ଅନୁଗୁଳ : ଦୁଇ ପୁଅର ଚାକିରି ପାଇଁ ଠକେଇର ଶିକାର ହେଲେ ଦୁଇ ଜଣ ବାପା। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପୂରା ୧୪ଲକ୍ଷ ଟଙ୍କା ମାରିନେଲା। ଶନିବାର ଅନୁଗୁଳ ଥାନାରେ ଏନେଇ ହୋଇଥିବା ଏତଲା ଆଶ୍ଚର୍ଯ୍ୟ କରିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ନାଲକୋର ଜଣେ ଅବସରପ୍ରାପ୍ତ ସିକ୍ୟୁରିଟି ଗାର୍ଡ ହିଁ ଆଉ ଦୁଇ ଜଣ ସିକ୍ୟୁରିଟି କର୍ମଚାରୀଙ୍କୁ ଚୁନା ଲଗାଇଛନ୍ତି। ଘଟଣାରେ ପୁଲିସ ଧାରା ୪୨୦ରେ ଦୁଇଟି ପୃଥକ୍‌ ପୃଥକ୍‌ ମାମଲା ରୁଜୁ କରି ଅଭିଯୁକ୍ତ ଅବସରପ୍ରାପ୍ତ ସିକ୍ୟୁରିଟି କର୍ମଚାରୀ ଅଜୟ କୁମାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଅନୁଗୁଳ ଥାନା ପୁଲିସର କହିବା ମୁତାବକ, ଗିରଫ ଅଜୟଙ୍କ ଘର ତାଳଚେର ଥାନା ଚାଇଁପାଳ ଖଲୁଆ ଗାଁର। ସେ ନାଲକୋ ସିପିପିରେ ସିକ୍ୟୁରିଟି ଗାର୍ଡ଼ ଭାବେ ଚାକିରି କରି ଅବସର ଗ୍ରହଣ କରିଛନ୍ତି। ଏକ ସିକ୍ୟୁରିଟି ସଂସ୍ଥାରେ ମ୍ୟାନେଜର ଭାବେ କାମ କରୁଥିବା ଅନୁଗୁଳ ସୌଭାଗ୍ୟନଗରର ବସନ୍ତ କୁମାର ନାୟକ ଏବଂ ବଅଁରପାଳ ଅଞ୍ଚଳର ସୁଦର୍ଶନ ନାମକ ଆଉ ଜଣେ ବ୍ୟକ୍ତିଙ୍କର ପୁଅମାନଙ୍କୁ ଉଚ୍ଚ ଦରମାରେ ଟାଟା ଜାମସେଦ୍‌ପୁରରେ ଇଞ୍ଜିନିୟର ଚାକିରି କରାଇ ଦେବା ପାଇଁ କହି ଅଜୟ ସେମାନଙ୍କଠାରୁ ଟଙ୍କା ନେଇଥିଲେ। ବସନ୍ତଙ୍କଠାରୁ ୮ଲକ୍ଷ ଟଙ୍କାର ଚୁନା ଲଗାଇଥିବା ବେଳେ ସୁଦର୍ଶନଙ୍କଠାରୁ ୬ଲକ୍ଷ ଟଙ୍କା ଅଜୟ ନେଇଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଥିଲା। ଉଭୟ ସୁଦର୍ଶନ ଏବଂ ବସନ୍ତଙ୍କ ଏତଲା କ୍ରମେ ପୁଲିସ ଦଫା ୪୨୦ରେ ଦୁଇଟି ପୃଥକ୍‌ ପୃଥକ୍‌ ମାମଲା ରୁଜୁ କରି ଅଜୟଙ୍କୁ ଶନିବାର ଗିରଫ କରିଛି। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅନୁଗୁଳ ଥାନା ଅଧିକାରୀ ରମେଶ ବିଶୋଇ ପ୍ରକାଶ କରିଛନ୍ତି।