ଦୁଷ୍କର୍ମ ପରେ କୁନ୍ଦୁଲିରେ ଆତଙ୍କ

ଦିନରେ ବି ରାସ୍ତାରେ ଯିବାକୁ ଡରୁଛନ୍ତି ମହିଳା

କୋରାପୁଟ : ସୁନାଇ ଖିଲ। ବୟସ ପାଖାପାଖି ୫୦। କୌଣସି କାମରେ ସେ ଆଜି ତାଙ୍କ ସଂପର୍କୀୟ ମୂଷାଗୁଡ଼ାର ଗାଙ୍ଗାଇ ପାଙ୍ଗୀଙ୍କ ଘରକୁ ଆସିଥିଲେ। ଅପରାହ୍ନରେ ଏକା ଘରକୁ ଫେରିବାକୁ କିନ୍ତୁ ସାହସ ଜୁଟାଇ ପାରିନଥିଲେ। ଆଗରୁ ସବୁବେଳେ ଏକା ଚାଲି ଚାଲି ମେଂଜିଗୁଡ଼ା ଫେରୁଥିଲେ ସୁନାଇ। ମାତ୍ର କୁନ୍ଦୁଲି ସ୍କୁଲ ଛାତ୍ରୀ ଗଣଦୁଷ୍କର୍ମ ଘଟଣା ପରେ ସେ ରାସ୍ତା ଯେମିତି ବଦଳି ଯାଇଛି ତାଙ୍କ ପାଇଁ। ସେଥିପାଇଁ ପ୍ରାୟ ଦେଢ ଘଣ୍ଟା ଗାଁ ଛକରେ ଅପେକ୍ଷା କରିଥିଲେ। ପରେ ଆଉ କିଛି ଲୋକ ମିଳିବାରୁ ସେମାନଙ୍କ ସହ ଘରକୁ ଫେରିଥିଲେ।

କୋରାପୁଟ ଜିଲ୍ଲାର କୁନ୍ଦୁଲି ନିକଟସ୍ଥ ମାର୍‌ଲା, ମେଂଜିଗୁଡା, ମୂଷାଗୁଡା, ସୋରିଷପଦର, ବିଲେଇଗୁଡ଼ା ଗାଁରେ ଏବେ ଏମିତି କୋକୁଆ ଭୟ ଦେଖା ଦେଇଛି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ମହିଳା, ଯୁବତୀମାନେ ଡରୁଛନ୍ତି। ଯେଉଁ ରାସ୍ତାରେ ସେମାନେ ବିନା ବାଧାରେ ପ୍ରତିଦିନ ଯାଉଥିଲେ, ସେହି ରାସ୍ତାରେ ପାଦ ଦେଉ ଦେଉ ଭୟ ମାଡ଼ି ବସୁଛି। ଏପଟେ ସ୍କୁଲ ଯିବାକୁ ବି ଛାତ୍ରୀମାନେ ଡରିଲେଣି। ତେଣୁ ସ୍କୁଲରେ ଉପସ୍ଥାନ କମିବାରେ ଲାଗିଛି। ସଂଜ ହେଉ ହେଉ ଗାଁରେ ତାଟି କବାଟ ପଡି ଯାଉଛି।

ସୋରିଷପଦର ବିଦ୍ୟାଳୟରେ ଆଜିର ଉପସ୍ଥାନକୁ ଦେଖିଲେ ଛାତ୍ରୀଙ୍କ ଭୟ କଥା ସ୍ପଷ୍ଟ ହୋଇଯାଇଛି। ଏହି ବିଦ୍ୟାଳୟରେ ପଢୁଥିବା ୧୮୧ଜଣ ଛାତ୍ରୀଙ୍କ ମଧ୍ୟରୁ ୧୧୦ଜଣ ହଷ୍ଟେଲରେ ରହୁଥିବାବେଳେ ଅନ୍ୟମାନେ ଘରୁ ଯିବା ଆସିବା କରନ୍ତି। କିନ୍ତୁ ଯିବାଆସିବା କରୁଥିବା ଛାତ୍ରୀଙ୍କ ଉପସ୍ଥାନ ହଠାତ୍‌ କମି ଯାଇଛି। ଏପରିକି ମୂଷାଗୁଡ଼ା, ମେଂଜିଗୁଡ଼ାରୁ ଜଣେ ହେଲେ ବି ଛାତ୍ରୀ ଆଜି ସ୍କୁଲ ଆସିନାହାନ୍ତି। ଅନ୍ୟ ଗାଁଗୁଡିକରୁ ଆସିଥିବା ଛାତ୍ରୀମାନେ ମଧ୍ୟ ଆସିବାକୁ ସାହସ ସଂଗ୍ରହ କରି ପାରୁନାହାନ୍ତି। କେବଳ ସୋରିଷପଦର ଗାଁର ଛାତ୍ରୀମାନେ ବିଦ୍ୟାଳୟକୁ ଆସିଥିବାବେଳେ ଆଖପାଖ ଗାଁର ଛାତ୍ରୀମାନେ ବିଦ୍ୟାଳୟକୁ ଆସିନାହାନ୍ତି ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏ. ଦୁର୍ଗା ପ୍ରସାଦ ପ୍ରକାଶ କରିଛନ୍ତି। କେବଳ ଛାତ୍ରୀ ନୁହଁନ୍ତି, ଏହି ଘଟଣା ପରେ ଛାତ୍ରମାନେ ମଧ୍ୟ ଏକୁଟିଆ ଆସିବାକୁ ଡରୁଥିବା ସେ କହିଛନ୍ତି।

ଗଣଦୁଷ୍କର୍ମ ଘଟଣା ପ୍ରଚାର ହେବା ପରେ ମୂଷାଗୁଡା ଗାଁରେ ଶ୍ମଶାନର ନିରବତା ଖେଳି ଯାଇଛି। ହସି ଖେଳି ବୁଲୁଥିବା ଏହି ଛୋଟ ଝିଅଟିର ଭବିଷ୍ୟତ ସହ କାହିଁକି କିଏ ଏମିତି ନିର୍ଦୟ ଭାବେ ଖେଳିଲେ ତାହା କେହି ବୁଝି ପାରୁ ନାହାନ୍ତି। ଗାଁରେ ମାତ୍ର ୨୦ଟି ପରିବାର ରହୁଥିଲା ବେଳେ ଏବେ ସମସ୍ତେ ପୀଡ଼ିତାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। ଛାତ୍ରୀ ଜଣଙ୍କ ଜଲଦି ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ସେମାନେ ପ୍ରାର୍ଥନା କରୁଛନ୍ତି। ଏଥିସହ କେବେ ଏହି ଅଂଚଳରୁ ଏମିତି ଭୟର ବାତାବରଣ ହଟିବ ତାକୁ ଲୋକେ ଅପେକ୍ଷା କରି ରହିଛନ୍ତି। ଲୋକଙ୍କ କହିବାନୁଯାୟୀ, ଅଭିଯୁକ୍ତଙ୍କ ଧରି କଠୋର ଦଣ୍ଡ ଦେଲେ ଏମିତି ପାପ କରିବାକୁ ଅମଣିଷମାନେ ଡରିବେ।

ସମ୍ବନ୍ଧିତ ଖବର