ଏଫ୍‌ସିଆଇ, ମିଲର୍ସ ଢିଲାପଣରୁ ଚାଷୀ ହତାଶ: ଏଫ୍‌ସିଆଇ ନେଉନି ଚାଉଳ; ମିଲର୍ସ ଉଠାଉନି ଧାନ

ଖରିଫର ୮ଲକ୍ଷ ୧୬ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ବ ଚାଉଳ ପଡ଼ିରହିଛି
ମହଜୁଦ୍ ପାଇଁ ଜାଗା ନଥିବାରୁ ଧାନସଂଗ୍ରହ ବିଳମ୍ବ ହେଉଛି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମିଲର୍ସ ଗତ ଖରିଫ ଧାନ କଷ୍ଟମ ମିଲିଂର ଚାଉଳ ଏଯାଏ ଦେଇନାହାନ୍ତି। ଗତ ଖରିଫ୍‌ ଧାନର ପ୍ରାୟ ୮ ଲକ୍ଷ ୧୬ ହଜାର କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଚାଉଳ ଏପର୍ଯ୍ୟନ୍ତ ପଡ଼ିରହିଛି। ଧାନ ଉଠାଣରେ ବିଳମ୍ବ ପଛରେ ଏହା ଏକ ପ୍ରମୁଖ କାରଣ ବୋଲି ଅନୁସନ୍ଧାନରୁ ଜଣାଯାଇଛି। ଏଫସିଆଇ କଷ୍ଟମ ମିଲିଂ ବାବଦର ଚାଉଳ ‌ନେଉନଥିବାରୁ ମିଲ୍‌ ଗୋଦାମରେ ସ୍ଥାନାଭାବ ଦେଖାଦେଇଛି। ଏହି କାରଣରୁ ରବିଧାନ ମହଜୁଦ ରଖିବାରେ ସମସ୍ୟା ଉପୁଜିବାକୁ ଥିବାରୁ ଜାଣିଶୁଣି ଧାନ ସଂଗ୍ରହରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ସମସ୍ତ ପ୍ରକ୍ରିୟା ଭିତରେ ପେଶି ହେଉଛନ୍ତି ଶହଶହ ଚାଷୀ। ଗୋଦାମ ସମସ୍ୟା ଆଳ ଦେଖାଇ ମିଲର୍ସ ଧାନ ଉଠାଣରେ ବିଳମ୍ବ ଯୋଗୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟସରକାର ଏଥିରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି।

କଳାହାଣ୍ଡି ଜିଲ୍ଲାରେ ମିଲର୍ସମାନେ ରାଜ୍ୟ ସରକାରଙ୍କ ଆରଆରସି ଓ କେନ୍ଦ୍ର ସରକାରଙ୍କ ଏଫ୍‌ସିଆଇକୁ କଷ୍ଟମ ମିଲିଂ ଚାଉଳ ଦେଇଥା’ନ୍ତି। କଳାହାଣ୍ଡି ଜିଲ୍ଲାରେ ଗତ ଖରିଫ ଧାନ କିଣାରେ ୪୦ ଲକ୍ଷ ୬୧ହଜାର ୧୪୮ କ୍ବିଣ୍ଟାଲ ଧାନ ୭୪ ଜଣ ମିଲର୍ସ କଷ୍ଟମ ମିଲିଂ ନିମନ୍ତେ ନେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଆର୍‌ଆର୍‌ସି ପକ୍ଷରୁ ୧୧ ଲକ୍ଷ ୯୯ ହଜାର ୩୩୨ କ୍ବିଣ୍ଟାଲ ଚାଉଳ ନିଆଯାଇଛି। ସେହିଭଳି ଏଫସିଆଇ ପକ୍ଷରୁ ୧୧ ଲକ୍ଷ ୪୯ ହଜାର ୮୬୯ କ୍ବିଣ୍ଟାଲ ଚାଉଳ ନିଆଯାଇଛି। ସମୁଦାୟ ୨୩ଲକ୍ଷ ୪୯ ହଜାର ୨୦୧ କ୍ବିଣ୍ଟାଲ ଚାଉଳ ମିଲର୍ସମାନେ ପ୍ରଦାନ କରିଛନ୍ତି। ଆହୁରି ୮ଲକ୍ଷ ୧୬ ହଜାର ୧୭୨ କ୍ବିଣ୍ଟାଲ ଚାଉଳ ବକେୟା ରହିଛି। ଗତ ଫେବ୍ରୁଆରି ମାସରେ ଏଫସିଆଇ ପକ୍ଷରୁ ଆଦୌ ଚାଉଳ ଗ୍ରହଣ କରାଯାଇ ନଥିଲା। ସେହିଭଳି ମାର୍ଚ୍ଚ, ଏପ୍ରିଲ, ମେ ମାସରେ ଚାଉଳ ଗ୍ରହଣ କରିବାରେ ବିଳମ୍ବ ଯୋଗୁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାରେ ଗତ ଜୁନ ୬ ତାରିଖ ସୁଦ୍ଧା ଖରିଫ ଧାନର କଷ୍ଟମ ମିଲିଂ ୬୩ଜଣ ମିଲର୍ସଙ୍କ ଉଷୁନା ଚାଉଳ ୮ଲକ୍ଷ ୧୬ ହଜାର କ୍ବିଣ୍ଟାଲରୁ ଅଧିକ ବକେୟା ରହିଛି। ସେହିଭଳି କଳାହାଣ୍ଡି ଜିଲ୍ଲାରେ ୧୧ ଜଣ ମିଲର୍ସ ଅରୁଆ ଚାଉଳ ନିମନ୍ତେ କଷ୍ଟମ ମିଲିଂ ନେଇଥିଲେ। ଏଥିନିମନ୍ତେ ୨ଲକ୍ଷ ୫୧ ହଜାର ୯୦୨ କ୍ବିଣ୍ଟାଲ ଧାନ ଖରିଫବେଳେ ଉଠାଣ କରିଥିଲେ। ଏପର୍ଯ୍ୟନ୍ତ ସେମାନେ ଆରଆରସିକୁ ୩୧୪୫ କ୍ବିଣ୍ଟାଲ ଚାଉଳ ଆରଆରସିକୁ ଦେଇଥିବାବେଳେ ଏଫସିଆଇକୁ ୬୮ ହଜାର ୩୯୬ କ୍ବିଣ୍ଟାଲ ଚାଉଳ ଦେଇଛନ୍ତି। ସମୁଦାୟ ୭୧ ହଜାର ୫୮୧ କ୍ବିଣ୍ଟାଲ ଅରୁଆ ଚାଉଳ କଷ୍ଟମ ମିଲିଂ ଦେଇଛନ୍ତି। ବର୍ତ୍ତମାନ ୯୫ ହଜାର ୫୦୫ କ୍ବିଣ୍ଟାଲ ଅରୁଆ ଚାଉଳ କଷ୍ଟମ ମିଲିଂ ବକେୟା ରହିଛି। ଜିଲ୍ଲାରେ ୪୨.୮୪% ଅରୁଆ ଚାଉଳ ପ୍ରଦାନ କରିଥିବାବେଳେ ୭୪.୨୨% ଉଷୁନା ଚାଉଳ କଷ୍ଟମ ମିଲିଂ କରି ପ୍ରଦାନ କରାଯାଇଛି।

ଜିଲ୍ଲାରେ ମିଲର୍ସମାନେ ଏଫସିଆଇର ବିଳମ୍ବ ଚାଉଳ ଉଠାଣ ଯୋଗୁଁ ବର୍ତ୍ତମାନ ଏହାର ପ୍ରଭାବ ରବି ଚାଷର ମଣ୍ଡିମାନଙ୍କରେ ପରିଲକ୍ଷିତ ହେଉଛି। ମିଲର୍ସମାନେ ଜାଣିଶୁଣି ବ୍ୟାପକ କଟନିଛଟନି କରି ଚାଷୀଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମତାତିରେ ବେହାଲ କରୁଛନ୍ତି। ଏଫସିଆଇର ଚାଉଳ ଉଠାଣ ନିମନ୍ତେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ମିଲର୍ସମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ଆଗକୁ ମୈାସୁମୀ ବର୍ଷା ଆସୁଥିବା ଯୋଗୁଁ ମଣ୍ଡିରେ ଥିବା ଧାନ ଗୁଡିକ ବିକ୍ରି ନେଇ ଅଚଳା ଅବସ୍ଥା ଜାରି ରହିଥିବା ଯୋଗୁଁ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ ଉଠାଣ ନେଇ ମିର୍ଲସଙ୍କ ଉପରେ ତାଗିଦ କରୁ ନଥିବା ଯୋଗୁଁ ମଣ୍ଡି ମାନଙ୍କରେ ଅଚଳାବସ୍ଥା ଦେଖାଦେଇଛି। ତୁରନ୍ତ ରାଜ୍ୟ ସରକାର ଚାଉଳ ଉଠାଣ ନେଇ ଠୋସ୍‌ ପଦକ୍ଷେପ ନନେଲେ ମଣ୍ଡିର ଅଚଳାବସ୍ଥା ମଧ୍ୟ ଜାରି ରହିବ ବୋଲି ଚାଷୀମାନେ କହିଛନ୍ତି। ରାଜ୍ୟ ସରକାର ଏନେଇ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର