ଚାନ୍ଦବାଲି : କରୋନା ସଂକ୍ରମଣର ଗତିରୋଧ କରିବା ପାଇଁ ସାମାଜିକ ଦୂରତ୍ଵ ସବୁଠାରୁ ବଡ଼ ଅସ୍ତ୍ର । ତେବେ ଲକଡାଉନ ସମୟରେ ଲୋକମାନେ ଘରେ ରହୁଥିବା ବେଳେ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ପୁଲିସ ,ସାମ୍ବାଦିକ, ସରକାରୀ କର୍ମଚାରୀ ଏହି ଯୁଦ୍ଧରେ ଜଣେ ଜଣେ ଯୋଦ୍ଧା ଭାବରେ ନିଯୋଜିତ ଅଛନ୍ତି ।
ଭଦ୍ରକ ଜିଲ୍ଲାର ସମସ୍ତ ୭ଟି ବ୍ଲକ ମଧ୍ୟରୁ ଚାନ୍ଦବାଲିରେ ସରକାରୀ କଟକଣାକୁ ପାଳନ କରି ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଯୋଦ୍ଧାମାନଙ୍କ ଭିତରୁ ଜଣେ ହେଲେ ତହସିଲଦାର ସୁଶାନ୍ତ ସୁତାର । ତାଙ୍କ ନେତୃତ୍ଵରେ ଚାନ୍ଦବାଲି ତହସିଲ ଅଧୀନସ୍ଥ ଚାନ୍ଦବାଲି ବଜାର ସମେତ ଧାମରା ବଜାର ଓ ଘଣ୍ଟେଶ୍ଵର ଆଦି ସମସ୍ତ ବଜାର , ସମସ୍ତ ନଦୀଘାଟ ,ସମସ୍ତ ସୀମା ସିଲ କରାଯାଇ ଥିବା ବେଳେ , ଲୋକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉଛି। ହେଲେ ସୁଶାନ୍ତ ସୁତାରଙ୍କ ନିଜ ପରିବାରରେ ଏକ ଦୁର୍ଘଟଣାର ଦୁଃଖକୁ ମଧ୍ୟ ଖାତିର ନ କରି କର୍ମକ୍ଷେତ୍ରକୁ ଗୁରୁତ୍ଵ ଦେଇଛନ୍ତି ।
ଲକ ଡାଉନର କିଛି ଦିନ ପରେ ତାଙ୍କ ବାପା ହଠାତ୍ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ବାପା ଏବେ କଟକର ଏକ ଘରୋଇ ହସ୍ପିଟାଲର ଆସିୟୁରେ ଚିକିତ୍ସିତ ହେଉଥିବା ବେଳେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ରାଜକାର୍ଯ୍ୟରେ ଅବହେଳା କରି ନାହାନ୍ତି ସୁଶାନ୍ତ । ତାହାରି ମଧ୍ୟରେ ମାନସିକ ବିକାରଗ୍ରସ୍ତ ଲୋକମାନଙ୍କୁ ଖାଇବାକୁ ଦେବା ସହ ସେମାନଙ୍କୁ ସୁରକ୍ଷା ଦେଇଥିବା ହେତୁ ଚାନ୍ଦବାଲିରେ ଚର୍ଚାର ବିଷୟ ପାଲଟିଛନ୍ତି ସୁଶାନ୍ତ।