‘ଫତୁରାନନ୍ଦ ଥିଲେ ସାମାଜିକ ବିପ୍ଳବୀ’

ଭର୍ଚୁଆଲରେ ୧୦୭ତମ ଜୟନ୍ତୀ ପାଳିତ

କଟକ : ସାଧାରଣ କଥାକୁ ଅସାଧାରଣ କଥାରେ ରୂପାନ୍ତରିତ କରି ସାମାଜିକ ଜୀବନରେ ହାସ୍ୟସୃଷ୍ଟି କରିବାରେ ଫତୁରାନନ୍ଦ ଥିଲେ ସାର୍ଥକ ସ୍ରଷ୍ଟା । ସାମାଜିକ ବ୍ୟବସ୍ଥାକୁ ସଂସ୍କାରିତ କରିବା ଏବଂ ମାନବିକ ମୂଲ୍ୟବୋଧକୁ ବିକଶିତ କରାଇବାରେ ସେ ଯେଉଁ ବୈପ୍ଳବିକ ଭୂମିକା ନିର୍ବାହ କରିଥିଲେ, ତା’ର ପଟ୍ଟାନ୍ତର ନାହିଁ ବୋଲି ବିଶିଷ୍ଟ ହାସ୍ୟସ୍ରଷ୍ଟା ଫତୁରାନନ୍ଦଙ୍କ ୧୦୭ତମ ଜୟନ୍ତୀରେ ମତପ୍ରକାଶ ପାଇଛି ।

ଗତକାଲି ହାସ୍ୟବିକାଶ କେନ୍ଦ୍ର ପକ୍ଷରୁ ହାସ୍ୟବ୍ୟଙ୍ଗ ସାହିତ୍ୟର ଯୁଗସ୍ରଷ୍ଟା ଫତୁରାନନ୍ଦଙ୍କ ୧୦୭ତମ ଜୟନ୍ତୀ ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥିରୂପେ ବିଶିଷ୍ଟ କଥାକାର ଡକ୍ଟର ଗୌରହରି ଦାସ ଯୋଗଦେଇ କହିଥିଲେ ଯେ, ଫତୁରାନନ୍ଦଙ୍କ ସାରସ୍ୱତ ଜୀବନ ଥିଲା ଏକ ଉତ୍ସର୍ଗୀକୃତ ଜୀବନ । ସକଳ ବାଧାବିଘ୍ନକୁ ଅତିକ୍ରମକରି ସେ ଯେପରି ହାସ୍ୟର ତରଙ୍ଗ ସୃଷ୍ଟି କରିଥିଲେ ତାହା ଓଡ଼ିଆ ସାହିତ୍ୟରେ ବିସ୍ମୟକର । ଏଥିରେ ବିଶିଷ୍ଟ ହାସ୍ୟଲେଖକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଫତୁରାନନ୍ଦ ସାହିତ୍ୟର ଗବେଷିକା ଡକ୍ଟର ସଂଘମିତ୍ରା ଭଞ୍ଜ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ହାସ୍ୟବିକାଶ କେନ୍ଦ୍ରର ସଂପାଦକ ପ୍ରଫେସର ବିଜୟାନନ୍ଦ ସିଂହ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ । ଡକ୍ଟର ଶିଶିର ବେହେରା ଧନ୍ୟବାଦ ପ୍ରଦାନ କରିଥିଲା ବେଳେ ଅଧ୍ୟାପକ କମଳ ମାହୁନ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ସମ୍ବନ୍ଧିତ ଖବର