ତ୍ରୁଟିପୂର୍ଣ୍ଣ ବାଗ୍ରାଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ: ୬ କୋଟିର ପ୍ରକଳ୍ପ, ୧୨ବର୍ଷରେ ଅଚଳ

ବର୍ଷାଦିନେ ପୂର୍ଣ୍ଣ ହେଉଛି, ଖରାରେ ଶୁଖିଲା, ଇଟାଭାଟି ପିଉଛି ପାଣି, ଚାଷୀ ଶୋଷିଲା

କୋରାପୁଟ : ଖରିଫ ଋତୁରେ ୫୭୬ ହେକ୍ଟର ଓ ରବି ଋତୁରେ ୩୧୪ ହେକ୍ଟର ଜମିକୁ ଜଳସେଚିତ କରିବା ଲକ୍ଷ୍ୟନେଇ କୋରାପୁଟ ବ୍ଲକ୍‌ରେ ନିର୍ମାଣ ହୋଇଥିଲା ବାଗ୍ରାଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। କିନ୍ତୁ, ବୈଷୟିକ ତ୍ରୁଟି ଏବଂ ନିମ୍ନମାନର କାମ ଯୋଗୁ ୬କୋଟି ଟଙ୍କାର ପ୍ରକଳ୍ପ ବର୍ତ୍ତମାନ ଅଚଳ ହୋଇଯାଇଛି। ଶୁଖିଲା ପଡ଼ିଥିବା ଜଳଭଣ୍ଡାରକୁ ଜବରଦଖଲ କରି ଗଢ଼ିଉଠିଛି ଅନେକ ଇଟାଭାଟି। ଯାହାକିଛି ପାଣି ଗଚ୍ଛିତ ରହୁଛି, ତାହାକୁ ଶୁଖାଇ ଦେଉଛନ୍ତି ବେଆଇନ ଇଟାଭାଟି।

ବାଗ୍ରା ନାଳରେ ପାଣିକୁ ଗଚ୍ଛିତ ରଖି ଚାଷୀଙ୍କୁ ଯୋଗାଇ ଦେବାକୁ ୨୦୦୯ ମାର୍ଚ୍ଚ ମାସ ୧ ତାରିଖରେ ରାଜ୍ୟ ସରକାର ବାଗ୍ରା-ଜଗମଗୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଘୋଷଣା କରିଥିଲେ। ୨୦୧୧ ମସିହାରେ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିଲା। ତଳମୁଣ୍ଡକୁ ଜଳ ଯୋଗାଣ ନିମନ୍ତେ ସେହି ସମୟରେ ପ୍ରାୟ ୪୫ କିଲୋମିଟର କେନାଲ ଖନନ ହୋଇଥିଲା। କିନ୍ତୁ, ଡିଜାଇନ୍‌ରେ ହୋଇଥିବା ତ୍ରୁଟି ତଥା ନିମ୍ନମାନର କାମ ‌ଯୋଗୁ ଅଧିକାଂଶ କେନାଲ ପୋତି ହୋଇସାରିଲାଣି। ବର୍ତ୍ତମାନ ମାତ୍ର ୧୨ରୁ ୧୩ କିଲୋମିଟର ଅଞ୍ଚଳ ଜଳସେଚିତ ହୋଇପାରୁଛି। ୬୩.୬୭ ହେକ୍ଟର ବିଶିଷ୍ଟ ଡ୍ୟାମ୍‌ରେ ଆଦୌ ପାଣି ରହୁନି। ବର୍ଷାଦିନେ ଯେଉଁ ପାଣି ଜମା ହେଉଛି, ବର୍ଷା ଛାଡ଼ିବାପରେ ତାହା ଖାଲି ହୋଇଯାଉଛି। ତେଣୁ ରବି ଫସଲ ପାଇଁ ଚାଷୀ ପାଣି ପାଉନାହାନ୍ତି। ଅନ୍ୟପଟେ ପ୍ରକଳ୍ପ ଆଖପାଖରେ ରହିଥିବା ବେଆଇନ ଇଟାଭାଟି ଚାଷୀଙ୍କ ପାଣି ଶୋଷି ଚାଲିଛି।

ଅପରପକ୍ଷରେ, ଜଳ ନିଷ୍କାସନ ପାଇଁ ଯେଉଁ ବ୍ୟବସ୍ଥା ହୋଇଥିଲା ତାହା ବି ଅଚଳ ହୋଇଯାଇଛି। ଦୁଇଟି କେନାଲ ଗେଟ୍‌ ମଧ୍ୟରୁ ଗୋଟିଏ ଅକାମି। ଜଳସ୍ତର ଅତି ତଳକୁ ଚାଲି ଯାଇଥିବାରୁ ଅନ୍ୟ ଗେଟ୍‌ ଦେଇ ମଧ୍ୟ ଜଳ ନିଷ୍କାସନ ହୋଇପାରୁନି। ଗୋଟିଏ ଜଳସେଚନ ପ୍ରକଳ୍ପର ଅବଧି ୬୦ରୁ ୭୦ବର୍ଷ ହୋଇଥିବା ବେଳେ ମାତ୍ର ୧୧ବର୍ଷ ମଧ୍ୟରେ ଏହି ପ୍ରକଳ୍ପରେ ପାଣି ରହୁନି। ପ୍ରକଳ୍ପ ଆରମ୍ଭ ସମୟରେ ପ୍ରକଳ୍ପରୁ କ୍ୟାଚ୍‌ମେଣ୍ଟ୍‌ ଅଞ୍ଚଳକୁ ବର୍ଷା ଋତୁରେ ୫୫ କ୍ୟୁସିକ ମିଟର ଜଳ ପ୍ରବେଶ କରୁଥିଲା। ଏଥିପାଇଁ ଜଳାଶୟରେ ୪୪ମିଟର ଜଳ ଗଚ୍ଛିତ ରଖିବାକୁ ଯୋଜନା କରାଯାଇଥିଲା। ଚଳିତବର୍ଷ ମାତ୍ର ୫ରୁ ୧୦ମିଟର ଜଳ ରହିଥିବା ଦେଖିବାକୁ ମିଳିଛି। ଚାଷୀଙ୍କ ବ୍ୟବହାରରେ ଏହି ପ୍ରକଳ୍ପ ଲାଗୁନଥିବା ସତ୍ତ୍ବେ ଏଥିପ୍ରତି ପ୍ରଶାସନ କିମ୍ବା ଜଳସେଚନ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଉନି। ଅଚଳ ପ୍ରକଳ୍ପ ଯୋଗୁ ଶହ ଶହ ଏକର ଜମି ଚଳିତ ରବି ଋତୁରେ ପଡ଼ିଆ ପଡ଼ିବା ନିଶ୍ଚିତ ବୋଲି ଚାଷୀ କହିଛନ୍ତି।

ଏ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ପ୍ରକଳ୍ପର ବାମ ପାର୍ଶ୍ବ କେନାଲ ଖୋଳା ଯାଇଥିବା ବେଳେ ଡାହାଣ ପାର୍ଶ୍ବ‌ କେନାଲ ଖୋଳା କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଲୋକ ମୁଖ୍ୟ ଫାଟକୁ ବାରମ୍ବାର ଖୋଳି ଦେଉଥିବାରୁ ପାଣି ରହୁନି। ଆଗମୀ ଦିନରେ ଜଳ ଯେମିତି ଗଚ୍ଛିତ ରହିବ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର