ପୁଅ ନିଖୋଜ: ଜଗା ଆଶ୍ରାରେ ଜଗନ୍ନାଥ

ପୁରୀ :ସବୁଦିନ ଭଳି ସେ ଟ୍ୟୁସନ ଯାଇଥିଲା। ସକାଳ ୮ଟା ବେଳେ ଯାଇ ୧୦ଟାରେ ଫେରିଆସିବା କଥା। ହେଲେ ସେ ଫେରିନଥିଲା। ଆରମ୍ଭ ହୋଇଥିଲା ଖୋଜାଖୋଜି। କିନ୍ତୁ ମିଳିନଥିଲା ପୁଅ। ସମସ୍ତ ସରକାରୀ ବିଧି ବ୍ୟବସ୍ଥା ଯେମିତି ସ୍ଥାଣୁ ପାଲଟି ଯାଇଥିଲା ପରିବାରବର୍ଗଙ୍କ ପାଇଁ। ପାଗଳପ୍ରାୟ ହୋଇଯାଇଥିଲେ ବାପ-ମା’। ଶେଷରେ ଜଗାର ଆଶ୍ରା ନେଇଛନ୍ତି ବାପା।

ଖୋର୍ଦ୍ଧା ଜିଲ୍ଲା ଅଧୀନ ମହତପଲ୍ଲୀ ଗ୍ରାମର ଜଗନ୍ନାଥ ପରିଡ଼ା। କାନ୍ଧରେ ପୁଅର ଫଟୋକୁ ଝୁଲାଇ ଘୂରି ବୁଲୁଛନ୍ତି ବଡ଼ଦାଣ୍ଡରେ। କେହି କାଳେ ଚିହ୍ନିନେବ ତାଙ୍କ ପୁଅକୁ ଆଉ କହିଦେବ ତାର ଠିକଣା। କାହାକୁ ପୁଅର କଥା କହିବା ବେଳେ ସେ କାନ୍ଦି ପକାଉଛନ୍ତି। ଘରେ ମଧ୍ୟ ଅନୁରୂପ ଅବସ୍ଥା। ପୁଅ ଚିନ୍ତାରେ ମା’ ମଧ୍ୟ ଖାଦ୍ୟ ଛାଡ଼ି ଦେଇଛନ୍ତି। ଦାଣ୍ଡରେ ଯାହାକୁ ଦେଖୁଛନ୍ତି ତାଙ୍କୁ ତାଙ୍କ ପୁଅ ଭଳି ଲାଗୁଛି। ଜାନୁଆରି ୨୪ ତାରିଖ ଦିନ ଏହି ଅଘଟଣ ଘଟିଛି। ୧୩ ବର୍ଷର ପୁଅ ବଣ୍ଟି ଟ୍ୟୁସନ ଯାଇ ଆଉ ଫେରିନାହାନ୍ତି। ଘଟଣାକୁ ଦେଢ଼ମାସ ବିତିବାକୁ ଯାଉଛି। ଯେତିକି ସମ୍ଭାବ୍ୟ ଜାଗା ଉଭୟ ପତିପତ୍ନୀ ଖୋଜି ଖୋଜି ନୟାନ୍ତ ହେଲେଣିି। ହେଲେ ପୁଅ ମିଳୁନି। ପୁରୀକୁ ସମଗ୍ର ଭାରତବର୍ଷର ଲକ୍ଷ ଲକ୍ଷ ଭକ୍ତ ଆସୁଥିବାରୁ କାଳେ କିଏ ଦେଖିଥିବ ସେଥିପାଇଁ ସେ ଦୀର୍ଘ ୧୫ ଦିନ ହେବ ବଡ଼ଦାଣ୍ଡରେ ପଡ଼ିଛନ୍ତି। କେତେବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ତ କେତେବେଳେ ସିଂହଦ୍ଵାର। ଆଉ କେତେବେଳେ ସମୁଦ୍ରକୂଳ।

ସମ୍ବନ୍ଧିତ ଖବର