ଘାରୁଛି ଦୁର୍ଘଟଣା ଭୟ: ରାଜପଥ କଡ଼ରେ ବେଆଇନ୍‌ ପାର୍କିଂ

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ଅଧୀନ ୧୮ ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ପ୍ରାୟ ଛୋଟବଡ଼ ଦୁର୍ଘଟଣା ଘଟୁଛି, ଯାହାପାଇଁ ଚାଲିଯାଉଛି ଧନଜୀବନ। ୪ ଲେନ୍‌ ରାସ୍ତା ହେବା ପରେ ମଧ୍ୟ ବିପଦ ଟଳୁନି। ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ରହୁଛି। ତେବେ ଏଥିପାଇଁ ପ୍ରମୁଖ କାରଣ ହେଉଛି ରାସ୍ତାକଡ଼ରେ ମନଇଚ୍ଛା ଗାଡ଼ି ପାର୍କିଂ।

ବୈଶିଙ୍ଗା ପଦ୍ମନାଭପୁର ଟୋଲ୍‌ଗେଟ୍‌ ନିକଟ ରାସ୍ତାକଡ଼ରେ ପ୍ରତିଦିନ ଅନେକ ଟ୍ରକ୍‌ ଓ ‌ଟ୍ରେଲର ଦୀର୍ଘ ସମୟ ଧରି ଅଟକି ରହୁଛି। ପାଖରେ ଏକ ପେଟ୍ରୋଲ୍‌ ପମ୍ପ୍‌ ଥିବାରୁ ଅଧିକ ଗାଡ଼ି ଅଟକୁଛି। ଫଳରେ ଉକ୍ତ ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ଉକ୍ତ ସ୍ଥାନରେ ପାର୍କିଂ ସ୍ଥାନ ଥିଲେ ବି ଗାଡ଼ିଗୁଡ଼ିକୁ ସେଠରେ ପାର୍କିଂ କରା ନଯାଇ ବେପରୁଆ ଭାବେ ରାସ୍ତାକଡ଼ରେ ଅଥବା ରାସ୍ତା ଉପରେ ପାର୍କିଂ କରାଯାଉଛି। ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ହେଲେ କେହି କର୍ଣ୍ଣପାତ କରୁନାହାନ୍ତି। କର୍ମଚାରୀ ଅଭାବ ଦେଖାଇ ସ୍ଥାନୀୟ ପୁଲିସ ନିରବଦ୍ରଷ୍ଟା ସାଜୁଛି।

ସେହିପରି କେନ୍ଦ୍ର ସରକାର ନୂତନ ଟ୍ରାଫିକ୍‌ ନିୟମ ଲାଗୁ କରି ଜରିମାନା ବୃଦ୍ଧି କରିଥି‌ଲେ ମଧ୍ୟ ପୁଲିସ ବାବୁମାନେ ତାକୁ ଠିକଣା ଢଙ୍ଗରେ ପାଳନ କରୁନାହାନ୍ତି। ସମ୍ବେଦନଶୀଳତାକୁ ଦେଖି ପୁଲିସ ପ୍ରଶାସନ ଟୋଲ୍‌ଗେଟ୍‌ ନିକଟ ରାସ୍ତାରେ ଗାଡ଼ି ପାର୍କିଂ କରୁଥିବା ଡ୍ରାଇଭରମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର