ପୁଅକୁ ହତ୍ୟା କରି ବାପାର ଆତ୍ମସମର୍ପଣ

କୋଇଡ଼ା: ପୁଅକୁ ଟାଙ୍ଗିଆରେ ହତ୍ୟା କରି ବାପାର ଥାନାରେ ଆତ୍ମସମର୍ପଣ ଘଟଣା କୋଇଡ଼ା କୋଇଡ଼ା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାରୁ ପ୍ରକାଶ, କୋଇଡ଼ା ଅନ୍ତର୍ଗତ ତୋଡ଼ା ଗ୍ରାମର ଗିରିଜାଟୋଲାରେ ନିଜ ବାପା ମାଆ ଓ ଦୁଇ  ଛୋଟ ଭାଇଙ୍କ ସହ ରହି  ଆସୁଥିଲେ  ୨୩ ବର୍ଷର ଯୁବକ ସାମରାନ ଡାଙ୍ଗ। ଦୁଇ ବାପ ପୁଅ ନିକଟସ୍ଥ ଏକ ଖଣିରେ ଦିନମଜୁରିଆ ଭାବେ କାର୍ଯ୍ୟ କରି ଘର ଚଳାଉଥିଲେ ହେଲେ ସାମରନ ପ୍ରତ୍ୟେକ ଦିନ ରାତିରେ ମଦ ନିଶାରେ ଘରକୁ ଫେରି ବାପା ସନ୍ତୋଷ ଡାଙ୍ଗଙ୍କ ସହିତ କଳି କରିବା ସହ ମାରିବାକୁ ଧମକ ଦେଉଥିଲା। ଶନିବାର ରାତିରେ ସାମରାନ ମଦ ନିଶାରେ ଘରକୁ ଫେରିବା ପରେ ଘରେ ଥିବା ଏକ ଟାଙ୍ଗିଆରେ ବାପକୁ ମାରିବା ପାଇଁ ଯାଉଥିଲା ହେଲେ ବାପା ସନ୍ତୋଷ ଡାଙ୍ଗ ପୁଅ ଠାରୁ ଟାଙ୍ଗିଆ ଛଡ଼ାଇ ଓଲଟା ପୁଅକୁ ମୁଣ୍ଡରେ ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ପୁଅ ସାମରାନର ମୃତ୍ୟୁ ହୋଇଥିଲା।

ପରେ ଏକ କାଠ ଓ ଦଉଡ଼ିରେ ବାନ୍ଧି ପୁଅର ରକ୍ତ ଜୁଡୁବୁଡୁ ଶବକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଆଜି ସକାଳେ ନିଜେ ବାପା ସନ୍ତୋଷ ଡାଙ୍ଗ କୋଇଡ଼ା ଥାନାରେ ଆତ୍ମସମର୍ପଣ କରି ଘଟଣା ସମ୍ପର୍କରେ କହିଥିଲେ। କୋଇଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପୁଲିସ ଏ ସଂପର୍କରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି। ଆସନ୍ତାକାଲି ଅଭିଯୁକ୍ତ ସନ୍ତୋଷ ଡାଙ୍ଗଙ୍କୁ ପୁଲିସ କୋର୍ଟ ଚାଲାଣ କରିବ।

ସମ୍ବନ୍ଧିତ ଖବର