ଏବେଠୁ ଡରାଇଲାଣି ଡେଙ୍ଗୁ: ୨୦୨୧ରେ ୫ବର୍ଷର ରେକର୍ଡ ଭାଙ୍ଗିଥିଲା

କରୋନା କାଳରେ ବି ପିଛା ଛାଡ଼ିନି, ଚଳିତବର୍ଷ ଜୁନ୍ ସୁଦ୍ଧା ଚିହ୍ନଟ ହେଲେଣି ୭୫

ଭୁବନେଶ୍ବର: ୨୦୨୧ରେ ରାଜ୍ୟରେ ପୂର୍ବ ୫ବର୍ଷର ରେକର୍ଡ ଭାଙ୍ଗିଥିଲା ଡେଙ୍ଗୁ। ଆକ୍ରାନ୍ତଙ୍କ ସଂଖ୍ୟାକୁ ବିଚାରକୁ ନେଲେ ଦେଶରେ ଓଡ଼ିଶା ନବମ ସ୍ଥାନରେ ରହିଥିଲା। କରୋନାର ଏକାଧିକ ଲହରରେ ଲୋକମାନେ ଛଟପଟ ହେଉଥିଲା ବେଳେ ଡେଙ୍ଗୁ ମଧ୍ୟ ପିଛା ଛାଡ଼ି ନ ଥିଲା। ଚଳିତବର୍ଷ ବର୍ଷାଋତୁ ଆରମ୍ଭ ହୋଇନାହିଁ, ଏବେଠା‌ରୁ ରାଜଧାନୀରେ ସ୍ଥିତି ଗମ୍ଭୀର ଆଡ଼କୁ ଗତି କଲାଣି। ପ୍ରଶାସନ ଯେଉଁଭଳି ଢଙ୍ଗରେ ଡେଙ୍ଗୁର ମୁକାବିଲା ପାଇଁ ପ୍ରସ୍ତୁତି କରିବା କଥା, ‌ତାହା ଦେଖିବାକୁ ମିଳୁନାହିଁ। ତେଣୁ ଏ ବର୍ଷ ମଧ୍ୟ ରାଜ୍ୟରେ ୨୦୨୧ ଭଳି ସ୍ଥିତି ଉପୁଜିବ କି ? ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ କିଭଳି ଏହାର ମୁକାବିଲା କରିବେ। ଏମିତି ପ୍ରଶ୍ନ ଏବେ ଉଙ୍କି ମାରିଲାଣି। ୨୦୧୨ ମସିହାରୁ ରାଜ୍ୟରେ ଲଗାତାର ଭାବେ ଡେଙ୍ଗୁ ସଂକ୍ରମଣ ଦେଖିବାକୁ ମିଳୁଛି। କେଉଁ ବର୍ଷ ଅଧିକ ତ ଆଉ କେଉଁ ବର୍ଷ କମ୍। ସ୍ବାସ୍ଥ୍ୟ ବିଭାଗ ଅନେକ ପଦକ୍ଷେପ ନେଉଥିଲେ ହେଁ ଡେଙ୍ଗୁ ନିୟନ୍ତ୍ରଣକୁ ଆସିପାରି ନାହିଁ। ପୂର୍ବରୁ ମ୍ୟାଲେରିଆ ରାଜ୍ୟ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇ ରହିଥିଲା। ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷରୁ ଖସି ଏବେ ୨୫ହଜାରରେ ପହଞ୍ଚିଛି। ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ କେନ୍ଦ୍ର ସରକାର ପ୍ରଶଂସା ମଧ୍ୟ କରିଛନ୍ତି। ହେଲେ ଡେଙ୍ଗୁ ଏବେ ବି ରାଜ୍ୟର ପ୍ରମୁଖ ଜନସ୍ବାସ୍ଥ୍ୟ ସମସ୍ୟା ହୋଇ ରହିଛି।

ପରିସଂଖ୍ୟାନକୁ ନଜର ପକାଇଲେ ୨୦୧୬ ମସିହାରେ ରାଜ୍ୟରେ ସର୍ବାଧିକ ୮୩୮୦ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିବର୍ଷ ସର୍ବାଧିକ ୧୧ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିଲା। ଏହାର ପରବର୍ତୀ ବର୍ଷଗୁଡ଼ିକରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କମି କମି ଆସିଥିଲା। ୨୦୧୭ ମସିହାରେ ୪୧୫୮, ୨୦୧୮ରେ ୫୧୯୮, ୨୦୧୯ରେ ୩୭୫୮ ଓ ୨୦୨୦ରେ ଏହା ଖସି ଆସି ୪୯୬ରେ ପହଞ୍ଚିଥିଲା। କିନ୍ତୁ ୨୦୨୧ରେ ଏହା ୧୫ଗୁଣା ବୃଦ୍ଧି ପାଇ ୭୫୪୮ରେ ପହଞ୍ଚିଥିଲା। ଗତବର୍ଷ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିରେ ଅଧିକାଂଶ ଆକ୍ରାନ୍ତ କେବଳ ଭୁବନେଶ୍ବରରୁ ରହିଥିଲେ। ଏହାବାଦ୍ ପୁରୀ, କଟକ, ଜଗତସିଂହପୁର, ମାଲକାନଗିରି, ରାୟଗଡ଼ା ଆଦି ଜିଲ୍ଲାରୁ ମଧ୍ୟ ବହୁ ସଂଖ୍ୟକ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ୨୦୨୦ ଓ ୨୧ରେ ଡେଙ୍ଗୁରେ ସରକାରୀଭାବେ କାହାର ମୃତ୍ୟୁ ହୋଇନାହିଁ।

ଚଳିତବର୍ଷ ଜୁନ୍ ସୁଦ୍ଧା ୭୫ଜଣଙ୍କୁ ଚିହ୍ନଟ କରାଗଲାଣି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତ ୧ମାସ ପୂର୍ବରୁ ବିଭିନ୍ନ ଜିଲ୍ଲା ଓ ମ୍ୟୁନିସିପାଲଟି କମିସନରଙ୍କୁ ଚିଠି ଲେଖି ସତର୍କ ରହିବାକୁ କୁହାଯାଇଥିଲା। ମାତ୍ର ଜିଲ୍ଲା ପ୍ରଶାସନ ଯେଉଁଭଳି ଢଙ୍ଗରେ ଏଥିପାଇଁ ପଦକ୍ଷେପ ନେବା କଥା ତାହା ରାଜଧାନୀର ଡେଙ୍ଗୁ ମୁକାବିଲାରୁ ବାରି ହୋଇ ପଡ଼ୁଛି। ଡେଙ୍ଗୁର ଲକ୍ଷଣ ଥିବା ଅନେକ ଲୋକ ଘରୋଇ ହସ୍ପିଟାଲ/ଡାଏଗ୍ନୋଷ୍ଟିକ ସେଣ୍ଟରରେ ନିଜର ପରୀକ୍ଷା କରୁଛନ୍ତି। ସେସବୁ ସ୍ଥାନରେ ସ୍ବୀକୃତିପ୍ରାପ୍ତ ଏଲିସା ପରୀକ୍ଷା କରାଯାଇ ନାହିଁ। ଅଧିକାଂଶ ହସ୍ପିଟାଲ କାର୍ଡ ଟେଷ୍ଟ ଉପରେ ନିର୍ଭରଶୀଳ ଥିବାରୁ ଏଥିରେ ଚିହ୍ନଟ ଆକ୍ରାନ୍ତଙ୍କୁ ସ୍ବାସ୍ଥ୍ୟ ବିଭାଗ ଗ୍ରହଣ କରୁନାହିଁ। ରାଜଧାନୀରେ ଏଭଳି ଢଙ୍ଗରେ ବହୁ ସଂଖ୍ୟକ ଲୋକ ଚିହ୍ନଟ ହୋଇଥିବା ଓ ଜଣେ ପ୍ରାଣ ହରାଇଥିଲେ ବି ବିଭାଗ ଏହାକୁ ଗ୍ରହଣ କରୁନାହିଁ। ସ୍ବାସ୍ଥ୍ୟ ବିଭାଗ ଓ ହସ୍ପିଟାଲମାନଙ୍କ ମଧ୍ୟରେ ସମନ୍ବୟର ଅଭାବ ପାଇଁ ଏଭଳି ସ୍ଥିତି ଉପୁଜୁଛି।
ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନିକଟରେ ବିଏମ୍‌ସି ସହିତ ସ୍ବାସ୍ଥ୍ୟ ବିଭାଗର ହୋଇଥିବା ବୈଠକରେ ‌ମଶା ଉତ୍ସର ମୂ ଳୋତ୍ପାଟନ ଉପରେ ଗୁରୁତ୍ବ ଦିଆଯାଇଥିଲା। ପ୍ରାଚୀ ଏନକ୍ଲେଭ୍, ଶୈଳଶ୍ରୀ ବିହାର, ନିଳାଦ୍ରୀବିହାର ଆଦି ଅଞ୍ଚଳରୁ ଏଡିଶ୍‌ ମଶାକୁ ଠାବ କରାଯାଇଛି। ଆଗକୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ। ଏହାସହ ଆକ୍ରାନ୍ତଙ୍କ ନମୁନା ସବୁ ସେଣ୍ଟିନାଲ ସାଇଟ୍‌କୁ ପଠାଇବା ଲାଗି ଜିଲ୍ଲାମାନଙ୍କୁ ଚିଠି କରାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର