ଦିବ୍ୟାଙ୍ଗ ପୁଅର ପଢ଼ା ପାଇଁ ବାପା ଆଶାବାଡ଼ି

ପ୍ରତିଦିନ ସାଇକଲ୍‌ରେ ବୋହୁଛନ୍ତି ୧୦କିମି

ନବରଙ୍ଗପୁର: ଗୋଟିଏ ବୋଲି ପୁଅ। ଜନ୍ମରୁ ଦିବ୍ୟାଙ୍ଗ। କିନ୍ତୁ ପୁଅ ବଡ଼ ସ୍ବପ୍ନ ଦେଖିଛି। ତାହାକୁ ନିଶ୍ଚିତ ପୂରଣ କରିବେ। ଏହି ଲକ୍ଷ୍ୟ ନେଇ ଅଭାବ ସତ୍ତ୍ବେ ସବୁ କାମଧନ୍ଦା ଛାଡ଼ି ସାଜିଛନ୍ତି ପୁଅର ଆଶାବାଡ଼ି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପୁଅ ସହ ରହୁଛନ୍ତି ଛାଇ ଭଳି। ଜଣେ ଗରିବ ବାପାର ଏମିତି ନିଷ୍ଠା ଏବଂ ଅକ୍ଳାନ୍ତ ପରିଶ୍ରମ ସମାଜ ପାଇଁ ପ୍ରେରଣାଦାୟୀ ବୋଲି ମତ ପ୍ରକାଶ ପାଇଛି।

ନବରଙ୍ଗପୁର ସହର ଠାରୁ ୧୦ କିଲୋମିଟର ଦୂରରେ ରହିଛି ପୂଜାରୀଗୁଡ଼ା ଗାଁ। ଏହି ଆଦିବାସୀ ଗାଁର ବାସିନ୍ଦା ହେଲେ ଜଳନ୍ଧର ରନ୍ଧାରୀ। ପରିବାର କହିଲେ ପତ୍ନୀ, ଦୁଇ ଝିଅ ଏବଂ ଗୋଟିଏ ବୋଲି ପୁଅ ଅରୂପାନନ୍ଦ ରନ୍ଧାରୀ। ପିଲାଦିନେ ଅରୂପାନନ୍ଦ ପୋଲିଓରେ ଆକ୍ରାନ୍ତ ହୋଇ ଦିବ୍ୟାଙ୍ଗ ପାଲଟିଗଲେ। ଗାଁ ସ୍କୁଲରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ ବଡ଼ ସ୍ବପ୍ନ ଦେଖିଲେ ଅରୂପାନନ୍ଦ। ଅଧିକ ପାଠ ପଢ଼ିବେ ଏବଂ ଚାକିରି କରି ପରିବାରର ଅଭାବ ଅସୁବିଧାକୁ ଦୂର କରିବେ। କିନ୍ତୁ ଏହି ସ୍ବପ୍ନକୁ ସାକାର କରିବାକୁ ଜଳନ୍ଧର ପୂରା ଦମ୍‌ ଲଗାଇ ଦେଇଛନ୍ତି। ଦିନ ମଜୁରିଆ ହୋଇଥିବା ସତ୍ତ୍ବେ ପ୍ରତିଦିନ ଘରୁ ପୁଅକୁ ନେଇ ସାଇକଲରେ ବାହାରୁଛନ୍ତି। ୧୦କିଲୋମିଟର ଦୂରରେ ଥିବା ନବରଙ୍ଗପୁର କଲେଜରେ ପହଞ୍ଚିବା ପରେ ଉପର ମହଲରେ ଥିବା ଶ୍ରେଣୀ ଗୃହକୁ ପୁଅକୁ କୋଳରେ ଧରି ଯାଉଛନ୍ତି।

ପାଠପଢ଼ା ସରିବା ପରେ ପୁଣି କୋଳରେ ଧରି ତଳ ମହଲାକୁ ଆସି ସାଇକଲରେ ଗାଁକୁ ଫେରୁଛନ୍ତି। ପୁଅର ପାଠପଢ଼ାରେ ଯେମିତି କୌଣସି ଅସୁବିଧା ନ ହେବ ସେଥିପ୍ରତି ଧ୍ୟାନ ରଖିବା ସହ ଦିନର ଅଧିକାଂଶ ସମୟ ପୁଅ ସହ ବିତାଉଛନ୍ତି। ଏଥିପାଇଁ ଠିକ୍‌ ରୂପେ କାମ କରିବାକୁ ବି ଯାଇପାରୁ ନାହାନ୍ତି। ସରକାରୀ ସହାୟତା କହିଲେ ଏହି ପରିବାରକୁ ମାସିକ କେବଳ ୨୫ କିଲୋ ଚାଉଳ ମିଳୁଛି। ଅନ୍ୟ କୌଣସି ପ୍ରକାର ସହାୟତା ମିଳୁ ନଥିବା ବେଳେ ଘୋର ଅଟନଟ ମଧ୍ୟରେ ରହିଛନ୍ତି। ତଥାପି‌ କ୍ଷୋଭ ନାହିଁ, ସବୁ ସମସ୍ୟାକୁ ମୁଣ୍ଡ ପାତି ସହି ନେଉଛନ୍ତି। ଅରୂପାନନ୍ଦ ହଷ୍ଟେଲରେ ରହି କୌଣସି ବଡ଼ କଲେଜରେ ପାଠ ପଢ଼ିବ ବୋଲି ଇଚ୍ଛା କରିଥିଲା। କିନ୍ତୁ ଅର୍ଥାଭାବ ଯୋଗୁ ବାଧ୍ୟ ହୋଇ ଘର ନିକଟରେ ଥିବା ନବରଙ୍ଗପୁର କଲେଜରେ ନାମ ଲେଖାଇଥିବା ଜଣାପଡ଼ିଛି।

ଦିବ୍ୟାଙ୍ଗ ପୁଅକୁ ସକ୍ଷମ ମଣିଷ ଭାବେ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଜଣେ ଗରିବ ବାପାର ଏଭଳି ପରିଶ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର