ଭୁବନେଶ୍ୱର: ବାତ୍ୟା ‘ଫନି’ ପାଇଁ ସୋସିଆଲ୍ ମିଡିଆ ‘ଫେସ୍ବୁକ୍’ରେ ଆରମ୍ଭ ହୋଇଯାଇଛି ‘ଆଇ ଆମ୍ ସେଫ୍’ ଅଭିଯାନ। ଏହା ଏକ ଏପରି କ୍ୟାମ୍ପେନ୍ ଯାହା ଜରିଆରେ ଆପଣଙ୍କ ଶୁଭେଚ୍ଛୁମାନେ ଆପଣଙ୍କ ପାଖକୁ ପଠାଇଥିବା ଅନୁରୋଧକୁ ଆପଣ ଗ୍ରହଣ କରିବା ସହ ସୁରକ୍ଷିତ ଅଛନ୍ତି ବୋଲି ‘ଆଇ ଆମ୍ ସେଫ୍’ ରେ କ୍ଲିକ୍ କରି ଜଣାଇ ପାରିବେ।
ଏହା ଏବେ ଆକାଉଣ୍ଟ୍ରୁ ଆକାଉଣ୍ଟ୍କୁ ବୁଲି ଚାଲିଛି। ନୋଟିଫିକେସନ୍ ସ୍ଥାନରେ ଏହି କ୍ୟାମ୍ପେନ ଆପଣଙ୍କୁ ଦୃଶ୍ୟମାନ ହୋଇଥିବ ନିଶ୍ଚୟ! ତେବେ, ଏହା ଏକ ବାଧ୍ୟତାମୂଳକ ଅଭିଯାନ ନୁହେଁ। ନ ଚାହୁଁଥିବା ଲୋକେ ଏହାକୁ ଅଣଦେଖା ମଧ୍ୟ କରିପାରନ୍ତି। ମାତ୍ର କେହି ଏହି ଅଭିଯାନ ଜରିଆରେ ନିଜର ସଂପର୍କୀୟ କିମ୍ବା ଶୁଭେଚ୍ଛୁଙ୍କୁ ନିଜ ନିରାପତ୍ତା ସଂପର୍କରେ ବାର୍ତ୍ତା ଦେବାକୁ ଚାହିଁଲେ ଦେଇପାରନ୍ତି।
ବାତ୍ୟା ସମୟରେ ବା ବାତ୍ୟା ପରେ ମୋବାଇଲ୍ ନେଟ୍ଓ୍ଵାର୍କର କିଛି ଠିକ୍ ଠିକଣା ରହୁନଥିବା ହେତୁ ଫେସ୍ବୁକ୍ରେ ଏହି ଅଭିଯାନକୁ ବେଶ୍ ଗୁରୁତ୍ୱ ଦିଆ ଯାଉଥିବାର ଦେଖିବାକୁ ମିଳିଛି। ଏଥିରେ ସକ୍ରିୟ ରହିବା ଖୁବ୍ ସହଜ। ଆପଣଙ୍କ ନିକଟକୁ ଆସିଥିବା ନୋଟିଫିକେସନରେ କ୍ଲିକ୍ କରିବା ପରେ ଆପଣ ‘ଆଇ ଆମ୍ ସେଫ୍’ ରେ କ୍ଲିକ୍ କରି ନିଜ ସୁରକ୍ଷା ସଂପର୍କରେ ଜଣାଇ ପାରିବେ। ଏହାବ୍ୟତୀତ ଆପଣ ଏହାକୁ ଅନ୍ୟ କାହାକୁ ବି ପଠାଇ ପାରିବେ।