ବାପା-ମା’ ହେଉଛନ୍ତି ଈଶ୍ବରଙ୍କ ପ୍ରତିନିଧି: ସୌମ୍ୟ

ଡମ୍ବରୁଧର ମହାନ୍ତି ଟ୍ରଷ୍ଟ ପକ୍ଷରୁ ବାପା ମହୋତ୍ସବ

କଟକ : ଆମେ ଅନେକ ନିଷ୍ପତ୍ତି ନେଇଥାଉ। ହେଲେ ଆମର ବାପା-ମା କିଏ ହେବେ, ଏ ନିଷ୍ପତ୍ତି ଈଶ୍ବର ଆମ ପାଇଁ ନେଇଥାଆନ୍ତି। ଆମେ ବାପା-ମାଙ୍କ ଜରିଆରେ ଦୁନିଆକୁ ଆସିଥାଉ, ତେଣୁ ସେ ଦୁହେଁ ହେଉଛନ୍ତି ଈଶ୍ବରଙ୍କ ପ୍ରତିନିଧି ବୋଲି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଡମ୍ବରୁଧର ମହାନ୍ତି ମେମୋରିଆଲ୍‌ ଟ୍ରଷ୍ଟ ପକ୍ଷରୁ ଓସିଏ କନ୍‌ଫର୍‌ରେନ୍ସ ହଲ୍‌ରେ ଆୟୋଜିତ ‘ବାପା ମହୋତ୍ସବ-୨୦୨୧’ରେ ମୁଖ୍ୟଅତିଥି ଭା‌ବେ ଯୋଗଦେଇଥିଲେ। ସେ କହିଥିଲେ, ବାପା-ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିଭାଙ୍କୁ ସମ୍ମାନିତ କରିବା ପାଇଁ ଆୟୋଜିତ ଏହି ଉତ୍ସବ ଅଧିକ ଗୁରୁତ୍ବ ବହନ କରୁଛି। ‘ଉତ୍କ‌ର୍ଷର ଉପାସନା ସଫଳ ମଣିଷର ଲକ୍ଷଣ’ ବୋଲି କହିବା ସହ ଡକ୍ଟର ପ୍ରଭୁଚରଣ ମହାନ୍ତିଙ୍କୁ ଜଣେ ସଫଳ ବାପାଙ୍କ ସଫଳ ପୁଅ ଭାବେ ବର୍ଣ୍ଣନା କରିଥିଲେ। ଗଣତନ୍ତ୍ରରେ ଉତ୍କର୍ଷର ଉପାସନା ହେଉନାହିଁ। ଏଥିପାଇଁ ମଣିଷର ବଡ଼ ଶତ୍ରୁ ଅହଂକାର ଦାୟୀ। କୃତଜ୍ଞତା ଏହାର ମହୌଷଧୀ ଓ ସମସ୍ତେ କୃତଜ୍ଞ ହେବାକୁ ଶ୍ରୀ ପଟ୍ଟନାୟକ ଏହି ଅବସରରେ ଆହ୍ବାନ ଦେଇଥିଲେ।

ଟ୍ରଷ୍ଟର ସଭାପତି ଶୁଭେନ୍ଦୁ ସ୍ବାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଆଧ୍ୟାତ୍ମିକତା ପାଇଁ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ, ସମାଜସେବା ପାଇଁ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, କୃଷି ପାଇଁ ସୁଜିତ ବେଉରା, ଚିକିତ୍ସା ବିଜ୍ଞାନ ପାଇଁ ଡାକ୍ତର ଅମୃତ ପାଟ୍ଟଯୋଶୀ, ମାତୃଭୂମି ସେବା ପାଇଁ କ୍ୟାପ୍‌ଟେନ୍‌ ଦୁଲ୍ଲଭ କୁମାର ମିଶ୍ରଙ୍କୁ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ‘ସାରଳା ସମ୍ମାନ-୨୦୨୧’ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୁରୀ ଗୋବର୍ଦ୍ଧନ ମଠ ଆଦିତ୍ୟବାହିନୀର ରାଷ୍ଟ୍ରୀୟ ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର, ମୁଖ୍ୟବକ୍ତା ଭାବ‌େ ସେଣ୍ଟ୍‌ ଜାଭିୟର୍ସ ଗ୍ରୁପ୍‌ ମୁଖ୍ୟ ପରିଚାଳନା ନି‌ର୍ଦ୍ଦେଶକ ଡକ୍ଟର ଜି.ଏସ୍‌ ପଟ୍ଟନାୟକ, ଶ୍ରୀଜଗନ୍ନାଥ ମନ୍ଦିର ସେବକ ସୁଦର୍ଶନ ପୂଜାପଣ୍ଡା ସାମନ୍ତ ଯୋଗଦେଇ ଜୀବନରେ ସଫଳତା ପାଇଁ ବାପା-ମାଙ୍କ ପରାମର୍ଶ, ଆଶୀର୍ବାଦ ଅପରିହାର୍ଯ୍ୟ ବୋଲି କହିଥିଲେ।

ଇଞ୍ଜିନିୟର ସମ୍ୟକ୍ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଚାଟାର୍ଡ ଆକାଉଟାଣ୍ଟ୍‌ ସମୀର କୁମାର ପରିଜା, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ସମା‌ଜସେବୀ ଦିବାକର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରଷ୍ଟର ପ୍ରତି‌ଷ୍ଠାତା ଶିକ୍ଷାବିତ ଡକ୍ଟର ପ୍ରଭୁଚରଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର