ସାରା ରାଜ୍ୟରେ ୧୧୨୦ଟି ଔଷଧ ଦୋକାନରୁ କିଣିହେବ ଫାଭିପିରାଭିର, ଅନୁମତି ଦେଲେ ଓଡ଼ିଶା ସରକାର

ଭୁବନେଶ୍ବର : ଏଣିକି କରୋନା ଔଷଧ ଫାଭିପିରାଭିର ସାରା ରାଜ୍ୟରେ ଉପଲବ୍ଧ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘରେ ସଂଗରୋଧରେ ଥିବା ରୋଗୀମାନଙ୍କୁ ଏହା ଯୋଗାଇଦିଆଯିବ ।  ଏହି ଔଷଧ ସରକାରଙ୍କ ଦ୍ବାରା ଯୋଗାଇଦିଆଯିବ । ଏହା ସହିତ ସ୍ବୀକୃତିପ୍ରାପ୍ତ ଔଷଧ ଦୋକାନରୁ ମଧ୍ୟ ଏହି ଔଷଧକୁ ରୋଗୀମାନେ କିଣିପାରିବେ । ଏଥିଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

ରାଜ୍ୟ ଔଷଧ ମହାନିୟନ୍ତ୍ରକଙ୍କ ପକ୍ଷରୁ ଜାରି ଏକ ଆଦେଶ ଅନୁସାରେ ସାରା ରାଜ୍ୟର ୧୧୨୦ଟି ଔଷଧ ଦୋକାନରେ ଏହା ଉପଲବ୍ଧ ହେବ । ରାଜ୍ୟର ୫ଟି ନଗର ନିଗମ ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ୪୦ଟି ଲେଖାଏଁ ଔଷଧ ଦୋକାନରେ ଏହା ଉପଲବ୍ଧ ହେବ । ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ ଫାଭିପିରାଭିର ମିଳିବାକୁ ଥିବା ସର୍ବାଧିକ ଔଷଧ ଦୋକାନ ସଂଖ୍ୟା ନିର୍ଦ୍ଧାରିତ କରାଯାଇଛି ।

କେଉଁମାନେ ଫାଭିପିରାଭିର ଖାଇପାରିବେ ?

ଏହି ଔଷଧର ବ୍ୟବହାର ସମ୍ପର୍କରେ କିଛିଦିନ ତଳେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଇଣ୍ଟରନାଲ ମେଡିସିନ ବିଭାଗ ମୁଖ୍ୟ ଡ.ଜୟନ୍ତ ପଣ୍ଡା ସୂଚନା ଦେଇଥିଲେ ।  ଯେଉଁମାନଙ୍କ କୋଭିଡ ପଜିଟିଭ ବାହାରିଛି ଓ ସେମାନେ ଘରେ ସଂଗରୋଧରେ ଅଛନ୍ତି, ସେମାନେ ଡାକ୍ତରଙ୍କ ପରାମର୍ଶକ୍ରମେ ଏହି ଔଷଧ ଖାଇପାରିବେ । ମାତ୍ର ଯେଉଁ ରୋଗୀ ଲକ୍ଷଣଯୁକ୍ତ ହୋଇଥିବେ ଓ ତାଙ୍କର କିଡନୀ ରୋଗ, ଗାଉଟ (ଉଚ୍ଚ ୟୁରିକ ଏସିଡ), ଲିଭର ରୋଗ ଆଦି ନଥିବ, ସ୍ତ୍ରୀଲୋକ ହୋଇଥିଲେ ସେ ଗର୍ଭଧାରଣ କରିନଥିବେ, ତେବେ ତାଙ୍କୁ ଏହା ଦିଆଯାଇପାରିବ । ଆହୁରି ମଧ୍ୟ ରୋଗୀଙ୍କ ଲିଖିତ ସମ୍ମତି ପରେ ହିଁ ଏହି ଔଷଧ ଦିଆଯିବ । ସରକାର ୫ ଦିନର ଔଷଧ ପ୍ରଦାନ କରିବେ । ପ୍ରଥମ ଦିନ ୯ଟି ବଟିକା ସକାଳେ ଓ ୯ଟି ବଟିକା ସଂଧ୍ୟାବେଳେ ଖାଇବେ । ୨ୟରୁ ୫ମ ଦିନ ପର୍ଯ୍ୟନ୍ତ ୪ଟି ବଟିକା ସକାଳେ ଓ ୪ଟି ବଟିକା ସଂଧ୍ୟାବେଳେ ଖାଇବେ ।

ସମ୍ବନ୍ଧିତ ଖବର