ହାଟଡିହି: କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଛି ରୋଜଗାରିଆ ପୁଅ। ପୁଅକୁ ବଞ୍ଚାଇବା ପାଇଁ ବାପା ନିଜର ଗୋଟିଏ କିଡ୍‌ନି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ କିଡ୍‌ନି ପ୍ରତିରୋପଣରେ ଅର୍ଥ ବାଧକ ସାଜିଛି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ କପୁଣ୍ଡି ଗ୍ରାମରେ।

Advertisment

କପୁଣ୍ଡି ଗ୍ରାମର କାମ୍ପାଳ ଦେବତାଙ୍କ ବଡ଼ପୁଅ ବିଜୟଶ୍ରୀ (୩୨)ଙ୍କ ୫ଜଣିଆ ପରିବାର ହସଖୁସିରେ ଚଳୁଥିଲା। ହଠାତ୍‌ ବିଜୟଶ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବାରୁ କିଡ୍‌ନି ସମସ୍ୟା ଥିବା ଡାକ୍ତର କହିଥିଲେ। ଅନେକ ଟଙ୍କା ଖର୍ଚ୍ଚ କରିବା ପରେ ସେ ସୁସ୍ଥ ହୋଇଥିଲେ। କିନ୍ତୁ ଫେବ୍ରୁଆରି ୨୫ରେ ପୁଣି ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପରୀକ୍ଷା ପରେ ତାଙ୍କର ଦୁଇଟି କିଡ୍‌ନି ନଷ୍ଟ ହୋଇଯାଇଥିବା ଡାକ୍ତର କହିଥିଲେ।

ବର୍ତ୍ତମାନ ନିୟମିତ ଡାଏଲେସିସ୍‌ ଚାଲିଥିବା ବେଳେ ବାପା କାମ୍ପାଳ ପୁଅକୁ ଗୋଟିଏ କିଡ୍‌ନି ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଜୁନ୍‌ ପ୍ରଥମ ସପ୍ତାହରେ କିଡ୍‌ନି ପ୍ରତିରୋପଣ ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ୧୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତରମାନେ କହିଛନ୍ତି। ଗରିବ ପରିବାର ପକ୍ଷରେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ହେଉନାହିଁ। ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇସାରିଛି। ଏବେ ପୁଣି ୧୫ ଲକ୍ଷ ଟଙ୍କା କେଉଁଠୁ ଆଣିବେ ସେନେଇ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି। ଗ୍ରାମବାସୀ ସହାୟତା ଯୋଗାଇଥିବା ବେଳେ ସହୃଦୟ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗର ହାତ ବଢ଼ାଇବାକୁ ବିଜୟଶ୍ରୀଙ୍କ ମା’ ନିବେଦନ କରିଛନ୍ତି। ଯଦି କେହି ସହୃଦୟ ବ୍ୟକ୍ତି ସହଯୋଗ କରିବାକୁ ଚାହାନ୍ତି ରାମକୃଷ୍ଣ ନନ୍ଦ (୭୦୭୭୫୭୮୨୭୮)ଙ୍କ ସହ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି।