ଭଦ୍ରକ: କୃଷି ଓ କୃଷକ ବିରୋଧୀ ଖାଦ୍ୟ ନିରାପତ୍ତା ବିପନ୍ନକାରୀ କଳା କୃଷି ଆଇନ ବାତିଲ ଓ ଭାରତୀୟ ଖାଦ୍ୟ ନିଗମକୁ ବଞ୍ଚାଇବା ଦାବି କରି ଅଖିଳ ଭାରତ କୃଷକ ସଭା ସହବଂଧିତ ଓଡିଶା କୃଷକ ସଭା ଓ ଅନ୍ୟାନ୍ୟ କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତୀୟ ଖାଦ୍ୟ ନିଗମ ଭଦ୍ରକ ଶାଖା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସ୍ଥାନୀୟ ରାଣିତାଲ ବଜାରରୁ ଏକ ଲାଲ ଶୋଭାଯାତ୍ରା ବାହାରି ଏହା ଖାଦ୍ୟ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା।
ପ୍ରକାଶ ଥାଉକି ୧୯୬୪ମସିହାରେ ଆମ ଦେଶର ଖାଦ୍ୟ ନିଗମ ଆଇନ ପ୍ରଣୟନ ହୋଇଥିଲା । ସେହି ଆଇନ ଅନୁଯାୟୀ ୧୯୬୫ ମସିହା ଜାନୁଆରୀ ୧୪ ତାରିଖରେ ଭାରତୀୟ ଖାଦ୍ୟ ନିଗମ( ଏଫସିଆଇ) ଗଠିତ ହୋଇଥିଲା । ସେତେବେଳେ ଏହାର ମୂଳ ଲକ୍ଷ୍ୟ ଥିଲା ଭାରତର ଖାଦ୍ୟ ଶସ୍ୟ କିଣିବା, ଶତକଡ଼ା ୧୫ ରୁ ୨୦ ଭାଗ ଖାଦ୍ୟ ଶସ୍ୟ ମହଜୁଦ ରଖିବା । ସାଧାରଣ ଗଣବଣ୍ଟନ ବ୍ୟବସ୍ଥାରେ ସାଧାରଣ ଲୋକଙ୍କୁ ଖାଦ୍ୟ ଯୋଗାଣ , ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବା। ସେଥିପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ସବସିଡି ଦେବାର ବ୍ୟବସ୍ଥା କରିଥିଲେ।

Advertisment

ଏହି ଏଫସିଆଇକୁ ଉଠାଇ ଦେବା ଲକ୍ଷ୍ୟରେ ମୋଦୀ କ୍ଷମତାକୁ ଆସିଲା ପରେ ବାଜପେୟୀ ସରକାର ସମୟରେ ଥିବା ତତ୍କାଳୀନ ଖାଦ୍ୟ ମନ୍ତ୍ରୀ ତଥା ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶାନ୍ତା କୁମାରଙ୍କ ନେତୃତ୍ଵରେ ଏକ କମିସନ ଗଠନର ପ୍ରହସନ କରି ଏଫସିଆଇକୁ ଦୁର୍ବଳ କରିବାର ବ୍ୟବସ୍ଥା କରିଛନ୍ତି । ବିଶେଷକରି ନିକଟ ଅତୀତରେ ମୋଦୀ ସରକାର ଆଣିଥିବା କଳା କୃଷି ଆଇନ ଅନୁଯାୟୀ ବିଭିନ୍ନ ରାଜ୍ୟ ଏଫସିଆଇ ପରିସର ବାହାରକୁ ପଳାଇଯିବ । ସେହି ବାଦ୍ ପଡୁଥିବା ରାଜ୍ୟ ଭିତରେ ଆମ ରାଜ୍ୟ ଓଡ଼ିଶା ଅଛି । ଏହି ଜଘନ୍ୟ ଷଡଯନ୍ତ୍ର ଭିତରେ ରହିଛି ପୁଞ୍ଜିପତିମାନଙ୍କ ହାତରେ ଖାଦ୍ୟସାମଗ୍ରୀ ମହଜୁଦ କରିବାର କ୍ଷମତା ଅର୍ପଣ ର ଷଡଯନ୍ତ୍ର ଓ ସାଧାରଣ ଗଣବଣ୍ଟନ ବ୍ୟବସ୍ଥାକୁ ଉଠାଇବାର ଷଡଯନ୍ତ୍ର।

ସେଥିପାଇଁ ଦେଶବ୍ୟାପୀ ଆଜି ଏଫସିଆଇ ବଞ୍ଚାଅ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭଦ୍ରକ ଏଫସିଆଇ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ନାୟକ ସଭାପତିତ୍ୱ କରିଥିବା ବେଳେ ସଂପାଦକ ପ୍ରଭାସ ମହାପାତ୍ର, ଯୁଗ୍ମ ସଂପାଦକ ବିକାଶ ନାଥ, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟ ସିଂହ ନାୟକ, କୃଷକ ନେତା ନିରଞ୍ଜନ ପାଣି, ରାଧା ଦାସ, କାଳନ୍ଦୀ ପାତ୍ର, ମଳୟ ଭୋଇ, ବିଷ୍ଣୁ ଦାଶ,ଗିରିଧାରୀ ନାଥ, ଚାଷୀ ନେତା ସମର ବଳ, ସଂଗ୍ରାମ ବଳ, ବରିଷ୍ଠ ଚାଷୀ ନେତା ବୈଲୋଚନ ଜେନା, ରବିନ୍ଦ୍ର ନାୟକ,ନାରାୟଣ ଦାଶ,ଗୟାଧର ନାୟକ, ମାର୍କଣ୍ଡ ଜେନା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଏଫସିଆଇକୁ ବଞ୍ଚାଇବାକୁ ଚାଷୀମାନେ ଜୀବନ ଦେବାକୁ ପ୍ରସ୍ତୁତ ବୋଲି ଚାଷୀ ନେତାମାନେ କହିଥିଲେ।