କରୋନା ସଂକ୍ରମଣ ଭୟ : ସତର୍କ ରହିବାକୁ ସ୍କୁଲ୍‌କୁ ନିର୍ଦେଶ

କୋଭିଡ୍‌-୧୯ ନିର୍ଦେଶାବଳୀ ପାଳନ ପାଇଁ କର, ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଦେଶର ବିଭିନ୍ନ ପ୍ରାନ୍ତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର, କେରଳ ସମେତ ଆଉ କେତେକ ରାଜ୍ୟରେ ଏବେ ସଂକ୍ରମଣ ଉପରମୁହାଁ ହୋଇଛି। ତେଣୁ ଓଡ଼ିଶାରେ ବି ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ବଢ଼ିବାର ଆଶଙ୍କା ହେବା ପରେ ପ୍ରଶାସନ ଚିନ୍ତା ବଢ଼ିଯାଇଛି। କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଥିବା ବେଳେ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଥିବାରୁ ସେଠାରେ କିଭଳି କରୋନା କଟକଣା ପାଳନ ହୋଇପାରିବ ସେନେଇ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ନିର୍ଦେଶ ଦିଆଯାଇଛି। କୋଭିଡ୍‌-୧୯ ନିର୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ବିଭାଗୀୟ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଡିଇଓମାନଙ୍କୁ ଚିଠି ଲେଖି କହିଛନ୍ତି ଯେ ଦେଶରେ ଦେଖାଦେଇଥିବା ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯାଉ। ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଡିଇଓଙ୍କ ଅଧୀନରେ ଥିବା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉ। ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ କ୍ୟାମ୍ପସରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା, ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍‌, ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି। ପାଠପଢ଼ା ସହ କ୍ୟାମ୍ପସ୍‌ରେ ଆଉ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ। ଯେଉଁମାନେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ପାଳନ କରିବେ ନାହିଁ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି। ନିର୍ଦେଶାବଳୀ ଉଲ୍ଲଂଘନକୁ ଗୁରୁତ୍ବର ସହ ନିଆଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି।

ଅନ୍ୟପକ୍ଷରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଓଡ଼ିଶାରେ ଏବେ କରୋନାର ଭୟାବହତା ନାହିଁ। ତେବେ ବର୍ତମାନ ସମୟରେ ଦେଶରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଆମେ ହାଲୁକା ଭାବେ ନେବା ଉଚିତ ନୁହେଁ। ସ୍କୁଲ ବନ୍ଦ କିମ୍ବା ଲକ୍‌ଡାଉନ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ଚିନ୍ତା‌ କରାଯାଇ ନାହିଁ। ସେଭଳି ପରିସ୍ଥିତି ସୃଷ୍ଟି ହେଲେ ଚିନ୍ତା କରାଯିବ। ବର୍ତମାନ ଏସଓପି ଅନୁଯାୟୀ ସ୍କୁଲ ଚାଲିଛି। ଅବସ୍ଥାକୁ ଦେଖି ବ୍ୟବସ୍ଥା କରାଯିବ। ‌ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସୁରକ୍ଷା ନେଇ ଗଣଶିକ୍ଷା ବିଭାଗ ସର୍ବଦା ସତର୍କ ରହିଛି।

ସମ୍ବନ୍ଧିତ ଖବର