କନ୍ଧମାଳରେ ଲାଲ୍‌ ଭୟ: ସୀମାନ୍ତ ଗଞ୍ଜାମ ଚିନ୍ତା ବଢ଼ିଲା 

ପଞ୍ଚାୟତ ନିର୍ବାଚନ ପରିଚାଳନା ଚ୍ୟା‌ଲେଞ୍ଜ୍‌ପୂର୍ଣ୍ଣ

ଭଞ୍ଜନଗର : ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ କନ୍ଧମାଳରେ ଲାଲ୍‌ବାହିନୀର ହିଂସା ଓ ଭୋଟ ବର୍ଜନ ଚେତାବନୀ ରାଜ୍ୟ ସରକାରଙ୍କ ଆଖିରୁ ନିଦ ହଜାଇସାରିଲାଣି। ଗତ ଏକ ସପ୍ତାହ ଧରି ମାଓବାଦୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର୍ ମାରି ସେମାନଙ୍କ ସ୍ଥିତି ଜାହିର୍ କରିବା ସାଙ୍ଗକୁ ରାସ୍ତା କାମରେ ନିୟୋଜିତ ଟ୍ରାକ୍ଟର୍ ଓ ଜେସିବିକୁ ପୋଡ଼ିସାରିଛନ୍ତି। ଏପରିକି ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ଫଳରେ କନ୍ଧମାଳ-ଗଞ୍ଜାମ ସୀମାନ୍ତ ତଥା ମାଓପ୍ରବଣ ଇଲାକା ଭାବେ ପରିଚିତ ଘୁମୁସରର କିଛି ଦୁର୍ଗମ ଇଲାକାରେ ଚିନ୍ତା ବଢ଼ିଛି। ଆଉ ଏଠାରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ଏବଂ ଲୋକଙ୍କ ସୁରକ୍ଷା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ଦିନେ ଲାଲବାହିନୀର ସଂପୂର୍ଣ୍ଣ ଅକ୍ତିଆରରେ ଥିବା କନ୍ଧମାଳ-ଗଞ୍ଜାମ ସୀମାନ୍ତ ଘୁମୁସର ବନାଞ୍ଚଳ ପୁଣି ଆଲୋଚନାର ପ୍ରସଙ୍ଗକୁ ଆସିଛି। ବର୍ତ୍ତମାନ ଏହି ବନାଞ୍ଚଳରେ ମାଓବାଦୀଙ୍କ ଗତିବିଧି ନାହିଁ ସତ। ତଥାପି ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଲକ୍‌ର କିଛି ସୀମାନ୍ତ ପଞ୍ଚାୟତରେ ସୁରକ୍ଷିତ ଢଙ୍ଗରେ ନିର୍ବାଚନ ପରିଚାଳନା କରିବାକୁ ଭଞ୍ଜନଗର ଏବଂ ତାରସିଂ ପୁଲିସ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳିଛି।

ଗତବର୍ଷ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଘୁମୁସର ଜଙ୍ଗଲକୁ ଲାଲବାହିନୀ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ବାଛିଥିଲେ। ପୂରା ପଲଟଣ ବାଇବାଲି ଜଙ୍ଗଲ‌ରେ ଆସ୍ଥାନ ଜମାଇଥିଲେ। ଆଉ ପୁଲିସ ପକ୍ଷରୁ କମ୍ବିଂ ଅପରେସନ୍ ପରେ ମାଓବାଦୀଙ୍କ ସହ ଗୁଳି ବିନମୟ ହୋଇଥିଲା। ଫଳରେ ଲାଲ୍‌ବାହିନୀର ଗତିବିଧିକୁ  ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଥିଲା।
ବର୍ତ୍ତମାନ କନ୍ଧମାଳରେ ମାଓବାଦୀଙ୍କ ସକ୍ରିୟ ଉପସ୍ଥିତି ପ‌ରେ ସୀମାନ୍ତ ଇଲାକାର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ବର୍ତ୍ତମାନ ସୁଦ୍ଧା ‌କୌଣସି ଅଘଟଣ ସାମ୍ନାକୁ ଆସି ନଥିଲେ ହେଁ, ସୀମାନ୍ତରେ ଥିବା ସମସ୍ତ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଉପରେ ପୁଲିସ କଡ଼ା ନଜର ରଖିଛି। ସଂପୃକ୍ତ ଇଲାକାରେ ସୁରକ୍ଷା ବ୍ୟବସ୍ଥା ତଦାରଖ ସହ ପ୍ରତିଦିନର ସ୍ଥିତି ବିଷୟରେ ଖବର ସଂଗ୍ରହ ହେଉଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏଥିସହ ସ୍ବତନ୍ତ୍ର ଏସ୍‌ଓଜି ଏବଂ ଡିଭିଏଫ୍‌ ଟିମ୍‌ ଜଙ୍ଗଲ ମଧ୍ୟରେ ସ୍ବତନ୍ତ୍ର ଗୁପ୍ତ ଅପରେସନ୍‌ କରିବେ।

ବର୍ତ୍ତମାନ ଭଞ୍ଜନଗର ଏବଂ ତାରସିଂ ଥାନା ସମେତ ଗାଲେରୀ ଫାଣ୍ଡିରେ ତିନିଟି ଆଇଆର୍‌ବି ସେକ୍ସନ୍ ଯବାନ୍ ନିୟୋଜିତ ହୋଇଛନ୍ତି। ଏଥିସହ ତାରସିଂ ଥାନାରେ ମୁତୟନ ଆଇଆରବି ଯବାନ ମାନେ ନିର୍ବାଚନ ବେଳେ ସୁରକ୍ଷା ପାଇଁ ନିୟୋଜିତ ରହିବେ ବୋଲି ଜଣାପଡ଼ିଛି। ଏହାସହ ବିଭିନ୍ନ ସ୍ଥାନରେ ଫ୍ଲାଗ୍‌ମାର୍ଚ୍ଚ ଜାରି ରହିଛି।
ତଥାପି କନ୍ଧମାଳରେ ମାଓବାଦୀଙ୍କ ଗୋଟିଏ ପରେ ଗୋଟିଏ ରଣନୀତି, ସୀମାନ୍ତ ଗଞ୍ଜାମ ଜିଲ୍ଲା ପାଇଁ ଏକ ଆହ୍ବାନ୍ ବୋଲି ମତପ୍ରକାଶ ପାଇଛି। ଆଉ ଭଞ୍ଜନଗର ଓ ତାରସିଂ ଥାନା ଅଧୀନରେ ପାଖାପାଖି ସୀମାନ୍ତ ୯ଟି ପଞ୍ଚାୟତରେ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବାକୁ, ପୁଲିସ କିଭଳି ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରୁଛି ତାହା ଦେଖିବାକୁ ବାକି ରହିଛି।
ସୂଚନା ଥାଉକି, ଘୁମୁସର ଜଙ୍ଗଲର ଗୋଟିଏ ପାର୍ଶ୍ବ ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ଯୋଗୁଁ ଏହି ଜଙ୍ଗଲକୁ ମାଓବାଦୀମାନେ ସେମାନଙ୍କ ଯାତାୟାତ ପାଇଁ କରିଡର୍ ଭାବେ ବ୍ୟବହାର କରୁଥିଲେ। କିନ୍ତୁ ବିଗତ କିଛି ବ‌ର୍ଷ ହେବ, ବିଶେଷକରି ସୀମାନ୍ତ ଗଞ୍ଜାମରେ ମାଓ କାର୍ଯ୍ୟକଳାପ ଏକପ୍ରକାର ସୁପ୍ତ ହୋଇଯାଇଛି। କିନ୍ତୁ ମଝିରେ ମଝିରେ ମାଓବାଦୀଙ୍କ ଉପସ୍ଥିତିକୁ ନେଇ ସୂଚନା ଆସିବା ପରେ ପୁଲିସ ନିଜର କାର୍ଯ୍ୟଧାରା ବଢ଼ାଇଥିଲା। ପୁଲିସବାହିନୀର କଡ଼ା ଆଭିମୁଖ୍ୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ।  ବର୍ତ୍ତମାନ ସୀମାନ୍ତରେ ଏସ୍‌ଓଜି ଏବଂ ଡିଭିଏଫ୍‌ ବାହିନୀ ଦ୍ବାରା ନିୟମିତଭାବେ ପୁରୁଣା କରିଡ଼ର୍‌ରେ ରୁଟିନ୍‌ ଯାଞ୍ଚ ସହ କମ୍ବିଂ ଅପରେସନ୍ ବି ଜାରି ରହିଛି।

ସୂଚନା ଥାଉକି, ୨୦୦୮ ମସିହା ଫେବ୍ରୁଆରିମାସରେ ମାଓବାଦୀ ଗ୍ୟାଙ୍ଗ୍ ନୟାଗଡ଼ ଅସ୍ତ୍ରାଗାର ଲୁଟ୍ କରିବା ପରେ ଗଞ୍ଜାମ ସୀମାନ୍ତରେ ପହଞ୍ଚି ଗାଲେରି ଫାଣ୍ଡିକୁ ଉଡ଼ାଇଦେଇଥିଲେ। ଆଉ ଗସ୍‌ମାହାରେ ପୁଲିସ ଫୋର୍ସ ସହ ମୁହାଁମୁହିଁ ହେବା ପରେ ଗୁଳିବିନିମୟ ଘଟିଥିଲା। ଏଥିରେ ୩ ଜଣ ବରିଷ୍ଠ ପୁଲିସ ଅଧିକାରୀ ସହିଦ୍ ହୋଇଥିଲା। ଏହାସହ ୨୦୧୦ରେ ବିରିକୋଟ, ବାଇବାଲି ଓ ସୋରଡ଼ାର ଅସୁରବନ୍ଧ‌ରେ ମୋବାଇଲ୍ ଟାୱାର୍ ପୋଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର