କଣିହାଁ ବ୍ଲକ୍‌ର ଉପାନ୍ତ ଅଞ୍ଚଳରେ ରାତିରେ ବିଦ୍ୟୁତ୍‌ କାଟ ଯୋଗୁଁ ଅନ୍ଧାରରେ ବଢ଼ୁଛି ହାତୀ ଭୟ, ହନ୍ତସନ୍ତ ହେଉଛନ୍ତି ଲୋକେ

କଣିହାଁ :  କଣିହାଁ ବ୍ଲକ୍‌ର ଉପାନ୍ତ ଅଞ୍ଚଳ କୁଳୁମା ଓ ବାଲିପଶି ପଞ୍ଚାୟତରେ ହାତୀ ଉପଦ୍ରବ ଲାଗିରହିଛି। ଏ ପରିସ୍ଥିତିରେ ଅଧିକାଂଶ ରାତିରେ ଅଞ୍ଚଳରେ ବିଦ୍ୟୁତ୍‌ କାଟ କରାଯାଉଥିବାରୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଫଳରେ ବନ୍ୟପ୍ରାଣୀଙ୍କଠାରୁ ବିପଦ ଆଶଙ୍କା ବୃଦ୍ଧି ପାଇଛି।

ସୂଚନ‌ା ଅନୁଯାୟୀ, ଅଞ୍ଚଳରେ ହାତୀଙ୍କ ଚଳାଚଳ ଲାଗିରହିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରାଯାଉଛି। ଏଥିଯୋଗୁଁ ଅଞ୍ଚଳର ଲୋକେ କମ୍‌ ହଇରାଣ ହେଉନାହାନ୍ତି। ଅନ୍ଧାରରେ ହାତୀସହ ମୁହାଁମୁହିଁ ହୋଇଯିବା ଆଶଙ୍କା ଥିବାରୁ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଉଛି। ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି।

କେବଳ ଏତିକି ନୁହେଁ, ବିଦ୍ୟୁତ୍‌ ଅଭାବରୁ ପିଲାମାନେ ରାତିରେ ପାଠ ପଢ଼ିପାରୁନାହାନ୍ତି। ଦିନେ କି ଦୁଇଦିନ ନୁହେଁ, ମାସର ଅଧିକାଂଶ ଦିନ  ଏ ଅଞ୍ଚଳର ଲୋକମାନେ ଅନ୍ଧାରରେ ରହୁଛନ୍ତି। ବର୍ଷକରେ ପ୍ରାୟ ୮ ମାସ କଣିହାଁ ବ୍ଲକର କୁଳୁମା, ବାଲିପଶି ଓ ରେଙ୍ଗାଳି ନିକଟ ଜଙ୍ଗଲରେ ହାତୀ ରହୁଛନ୍ତି। ସଂଧ୍ୟାପରେ ସେମାନେ ଗ୍ରାମାଞ୍ଚଳକୁ ମୁହାଁଉଛନ୍ତି। ଜମି ଓ ବାଡ଼ିବଗିଚାରୁ ଫସଲ ଉଜାଡ଼ୁଛନ୍ତି। ହାତୀଙ୍କ ସୁରକ୍ଷା ପାଇଁ ବିଦ୍ୟୁତ୍‌ ବିଭାଗ ବିଦ୍ୟୁତ୍‌ କାଟ କରୁଥିବାବେଳେ କେତେକ ଦୁର୍ବୃତ୍ତ ବନ୍ୟପ୍ରାଣୀ ଶିକାର ପାଇଁ ବିଦ୍ୟୁତ୍‌ ଲାଇନ୍‌ରେ ହୁକ ପକାଉଛନ୍ତି। ଏଥିଯୋଗୁଁ ମଧ୍ୟ ବିଦ୍ୟୁତ୍‌ କାଟ ହେଉଛି। ହାତୀଙ୍କ ସୁରକ୍ଷା ପାଇଁ ବନ ବିଭାଗ କର୍ମଚାରୀ ବିଦ୍ୟୁତ ବିଭାଗକୁ ଧରି ବିଦ୍ୟୁତ ଲାଇନ କାଟି ଦେଉଥିବା ଅଭିଯୋଗ ହୋଇଛି।

କୁଳୁମା ପଞ୍ଚ‌ାୟତର କୁଳୁମା, ଓଳନ୍ଦା, ଖିଣ୍ଡୋ, ନୀଳାପଶି, ଲକ୍ଷ୍ମଣପୁର, ଖାଲପାଳ, ବାଲିପଶି ପଞ୍ଚାୟତର ବାଲିପଶି, ସଂସାମରା, ନିଆଳୁ, ଅନ୍ଧାରୀ, କାଳିଆଦମା,  ବଳରାମପୁର, ପଳସାବାହାଳି, କୁଆଧରା, ଲୋଧାଝରୀ, ନାକଟିଦେଉଳ, ଶୁଆଝରୀ, ବରପଦା ପ୍ରଭୃତି ଗାଁରେ ରାତିରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯାଉଛି। ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ରଦୃଷ୍ଟି ଦେବା ସହ ବିଦ୍ୟୁତ୍‌ ନକାଟିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର