ବରଗଡ଼ : ଶତ ଚେଷ୍ଟା ସତ୍ତ୍ୱେ ରକ୍ତହୀନତାରେ ଶିକାର ଥିବା ତିନୋଟି ସନ୍ତାନକୁ ବଞ୍ଚାଇବାରେ ଅସଫଳ ପିତା ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଲୁହୁରାପାଲି ଗାଁରେ। ହାଇପୋ ପ୍ଲାଷ୍ଟିକ ଏନିମିଆ (ରକ୍ତହୀନତା) ରୋଗରେ ପୀଡ଼ିତ ଜଣେ ପୁଅ ଏବଂ ଦୁଇ ଝିଅଙ୍କୁ ହରାଇବା ପରେ ମର୍ମାହତ ପିତା ମଧୁସୂଦନ ପାଇକ ଆତ୍ମହତ୍ୟା କରିଛନ୍ତି।
ଗତକାଲି ଦୁଃଖରେ ମ୍ରିୟମାଣ ମଧୁସୂଦନ ବିଷପାନ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ବୁଧବାର ବିଳମ୍ବିତ ରାତିରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଜିଲ୍ଲାରେ ଚହଳ ପକାଇ ଦେଇଛି।
ସୂଚନା ମୁତାବକ, ମଧୁସୂଦନ ତିନି ବର୍ଷରେ ନିଜ ତିନୋଟି ସନ୍ତାନ ହରାଇଛନ୍ତି। ୨୦୧୫ ମସିହାରେ ବଡ଼ପୁଅ ସୌମ୍ୟରଞ୍ଜନଙ୍କ ରକ୍ତହୀନତାରେ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣାର କିଛି ଦିନ ପରେ ଦୁଇ ଝିଅ ବୈଷ୍ଣୋଦେବୀ ଏବଂ ଗାୟତ୍ରୀ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ଜଣାପଡ଼ିଲା ସେମାନେ ବି ରକ୍ତହୀନତା ରୋଗର ଶିକାର ହୋଇଛନ୍ତି। ଦୁଇ ଝିଅଙ୍କୁ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ ଆରମ୍ଭ କରି ଦେଇଥିଲେ ମଧୁସୂଦନ। ଚିକିତ୍ସା ପାଇଁ ଦୁଇ ଝିଅଙ୍କୁ କଟକ ନେଇଥିଲେ। ହେଲେ କିଛି ଫଳ ମିଳି ନଥିଲା। ଜମିବାଡ଼ି, ଘରଦ୍ୱାର ବିକି ଦୁଇ ଝିଅଙ୍କ ଚିକିତ୍ସା କରାଇଥିଲେ। ୪ ଲକ୍ଷ ଟଙ୍କା ଖର୍ଚ୍ଚ କଲେ। ହେଲେ ଚିକିତ୍ସା ପାଇଁ ଆହୁରି ୩୦ ଲକ୍ଷ ଟଙ୍କା ଆବଶ୍ୟକ ହେବାରୁ ମଧୁସୂଦନଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଚିଠି ଲେଖିଲେ। ହେଲେ ରେଡକ୍ରସ ପାଣ୍ଠିରୁ ସହାୟତା ବାବଦକୁ ମିଳିଥିଲା ମାତ୍ର ୧୦ହଜାର ଟଙ୍କା। ଶେଷରେ ଜଣକ ପରେ ଜଣେ ଝିଅ ମରିଗଲେ। ଦୁଃଖରେ ମି୍ରୟମାଣ ହୋଇପଡ଼ିଥିଲା ମଧୁସୂଦନ ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତମାନ ତାଙ୍କ ପତ୍ନୀ ମୁକ୍ତା, ସାନ ପୁଅ ଶ୍ୟାମରଞ୍ଜନ ଏବଂ ବୁଢ଼ୀ ମା’ ଅଛନ୍ତି। ସାରା ପରିବାର ଏବେ ଗୋଟିଏ ଦଦରା ଘରେ ରହୁଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ ମୁକ୍ତା ଏବେ ଚିନ୍ତାଗ୍ରସ୍ତ। ସାନପୁଅକୁ ବିନା ସହାୟତାରେ କିଭଳି ବଢ଼ାଇବେ, ତାକୁ ନେଇ ଚିନ୍ତା ଘାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/SBPHO14-800-2.jpg)