ବାଲିଆପାଳ: ଆତ୍ମହତ୍ୟା କରିଥିବା ଜଣେ ଝିଅର ଶବକୁ ପୁଲିସ ଜବତ କଲା। କିନ୍ତୁ ବ୍ୟବଚ୍ଛେଦ ପାଇଁ କୌଣସି ବ୍ୟବସ୍ଥା ନକରି ପରିବାର ଲୋକଙ୍କୁ ଦାୟିତ୍ୱ ଦେଇ କାନ୍ଧ ଖସାଇଦେଲା। ହେଲେ ଗରିବ ଆଦିବାସୀ ବାପା ପାଖରେ ଶବ ନେବା ପାଇଁ ଅର୍ଥ ନଥିବାରୁ ଗାଁ’ରୁ ଏକ ଟ୍ରଲି ରିକ୍ସା ମାଗି ଝିଅର ଶବକୁ ଘରଠାରୁ ୬ କିଲୋମିଟର ଦୂର ବାଲିଆପାଳ ଡାକ୍ତରଖାନା ପର୍ଯ୍ୟନ୍ତ ବୋହିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ମୁତାବକ ଦେଉଳା ପଞ୍ଚାୟତ ବିନ୍ଧାଣୀସାହିର ମଧୁ ବିନ୍ଧାଣୀଙ୍କ ଝିଅ ଆତ୍ମହତ୍ୟା କରିଥିଲେ। ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କୁ ଦାୟିତ୍ୱ ଦେଇ ପଳାଇ ଆସିଥିଲେ। ତେବେ ମଧୁ ଅତ୍ୟନ୍ତ ଗରିବ ହୋଇଥିବାରୁ ଆମ୍ବୁଲାନ୍ସରେ ଶବ ନେବା ପାଇଁ ଟଙ୍କା ନଥିଲା। ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ଟ୍ରଲି ମାଗି ଝିଅର ଶବକୁ ଡାକ୍ତରଖାନାକୁ ନେଇଥିଲେ।