ବାତ୍ୟା ପରେ ବନ୍ୟା ଭୟ: ଫୁଲିଲା ସୁବର୍ଣ୍ଣରେଖା‌, ଜଳକା ସ୍ଥିର

ବାଲେଶ୍ବର/ଜଳେଶ୍ବର : ବାତ୍ୟା ୟାସ୍ ପ୍ରଭାବରେ ଗତ ଦୁଇଦିନ ଧରି ଝାଡ଼ଖଣ୍ଡ ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଛି। ଫଳରେ ଜାମସେଦପୁର ସ୍ଥିତ ଗାଲୁଡିହି ବ୍ୟାରେଜରୁ ଗତକାଲି ୩ ଲକ୍ଷ କ୍ୟୁସେକ୍ ପାଣି ନିଷ୍କାସିତ କରାଯାଇଛି। ଫଳରେ ଉତ୍ତର ବାଲେଶ୍ବର ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ନଦୀର ବିପଦ ସଙ୍କେତ ୧୦. ୩୬ ମିଟର ଓ ସତର୍କ ସଂକେତ ୯. ୪୫ ମିଟର ହୋଇଥିବା ବେଳେ ଶୁକ୍ରବାର ରାତି ୮ଟା ବେଳକୁ ରାଜଘାଟଠାରେ ୮. ୪୮ ମିଟରକୁ ଏହାର ଜଳସ୍ତର ବୃଦ୍ଧି ପାଇଥିବା‌ ଦେଖାଯାଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ଜଳସ୍ତର ୩. ୫୮ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ ଅପରାହ୍ନ ୩ଟା ବେଳକୁ ଜଳସ୍ତର ହଠାତ୍‌ ବୃଦ୍ଧି ପାଇ ୩. ୮୦ ମିଟରକୁ ଉଠିଯାଇଥିଲା। ଏହାପ‌ରେ ଅପରାହ୍ନ ୪ଟା ବେଳେ ୬ ମିଟର, ୫ଟା ବେଳେ ୭ ମିଟର, ସଂଧ୍ୟା ୬ଟା ବେ‌ଳକୁ ୭. ୬୨ମିଟର, ୭ଟା ବେଳେ ୮.୧୦ ମିଟର ଏବଂ ରାତି ୮ଟା ବେଳକୁ ୮.୪୮ ମିଟର ପର୍ଯ୍ୟନ୍ତ ଜଳସ୍ତର ଉଠିଥିବା ଦେଖାଯାଇଛି। କ୍ରମଶଃ ଏହା ବୃଦ୍ଧି ପାଇ ରାତି ୧୧ଟା ବେଳକୁ ବିପଦସଂକେତ ୧୦. ୩୬ ମିଟର ଉପରେ ପ୍ରବାହିତ ହେବା ଆଶଙ୍କା ଦେଖାଯାଇଛି। ବିପଦସଙ୍କେତ ଡେଇଁ‌ଲେ ଜଳେଶ୍ବର, ବାଲିଆପାଳ, ଭୋଗରାଇ ବ୍ଲକର ନଦୀକୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଦୁଇଦିନ ପୂର୍ବରୁ ବାତ୍ୟା ୟାସ୍‌ ଯୋଗୁଁ ସମୁଦ୍ର ଜୁଆର ମାଡ଼ିଆସି ଉପକୂଳ ଅଞ୍ଚଳର ଶତାଧିକ ଗାଁ ଏବଂ ଚାଷଜମି ଛାରଖାର କରି ଯାଇଥିବା ବେଳେ ଏବେ ସୁବର୍ଣ୍ଣରେଖା‌ର ବନ୍ୟା ପରିସ୍ଥିତି ପୁଣି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି। ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯିବା ସହ ତଳି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି।

ସେହିପରି ଜଳକା ନଦୀରେ ଆଜି ଜଳସ୍ତର ସ୍ଥିର ରହିଥିବା ବେଳେ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ରାତି ୮ଟା ସୁଦ୍ଧା ୨.୯୦ ମିଟରକୁ ଖସିଯାଇଥିବା ଦେଖାଯାଇଛି। ଆଜି ସକାଳଠାରୁ ଜଳକାର ଜଳସ୍ତର ୩. ୫୦ ମିଟର ଉପରେ ପ୍ରବାହିତ ହେଉଛି।

ସମ୍ବନ୍ଧିତ ଖବର