ନିଜେ କାରରେ ଅକ୍ସିଜେନ୍ ସିଲିଣ୍ଡର ଲଦି ରୋଗୀଙ୍କୁ ଅକ୍ସିଜେନ୍ ସେବା ଦେଉଥିଲେ l ଦିନକୁ ପ୍ରାୟ ୧୦ରୁ ୧୨ରୁ କରୋନା ଆକ୍ରାନ୍ତ ରୋଗୀଙ୍କ ସମ୍ପର୍କୀୟ କଲ୍ କରି ଅକ୍ସିଜେନ୍ ସିଲିଣ୍ଡର ପହଞ୍ଚାଇବାକୁ ନିବେଦନ କରିଥିଲେ। କିଛି ଉପାୟ ନ ପାଇ ବ୍ୟବହାର କରୁଥିବା ଦୁଇଟି କାର୍ ସହ ଭଡାରେ ୬ଟି ଅଟୋ ଆଣି କାମରେ ଲଗାଇବାକୁ ବାଧ୍ୟ ହୋଇଥିଲେ l ଦରକାର ପଡିଲେ ଆହୁରି ଅଟୋ ଭଡାରେ ଆଣିବି। କିନ୍ତୁ ଜଣେ କରୋନା ଆକ୍ରାନ୍ତଙ୍କର ଯେମିତି ଅକ୍ସିଜେନ ଅଭାବରୁ ଜୀବନ ନ ଯାଉ, ତାହା ମୋର ପ୍ରାଥମିକତା। ଯଦି ହସ୍ପିଟାଲକୁ ଯିବାରେ ଅସୁବିଧା ରହିଛି ଓ ଅକ୍ସିଜେନ୍ ପାଉ ନାହାନ୍ତି, ତେବେ ମୋତେ (ମୋବାଇଲ୍ -୯୯୩୭୧୦୨୩୪୯) ଯୋଗାଯୋଗ କରିବାକୁ ଅନୁରୋଧ। ବ୍ୟବସାୟ କରୁଥିଲେ ହେଁ ଏଭଳି ସେବାମୂଳକ କାମ ମତେ ଆତ୍ମ ତୃପ୍ତି ଦେଉଛି l କରୋନା ସଙ୍କଟ ନ ଟଳିବା ପର୍ଯ୍ୟନ୍ତ ତାଙ୍କର ଏହି ସେବା ଜାରି ରହିବ ବୋଲି କହିଛନ୍ତି ନିଲେଶ। ସଙ୍କଟ ସମୟରେ ନିଲେଶଙ୍କ ଏଭଳି ସେବା ବାସ୍ତବରେ ଅନ୍ୟମାନଙ୍କ ପାଇଁ ନିଶ୍ଚୟ ଭାବେ ପ୍ରେରଣାଦାୟୀ।

ସମ୍ବନ୍ଧିତ ଖବର