ଖୋର୍ଦ୍ଧା/ବାଣପୁର/ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାହାସପୁର ଶାନ୍ତିନଗରରେ ଘଟିଯାଇଛି ଏକ ସମ୍ବେଦନଶୀଳ ଘଟଣା। ବାପାର ବୋମା ମାଡ଼ରେ ସାନ ପୁଅର ମୃତ୍ୟୁ ଘଟିଛି। ମୃତକ ହେଲେ ଦିବ୍ୟସିଂହ ରାଉତରାୟ ଓରଫ କାଳିଆ(୪୦)। ବାପା ସଠ ରାଉତରାୟ ଓ ବଡ଼ ପୁଅ ସୁବାସ ରାଉତରାୟଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଦିବ୍ୟସିଂହଙ୍କ ପତ୍ନୀ ରଜନୀ ରାଉତରାୟ(୩୫)ଙ୍କଠାରୁ ଅଭିଯୋଗ ପାଇବା ପରେ ବାଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗରରେ ସଠ ରାଉତରାୟଙ୍କ ପରିବାର ବହୁବର୍ଷ ଧରି ରହିଆସୁଥିଲେ। ସଠଙ୍କ ଦୁଇ ପୁଅ ମଧ୍ୟରେ ଅନେକ ଦିନ ହେବ ବାଦ ବିବାଦ ଲାଗି ରହିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବାପା ଓ ସାନ ପୁଅଠାରୁ ବଡ ପୁଅ ଅଲଗା ରହିଆସୁଥିଲେ। ସେହି ଦିନଠାରୁ ଉଭୟଙ୍କ ମଧ୍ୟରେ କଳହ ଲାଗିରହିଥିଲା। ଆଜି ସକାଳ ପ୍ରାୟ ୮ଟା ବେଳେ ଏହି କଳହ ଭୀଷଣ ରୂପ ନେଇଥିଲା। ବଡ଼ପୁଅ ସୁବାସ ପାୱାର୍ ଟିଲରକୁ ଷ୍ଟାର୍ଟ କରୁଥିବା ବେଳେ ବାପା ସେଠ ତାଙ୍କ ଉପରେ ବିରକ୍ତ ହୋଇଥିଲେ। ତୁ କାହିଁକି ଷ୍ଟାର୍ଟ କରୁଛୁ ବୋଲି ସୁବାସଙ୍କୁ ସେଠ ବିରୋଧ କରିଥିଲେ। ଏତିକି କଥାରୁ ମହାଭାରତ ଆରମ୍ଭ ହୋଇଥିଲା। ବାପା ସେଠଙ୍କ କଥାରେ ବିଗିଡ଼ିଯାଇ ସୁବାସ ଏକ ବନ୍ଧୁକ ବାହାର କରିଥିଲେ। ସୁବାସଙ୍କ ବନ୍ଧୁକ ଦେଖି ବାପା ହାତ ତିଆରି ଦୁଇଟି ବୋମା ଆଣିଥିଲେ। କେହି କିଛି ଜାଣିବା ଆଗରୁ ଗୋଟିଏ ବୋମା ବଡ଼ପୁଅ ସୁବାସ ଆଡ଼କୁ ନିକ୍ଷେପ କରିଥିଲେ। କିନ୍ତୁ, ତାହା ଯାଇ ଘରର ଗ୍ରିଲ୍ରେ ବାଜିଥିଲା। ଦ୍ବିତୀୟ ଥର ବୋମା ଫୋପାଡ଼ିଲା ବେଳକୁ ଘଟଣାସ୍ଥଳରେ ସାନପୁଅ କାଳିଆ ପହଞ୍ଚି ଯାଇଥିଲେ। ଏ ବୋମା ଯାଇ କାଳିଆଙ୍କ ମୁଣ୍ଡରେ ଫୁଟିଥିଲା। ଘଟଣାସ୍ଥଳରେ ହିଁ କାଳିଆଙ୍କ ମୁଣ୍ଡ ଛିନଛତର ହୋଇଥିଲା। କାଳିଆ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଘରସାରା ରକ୍ତ ଜୁଡ଼ୁବୁଡ଼ୁ ହୋଇ ସାରିଥିଲା। ପ୍ରଥମ ବୋମାମାଡ଼ରେ ବଡ଼ ପୁଅ ସୁବାସ ଆହତ ହୋଇଛନ୍ତି।
ସୂଚନା ପାଇ ବାଲୁଗାଁ ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଥାନା ଅଧିକାରୀ ଶ୍ରୀ ଦେବତା ସଦଳେବଳେ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଅପରାହ୍ନରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାଣପୁର ଥାନା ପୁଲିସ କେସ୍ ନମ୍ବର ୨୩୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ପୁଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି। ପୁଲିସ ବାପା ଓ ବଡ଼ ପୁଅକୁ ଅଟକ ରଖି ପଚରାଉଚରା କରୁଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। କେସ୍ ନମ୍ବର ୨୩୨/୨୪ରେ ପୁଲିସ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିବା ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ସଠ ରାଉତରାୟ ୧୨ ବର୍ଷତଳେ ୨ଜଣଙ୍କୁ ଜୀବନରେ ମାରି ଦୀର୍ଘବର୍ଷ ଜେଲ ଦଣ୍ଡ ଭୋଗୁଥିବା ବେଳେ ଗତ କିଛିଦିନ ହେବ ଜେଲରୁ ଘରକୁ ଫେରିଥିଲେ। ସଠ ରାଉତରାୟ ଜଣେ ହିଂସ ପରାୟଣ ବ୍ୟକ୍ତି ଭାବରେ ଅଞ୍ଚଳରେ ପରିଚିତ ଥିବା ବେଳେ ତାଙ୍କ ନାମରେ ବାଣପୁର ଥାନାରେ ଏକାଧିକ ମାମଲା ରହିଛି ବୋଲି ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର କହିଛନ୍ତି।