କଟକ: ଅବିଭକ୍ତ କଟକ ରାଜନୀତିରେ ନିଜନିଜର ବାପାଙ୍କ ପରେ ରାଜନୀତିକୁ ଓହ୍ଲାଇ ସଫଳତାର ସ୍ବାଦ ଚାଖିଥିବା ଏବଂ ୨୦୨୪ରେ ସଫଳତା ହାସଲ ପାଇଁ ଉଦ୍ୟମ ଆରମ୍ଭ କରିଥିବା ନେତାଙ୍କ ସଂଖ୍ୟା ୨୨ରେ ପହଞ୍ଚିଲାଣି। ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି। ଅବିଭକ୍ତ କଟକ ଜିଲ୍ଲା ଅର୍ଥାତ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ରାଜନୀତିରେ ଏଭଳି ରୋଚକ ସ୍ଥିତି ଅନେକ ଦୃଷ୍ଟିରୁ ଗୁରୁତ୍ବ ରଖୁଛି। ଅବିଭକ୍ତ କଟକ ଜିଲ୍ଲାରେ ରହିଛି ୪ଟି ଲୋକସଭା ଆସନ, ୨୫ ବିଧାନସଭା ଆସନ। ଅର୍ଥାତ ଏହି ୮ଟି ଜିଲ୍ଲାରେ ସାଂସଦ ଓ ବିଧାୟକଙ୍କ ସଂଖ୍ୟା ୨୯। କିନ୍ତୁ ସେଥିରୁ ୨୨ଟି ସ୍ଥାନରେ ପୂର୍ବରୁ ବାପାମାନେ ଦଖଲ କରିଥିବା ଆସନରେ ପୁଅମାନେ ପ୍ରତିନିଧିତ୍ବ କରିବା ଅଥବା ପ୍ରତିନିଧିତ୍ବ ଆଶା ରଖିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
ଜିଲ୍ଲାରେ ରହିଛି ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ। କଟକ ଲୋକସଭା ଆସନରୁ ପ୍ରତିନିଧିତ୍ବ କରୁଥିବା ଭର୍ତ୍ତୃହରି ମହତାବ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପୁଅ। ଏବେ ଭର୍ତ୍ତୃହରିଙ୍କ ପୁଅ ଲୋକରଂଜନ ମହତାବ ରାଜନୀତିରେ ଭାଗ୍ୟ ପରୀକ୍ଷା ଯୋଜନାରେ ଅଛନ୍ତି। ଚୌଦ୍ବାର-କଟକ ବିଧାନସଭା ଆସନରୁ ପ୍ରତିନିଧିତ୍ବ କରୁଥିବା ସୌଭିକ ବିଶ୍ବାଳ ହେଉଛନ୍ତି ସେହି ଆସନର ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କ ପୁଅ। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ହେଉଛନ୍ତି ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରାଙ୍କ ପୁଅ। ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କାଳିନ୍ଦୀ ବେହେରାଙ୍କ ପୁଅ। ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ହେଉଛନ୍ତି ସେହି ଆସନର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ। ଅନ୍ୟପଟେ ଆଠଗଡ଼ର ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ (ରାଜା)ଙ୍କ ପୁଅ ଆଦିତ୍ୟ ପ୍ରତାପ ସ୍ବାଇଁ ରାଜନୀତିରେ ଭାଗ୍ୟ ପରୀକ୍ଷା ଯୋଜନାରେ ଥିବା ବେଳେ ମାହାଙ୍ଗାର ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଶରତ କରଙ୍କ ପୁଅ ଶୋଭନ କର ବି ରାଜନୀତିରେ ଭାଗ୍ୟ ପରୀକ୍ଷା ପାଇଁ ଅଭିଯାନ ଆରମ୍ଭ କରି ଦେଇଛନ୍ତି।
ଜଗତସିଂହପୁରରେ ବି ଅନୁରୂପ ସ୍ଥିତି। ଜିଲ୍ଲାରେ ରହିଛି ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଆସନ। ବର୍ତ୍ତମାନର ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପୁଅ। ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁଅ। ଜିଲ୍ଲାର ସବୁଠୁ ପ୍ରଭାବଶାଳୀ ନେତା ଭାବେ ପୂର୍ବରୁ ପରିଚିତ ଥିବା ସ୍ବର୍ଗତ ବସନ୍ତ ବିଶ୍ବାଳଙ୍କ ଦୁଇ ପୁଅ ଚିରଂଜୀବ ବିଶ୍ବାଳ ଓ ରଂଜୀବ ବିଶ୍ବାଳ ବିଧାୟକ ଓ ସାଂସଦ ଭାବେ ପୂର୍ବରୁ ନିର୍ବାଚିତ ହୋଇ ସାରିଛନ୍ତି। ପୂର୍ବ ନିର୍ବାଚନରେ ସେମାନେ ପରାଜୟର ସାମନା କରିଥିଲେ ବି ଆଗକୁ ସଫଳତା ହାସଲ ପାଇଁ ସେମାନେ ଦୌଡରେ ଅଛନ୍ତି। ସ୍ବର୍ଗତ ନିତ୍ୟାନନ୍ଦ ସାମନ୍ତରାୟଙ୍କ ପୁଅ ଦେବାଶିଷ ସାମନ୍ତରାୟ ତିର୍ତ୍ତୋଲ ଓ ବାରବାଟୀ-କଟକ ଆସନରୁ ଏକାଧିକ ଥର ବିଧାୟକ ହୋଇ ସାରିଛନ୍ତି ଏବଂ ୨୦୨୪ରେ ପୁଣି ସଫଳତା ହାସଲ ଯୋଜନାରେ ଅଛନ୍ତି। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବାସୁଦେବ ମହାପାତ୍ରଙ୍କ ପୁଅ ଲଲାଟେନ୍ଦୁ ମହାପାତ୍ର ପୂର୍ବରୁ ବାଲିକୁଦା ଆସନରୁ ବିଧାୟକ ହୋଇ ସାରିଥିବା ବେଳେ ସେ ବି ୨୦୨୪ରେ ସଫଳତା ହାସଲ ଯୋଜନାରେ ରହିଛନ୍ତି।
ବର୍ତ୍ତମାନ ବାଲିକୁଦାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପୁଅ ଆଦିତ୍ୟନନ୍ଦନ ଦାସ ୨୦୨୪ରେ ଭାଗ୍ୟ ପରୀକ୍ଷା ପାଇଁ ରଣନୀତି ପ୍ରସ୍ତୁତି ଚଳାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ରହିଛି ଗୋଟିଏ ଲୋକସଭା ଓ ୫ଟି ବିଧାନସଭା ଆସନ। ଜିଲ୍ଲାର ଅନ୍ୟତମ ପ୍ରଭାବଶାଳୀ ନେତା ସ୍ବର୍ଗତ ଶରତ ଦେବଙ୍କ ପୁଅ ପ୍ରତାପ ଦେବ ଏବେ ଆଳିର ବିଧାୟକ ଓ ରାଜ୍ୟର ମନ୍ତ୍ରୀ। ମହାକାଳପଡ଼ା ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହେଉଛନ୍ତି ପୂର୍ବତନ ବିଧାୟକ ସ୍ବର୍ଗତ ରାଜକିଶୋର ନାୟକଙ୍କ ପୁଅ। ପାଟକୁରା ଆସନରୁ ପ୍ରତିନିଧିତ୍ବ କରୁଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ଯଦିଓ ସେଠାରୁ ପ୍ରତିନିଧିତ୍ବ କରୁଛନ୍ତି କିନ୍ତୁ ଆଗକୁ ସେଠାରେ ଭାଗ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ପୁଅ ସଂଜୟ ଅଗ୍ରୱାଲ। ଜିଲ୍ଲା ତଥା ରାଜ୍ୟର ପ୍ରଭାବଶାଳୀ ନେତା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଯାଜପୁର ଜିଲ୍ଲାରେ ରହିଛି ଗୋଟିଏ ଲୋକସଭା ଆସନ ଓ ୭ ବିଧାନସଭା ଆସନ। ଯାଜପୁର ଆସନର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ହେଉଛନ୍ତି ରାଜ୍ୟର ଅନ୍ୟତମ ପ୍ରଭାବଶାଳୀ ନେତା ସ୍ବର୍ଗତ ଅଶୋକ ଦାସଙ୍କ ପୁଅ। ଜିଲ୍ଲାର ସୁକିନ୍ଦା ଆସନରୁ ପ୍ରତିନିଧିତ୍ବ କରୁଥିବା ପ୍ରୀତିରଂଜନ ଘଡେଇ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ପୁଅ। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ହେଉଛନ୍ତି ପୂର୍ବତନ ବିଧାୟକ କଳ୍ପତରୁ ଦାସଙ୍କ ପୁଅ। ୨୦୨୪ ନିର୍ବାଚନ ବେଳକୁ ଏହି ସଂଖ୍ୟା ଆହୁରି କେତେ ଲମ୍ବିବ ତାହା ଆଗକୁ ସ୍ପଷ୍ଟ ହେବ। କିନ୍ତୁ କଟକ ରାଜନୀତିରେ ‘ବାପାଙ୍କ ପୁଅମାନେ ନିଜର ଯୋଗ୍ୟତା ଭିତ୍ତିରେ ହେଉ ଅଥବା ଉତ୍ତରାଧିକାର ସୂତ୍ରରେ ଯେ ସଫଳତା ହାସଲ କରି ଚାଲିଛନ୍ତି ତାହା ଏଥିରୁ ସ୍ପଷ୍ଟ ହେଉଛି।