ଖରାଦିନିଆ ବାତ୍ୟା ଡର: ସତର୍କ ରହିବାକୁ ନିର୍ଦ୍ଦେଶ, ୩ ବର୍ଷରେ ତିନିଟି ବାତ୍ୟା ମାଡ଼ ହୋଇଛି

ମେ’ ମାସରେ ଡରାଇଲାଣି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୫ଟି ଆର୍‌ଓ ପ୍ଲାଣ୍ଟ କିଣିବ

ଭୁବନେଶ୍ବର: ରାଜ୍ୟ‌ରେ ଏବେ ପ୍ରବଳ ଖରା ଯୋଗୁଁ ଲୋକ ଅସ୍ତବ୍ୟସ୍ତ ହୋଇଗଲେଣି। ଏପ୍ରିଲ ଖରା ଅସହ୍ୟ ହେଉଥିବା ବେଳେ ମେ’ରେ ସ୍ଥିତି ଅଣାୟତ୍ତ ହୋଇପାରେ। ଏତିକିବେଳେ ମେ’ ମାସରେ ବାତ୍ୟା ଭୟ ଘାରିଛି। ଗତ ତିନି ବର୍ଷ ହେଲା ମେ’ ମାସରେ ଓଡ଼ିଶାରେ ବାତ୍ୟା ମାଡ଼ ହେଉଥିବାରୁ ଏଥର ମେ’ ମାସରେ ବାତ୍ୟା ହେବନି ତ? ଯଦି ବାତ୍ୟା ‌ହୁଏ କେମିତି ତା’ର ମୁକାବିଲା କରାଯିବ ସେ ଚିନ୍ତା ଏବେ ସରକାରଙ୍କୁ ଘାରିଲାଣି।

୩ ମେ’ ୨୦୧୯ରେ ଫନି, ୨୦ ମେ’ ୨୦୨୦ରେ ଅମ୍ଫାନ, ୨୬ ମେ’ ୨୦୨୧ରେ ୟାସ୍ ବାତ୍ୟା ଓଡ଼ିଶ‌ାରେ ପ୍ରଳୟ ରଚିଛି। ସାଧାରଣତଃ ସେ‌ପ୍ଟେମ୍ବର ଓ ଅକ୍ଟୋବର ମାସରେ ଓଡ଼ିଶାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଗତ ତିନି ବର୍ଷ ହେଲେ ଖରାଦିନିଆ ବାତ୍ୟା ଲୋକଙ୍କ ମନରେ ଭୟ ସୃଷ୍ଟି କରିଦେଇଛି। ଏପରିକି ବିଗତ ବର୍ଷଗୁଡ଼ିକରେ ଖରାଦିନିଆ ବାତ୍ୟା ପାଇଁ ପୂର୍ବ ପ୍ରସ୍ତୁତି ଠିକ୍ ଭାବେ ହୋଇପାରୁନଥିବାରୁ ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ମୁକାବିଲାରେ କିଛି ସମସ୍ୟା ଦେଖାଦେଇଥିଲା। ତେଣୁ ମେ’ ପୂର୍ବରୁ ରାଜ୍ୟ ସରକାର ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାସହ ୨୦୨୨ ବର୍ଷ ପାଇଁ ସବୁ ବିଭାଗ ଏପ୍ରିଲ ୩୦ ସୁଦ୍ଧା ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରି ଦେବାକୁ ସ୍ବତନ୍ତ୍ର ରିଲିଫ କମିସନର ତଥା ଉନ୍ନୟନ କମିସନର ପି.କେ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଭିତ୍ତି କରି ମେ ୧୫ ସୁଦ୍ଧା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହେବ। ବାତ୍ୟା ହେଲେ ଯେପରି ମୋବାଇଲ୍‌, ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହେବନି ସେନେଇ ସରଞ୍ଜାମ ଲଗାଇବା, ଷ୍ଟାଣ୍ଡବାଇ ମୋବାଇଲ ଟାୱାର, ସେଲ୍‌ ଅନ୍‌ ହୁଇଲ୍‌, ତୁରନ୍ତ ମରାମତି କରିବା ପାଇଁ ସରଞ୍ଜାମ ରଖିବା, ବିଦ୍ୟୁତ ସଂଯୋଗ କଟିଲେ ଜରୁରୀ ବ୍ୟବସ୍ଥା ପାଇଁ ଟେଲିକମ୍‌ ସଂସ୍ଥାଗୁଡ଼ିକ ଡିଜି ସେଟ୍ ସହ ଆବଶ୍ୟକ ତେଲ ସଂରକ୍ଷିତ ରଖିବା ନେଇ ସମସ୍ତ ବ୍ୟବସ୍ଥା କରିବାକୁ ‌ଟେଲିକମ୍ ନିର୍ଦ୍ଦେଶକଙ୍କୁ କୁହାଯାଇଛି।

ବାତ୍ୟା ପରେ ଉଦ୍ଧାର କାର୍ଯ୍ୟ ଏବଂ ଜରୁରୀ ସେବା ଯୋଗାଇବାରେ ଓଡ୍ରାଫ୍, ଅଗ୍ନିଶମ ବିଭାଗ ଏବଂ ଓଏଫ୍‌ଡିସି କର୍ମଚାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ସେମାନଙ୍କୁ ପ୍ରସ୍ତୁତ ରଖିବାକୁ ଗୃହ, ଜଙ୍ଗଲ ଓ ପରିବେଶ ବିଭାଗକୁ କୁହାଯାଇଛି। ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଟାୱାର ଲାଇଟ୍, ଯାନ୍ତ୍ରିକ କରତ, ବୋଟ୍‌ ସହ ପ୍ରସ୍ତୁତ ରହିବେ। ଓଡ୍ରାଫ୍ କର୍ମଚାରୀଙ୍କୁ ଏବେ ଆଇନଶୃଙ୍ଖଳା କାର୍ଯ୍ୟରେ ମୁତୟନ କରାନଯାଇ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରଖାଯିବ, ପାଣି ଭିତରେ ତାଲିମ୍‌ ଦେବା ପାଇଁ ଅଗ୍ନିଶମ ବିଭାଗ ସୁଇମିଂ ପୁଲ୍‌ ପ୍ରସ୍ତୁତ କରିବ। ଗଛ ଉପୁଡ଼ିଲେ, ଡାଳ ଭାଙ୍ଗି ରାସ୍ତାରେ ପଡ଼ିଲେ ଏହାକୁ ତୁରନ୍ତ ଉଠାଇବାକୁ ଓଏଫ୍‌ଡିସି ପ୍ରସ୍ତୁତ ରହିବାକୁ କୁହାଯାଇଛି।

ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ୮୭୯ଟି ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଏଠାରେ ଆଶା/ଅଙ୍ଗନବାଡି ଏବଂ ମହିଳା ହୋମଗାର୍ଡଙ୍କୁ ନିୟୋଜିତ କରାଯିବ। ଶୁଖିଲା ଖାଦ୍ୟ, ଆଶୁ ଚିକିତ୍ସା ବାକ୍ସ, କ୍ଷୀର ପାଉଡର୍, ସାନିଟାରି ସାମଗ୍ରୀ ଯୋଗାଯିବ। ସେହିପରି ସ୍ବାସ୍ଥ୍ୟ ବିଭାଗ ସମସ୍ତ ପ୍ରାଥମିକ, ଗୋଷ୍ଠୀ ଏବଂ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ଘଣ୍ଟିଆ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ସହ ସମ୍ବେଦନଶୀଳ ଅଞ୍ଚଳର ଗର୍ଭବତୀ ମହିଳାମାନଙ୍କୁ ଏଠାକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଆବଶ୍ୟକୀୟ ଗୋଖାଦ୍ୟ, ଘାସ, ଔଷଧ ମହଜୁଦ୍ ରଖିବାକୁ କୁହାଯାଇଛି। ବାତ୍ୟା ପରେ ତୁରନ୍ତ ସମସ୍ତ ପ୍ରମୁଖ ରାସ୍ତାକୁ ପରିଷ୍କାର କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି। ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପଞ୍ଚୟତିରାଜ ଓ ପାନୀୟ ଜଳ ବିଭାଗକୁ କୁହାଯାଇଛି। ଏବେ ବିଭାଗ ପାଖରେ ୫ଟି ଆର୍‌ଓ ପ୍ଲାଣ୍ଟ ଥିବାବେଳେ ଆଉ ୫ଟି ଆର୍‌ଓ ପ୍ଲାଣ୍ଟ କିଣିବାକୁ କୁହାଯାଇଛି। ବିଦ୍ୟୁତ ସେବା ଯେପରି ତୁରନ୍ତ ମରାମତି ହୋଇପାରିବ ସେଥିପାଇଁ ବିଭିନ୍ନ ବିଦ୍ୟୁତ ଯୋଗାଣ କମ୍ପାନିକୁ ପ୍ରସ୍ତୁତ ରଖିବାକୁ ଶକ୍ତି ବିଭାଗକୁ କୁହାଯାଇଛି। ଖାଦ୍ୟ ଓ ଯୋଗାଣ ବିଭାଗ ଆଗୁଆ ଚୁଡ଼ା, ଗୁଡ଼, ମହମବତୀ, ଦିଆସିଲି, ତୁରନ୍ତ ରୋଷେଇ କରି ଖାଇବା ଭଳି ସାମଗ୍ରୀ କିଣିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର