ସାପ କାମୁଡ଼ାରେ ମା’ ମୃତ, ଅଜଣା ରୋଗରେ ପୀଡ଼ିତ ବାପା; ଏବେ ଅସହାୟ ୪ ବର୍ଷର ଝିଅ ଅଙ୍କିତା

ବାମରା : ମାଟି ଖପରରରେ ନିର୍ମିତ ନୂଆଁଣିଆ ଝାଟିମାଟିର ଘର। ପରିବାର କହିଲେ ୪ ବର୍ଷର ଝିଅ ଅଙ୍କିତା ଓ ୨ ବର୍ଷର ପୁଅ ସୁମିତ। ଘରର ମୁଖ୍ୟ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ। କେହି ନଥିବାରୁ ଅଙ୍କିତା ହିଁ ବାପାଙ୍କ ବୋଲହାକ କରେ। ଘର ଝାଡ଼ୁ ମାରେ। ବାସନ ବି ମାଜେ। ସମ୍ପତ୍ତି କହିଲେ ସେହି ଘର ଖଣ୍ଡିଏ। ଏଭଳି କ୍ଷେତ୍ରରେ ଅଙ୍କିତା ଓ ସୁମିତର ଭବିଷ୍ୟତ ଯେ କିଭଳି ତାହା ଜଳଜଳ ଦିଶୁଛି। ତଥାପି ନିଜ ସହିତ ଅଙ୍କିତାଙ୍କ ଭବିଷ୍ୟତକୁ ନେଇ ସଂଘର୍ଷ କରୁଛନ୍ତି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଣ୍ଡରିପଥରର ରବି ମୁଣ୍ଡା(୩୨)।

ସୂଚନା ଅନୁଯାୟୀ ୫ ବର୍ଷ ତଳେ ଝାରସୁଗୁଡ଼ା ଜିଲ୍ଲା ସାହାସପୁର ପଞ୍ଚାୟତ ଧଉଁଲାଟିକ୍ରା ଗ୍ରାମର ରବି ଲକ୍ଷ୍ମୀ ମୁଣ୍ଡାଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ଝିଅ ଅଙ୍କିତା(୪) ଓ ଗୋଟିଏ ପୁଅ ସୁମିତ(୨) ଅଛନ୍ତି। ରବି ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଇ ଆସୁଥିଲେ। ୬ ମାସ ତଳେ ସ୍ତ୍ରୀ ଲକ୍ଷ୍ମୀ ଛୁଆଙ୍କୁ ନେଇ ବାପ ଘରକୁ ଯାଇଥିବା କ୍ରମରେ ତାଙ୍କୁ ସାପ କାମୁଡ଼ି ଦେଇଥିଲେ। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏପଟେ ରବି ବାମରାରେ ରହି ଦୁଇ ଶିଶୁଙ୍କ ଯତ୍ନ ନେବା ସହ ଦିନ ମଜୁରିଆ କାମ କରୁଥିଲେ। ଦିନେ ଦିନେ ରବି କାମକରି ଫେରିବା ପରେ ଦୁଇ ଶିଶୁ ଭୋକରେ ଶୋଇ ପଡ଼ୁଥଲେ। ୨ ମାସ ଆଗରୁ ରବି କାମ କରି ସଂଧ୍ୟାରେ ଫେରିବା ପରେ ତାଙ୍କ  ହାତଗୋଡ଼ ବିନ୍ଧିବା ସହ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। କିଛିଦିନ କାମ କରି ନ ପାରି ଘରେ ବସି ରହିଥିଲେ। ସ୍ଥାନୀୟ ଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଡାକ୍ତରଙ୍କୁ ଦେଖାଇଥିଲେ। ପରେ ତାଙ୍କର ପୂରା ଶରୀରରେ ବ୍ୟଥା ଅନୁଭବ କରିଥିଲେ। ଚଲାବୁଲା କରି ନପାରି ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ୨ ଛୁଆଙ୍କୁ କେମିତି ପୋଷିବେ କ’ଣ ଖାଇବେ ସେ ନେଇ ଚିନ୍ତାଗ୍ରସ୍ତ ହୋଇପଡ଼ିଲେ।

ଡାକ୍ତର ଲେଖିଥିବା ଔଷଧପତ୍ର କିଣିବାକୁ ବି ଅର୍ଥ ନ ଥିବା କାରଣରୁ ୧୦ ଦିନ ପୂର୍ବେ  ପୁଅ ସୁମିତକୁ ଅନ୍ୟ ଜଣେ ସାଙ୍ଗଙ୍କ ସହାୟତାରେ ଶ୍ବଶୁର ଘରେ ଛାଡ଼ି ଦେଇଛନ୍ତି। ଏବେ ଏକମାତ୍ର ସାହା ଭରସା ୪ ବର୍ଷର ଅଙ୍କିତା। ସେ ସକାଳୁ ଉଠି ଘର ଅଳେଇବା ଠୁ ଆରମ୍ଭ କରି ବାସନକୁସନ ମାଜିବା, କପଡ଼ାଲତା ସଜାଡ଼ିବା, ବାପାଙ୍କୁ ଚା’ ତିଆରି କରି ଦେବା ଆଦି ସବୁ କାମ କରୁଛି। ଛୋଟ ଛୁଆ ରନ୍ଧା ବଢା କରି ପାରୁ ନ ଥିବା ଦେଖି ପାଖ ପଡ଼ିଶା ଲୋକେ ଦୟା ଦେଖାଇ ତାଙ୍କୁ ରନ୍ଧା ଖାଦ୍ୟ ଦୁଇ ଓଳି ଯୋଗାଇ ଦେଉଛନ୍ତି। କେହି ଆଣି ଦେଲେ ଖାଉଛନ୍ତି ନ’ ହେଲେ ଭୋକ ଉପାସରେ ଦିନ ବିତାଉଛନ୍ତି ବୋଲି ରବି କହିଛନ୍ତି।

ଏପରି ସ୍ଥଳେ ସ୍ଥାନୀୟ ବିଜେଡି ଯୁବ ନେତା ମିଥୁନ ବାଡ଼ାଏକ(କୋହ୍ଲ) ଖବରପାଇ ତାଙ୍କ ଘରକୁ ଯାଇ କଥା ହେବା ସହ  ଔଷଧ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଗରିବ ଶ୍ରେଣୀର ରବିଙ୍କ ପାଖରେ ରାସନ କାର୍ଡ ବି ନାହିଁ। ଯେଉଁ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ତାହା ବି ଝାଟିମାଟି ଭଙ୍ଗା ଦଦରା। ଗୋଟିଏ ମାତ୍ର ଛୋଟ କୋଠରି। ଏପରି ସ୍ଥଳେ ଶଯ୍ୟାଶାୟୀ ଅସହାୟ ରବିକୁ ଯଥା ସମ୍ଭବ ସରକାରୀ ସହାୟତା ସହିତ ଉତ୍ତମ ଚିକିତ୍ସା ସେବା  ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର