୧୦୦ କୋଟି ଖର୍ଚ୍ଚ ପରେ ବି ବନ୍ୟା ଭୟ; ନଦୀବନ୍ଧ ଫାଟି ଆଁ, ବିପଦରେ ଦଶରଥପୁର

ନିର୍ମାଣ ଏବଂ ମରାମତି ନାଁରେ ଅନୁଦାନ ଚଳୁ, ବାଲିବସ୍ତା, ବାଉଁଶକିଳାରେ ବନ୍ଧ ସୁରକ୍ଷା

ଦଶରଥପୁର : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍‌ ପାଇଁ ସବୁବେଳେ ବିପଦ ସୃଷ୍ଟି କରି ଆସିଛି ବୈତରଣୀ ଏବଂ ଏହାର ଶାଖା ନଦୀ କାଣୀ। ଉପରମୁଣ୍ଡରେ ଥିବା ଯାଜପୁର ବ୍ଲକ୍‌କୁ ସୁରକ୍ଷା ଦେବାକୁ ଯାଇ ଏଠାକାର ନଦୀବନ୍ଧକୁ ଦୁର୍ବଳ କରାଯାଉଛି। ନଦୀକଡ଼ରେ ଅଧିକାଂଶ ଚାଷ ଜମି ଥିବାରୁ ଅଧିକ ବର୍ଷା ହେଲେ ମନୁଷ୍ୟକୃତ ଘାଇ କରାଯାଇ ଜନବସତିକୁ ରକ୍ଷା କରାଯିବାର ନଜିର ମଧ୍ୟ ରହିଛି। ତେବେ, ଦଶରଥପୁରକୁ ବନ୍ୟାଦାଉରୁ ରକ୍ଷାପାଇଁ କୌଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ। ୨୦୧୫ରୁ ଏଯାଏଁ ନଦୀବନ୍ଧ ମରାମତି ଏବଂ ସୁଦୃଢ଼ୀକରଣ ଆଳରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ ହେଲାଣି। ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତି କାରଣରୁ ଏବେ ବି ବର୍ଷାଋତୁ ଆସିଲେ ଲୋକଙ୍କ ଛାତି ଧଡ଼ଧଡ଼ ହେଉଛି।

ବୈତରଣୀ ନଦୀରେ ଜଳସ୍ତର ବଢ଼ିଲେ ଦଶରଥପୁରବାସୀଙ୍କ ନିଦ ହଜିଯାଉଛି। ଏବେ ଏଠାରେ ଅନେକ ନଦୀବନ୍ଧ ଫାଟି ଆଁ କରିଛି। ତେଣୁ ଲଗାଣ ବର୍ଷା ହେଲେ ଆଉ ଏକ ବନ୍ୟାକୁ ସମ୍ମୁଖୀନ ହେବାକୁ ଲୋକେ ବାଧ୍ୟ ହେବେ ବୋଲି କୁହାଯାଉଛି। ଜଳସଂପଦ ବିଭାଗ ମଧ୍ୟ ଏ ସଂପର୍କରେ ଅବଗତ ଅଛି। ତେଣୁ ବର୍ଷା ଋତୁ ପୂର୍ବରୁ ଦୁର୍ବଳ ବନ୍ଧ ନିକଟରେ ବାଉଁଶ କିଳା ଏବଂ ବାଲି ବସ୍ତା ମହଜୁଦ୍‌ କରି ରଖିଛି। ବର୍ତ୍ତମାନ ବ୍ଲକ୍‌ର ପଞ୍ଜରାସାହି ପାଟପୁର , ଜୟନ୍ତରା , ଡୋଭାବିଲ, ନରାଣପୁର, ଦତ୍ତପୁର, ଇଚ୍ଛାପୁର, ବଳରାମପୁର ଆଦି ବିଭିନ୍ନ ସ୍ଥାନରେ ନଦୀବନ୍ଧରେ ଫାଟ ହୋଇଛି। ଅହରହ ବନ୍ୟା ହେଉଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ନକରି ବାଲିବସ୍ତା ଏବଂ ବାଉଁଶ କିଳାରେ ବନ୍ଧକୁ ସୁରକ୍ଷା ଦେବାକୁ ଯୋଜନା କରାଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଉଲ୍ଲେଖଯୋଗ୍ୟ ଯେ ୨୦୨୦ ମସିହାରେ ବୈତରଣୀ ଶାଖା ନଦୀ କାଣୀ ନଦୀର କଷପା ପଞ୍ଚାୟତ ଅନ୍ତର୍ଗତ ପଲ୍ଲାସାହିରେ ୫୦ ଫୁଟର ଘାଇ ଏବଂ କଣ୍ଟପଡାଠାରେ ୩ଟି ଘାଇ ହୋଇଥିଲା। ଫଳରେ ୧୨ଟି ପଞ୍ଚାୟତର ୧୫୦୦ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିଲା। ସେହିପରି ୨୨ ଅଗଷ୍ଟ ୨୦୨୦ରେ ବୈତରଣୀ ନଦୀର ଦତ୍ତପୁର ଠାରେ ୨୦୦ ଫୁଟର ଏବଂ ଦୁଦୁରାଅଣ୍ଟା ପଞ୍ଚାୟତ କଣ୍ଟପଡା ଠାରେ ୫୦ ଫୁଟର ଘାଇ ହେବା ଫଳରେ ୧୫ଟି ପଞ୍ଚାୟତର ୭ ହଜାର ହେକ୍ଟରରୁ ଅଧିକ ଚାଷ ଜମିର ଫସଲ ନଷ୍ଟ ହୋଇଥିଲା। ୮ ସେପ୍ଟେମ୍ବର ୨୦୧୯ରେ କଣ୍ଟପଡ଼ାରେ ୫୦ ଫୁଟର ଘାଇ, ୨୪ ଜୁଲାଇ ୨୦୧୮ରେ କଣ୍ଟପଡ଼ାରେ ଘାଇ, ୨୯ ଜୁଲାଇ ୨୦୧୫ରେ କଷପା ପଞ୍ଚାୟତ ପଞ୍ଚପଡ଼ା ଠାରେ ୮୦ ଫୁଟର ଘାଇ ଏବଂ କଣ୍ଟପଡା ଠାରେ ୪୦ ଫୁଟର ଘାଇ, ୨୨ ଜୁଲାଇ ୨୦୧୪ରେ ବୈତରଣୀ ନଦୀର ଦଶରଥପୁର ପଞ୍ଚାୟତ ପାଟପୁର ଠାରେ ପ୍ରାୟ ୨୦୦୦ ଫୁଟର ଘାଇ ହୋଇ ୧୨ ହଜାର ହେକ୍ଟର ଜମିରେ ବନ୍ୟା ଜଳ ମାଡିଯାଇ ଚାଷ ନଷ୍ଟ କରିଥିଲା । ସେହିବର୍ଷ ମଧ୍ୟ କାଣୀ ନଦୀର କଣ୍ଟପଡ଼ା ଠାରେ ଘାଇ ହୋଇଥିଲା। ୨୦୧୪ ମହାବନ୍ୟା ପରେ ପାଟପୁର ଘାଇ ମରାମତି ପାଇଁ ୪ କୋଟି ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନି। ସୁନ୍ଦରାହି ମୁହଁଠାରୁ କୟାଁଗୋଲା ପର୍ଯ୍ୟନ୍ତ ବନ୍ଧ ସୁଦୃଢ଼ୀକରଣ ପାଇଁ ୩୯ କୋଟି ଟଙ୍କା ଜଳସେଚନ ବିଭାଗ ପକ୍ଷରୁ ବ୍ୟୟ ବରାଦ କରାଗଲା ଏବଂ ଏହି କାର୍ଯ୍ୟକୁ ୨୦୧୫ ମଧ୍ୟରେ ସାରିବା ପାଇଁ ଓସିସି ସହିତ ଚୁକ୍ତି ହୋଇଥିଲା। ୭ ବର୍ଷ ବିତିଥିଲେ ମଧ୍ୟ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନି। ଯାହାବି ହୋଇଛି ତାହା ଖୁବ ନିମ୍ନମାନର ବୋଲି ଅଭିଯୋଗ ହେଉଛି।

ସେହିପରି ସୁନ୍ଦରାହିଁ ମୁହଁଠାରୁ ଜୟନ୍ତରା ପର୍ଯ୍ୟନ୍ତ ୧୨ କୋଟି, ଜୟନ୍ତରାରୁ ବ୍ରହ୍ମଚାରୀପାଟଣା ୯ କୋଟି , ବ୍ରହ୍ମଚାରୀପାଟନାରୁ କୟାଁ ୧୪ କୋଟି ଓ ଅଧିକ ବିପଦ ଆଶଙ୍କା ଥିବା ସ୍ଥାନମାନଙ୍କରେ  ୪ କୋଟି ଟଙ୍କାର ପଥର ପ୍ୟାକିଂ ପାଇଁ ଯୋଜନା କରାଯାଇଥିଲା। ଏଭଳି ମୋଟ ୪୩ କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା । ମାତ୍ର ବର୍ତ୍ତମାନ ବିଭିନ୍ନ ସ୍ଥାନରେ ବନ୍ଧ ଫାଟି ଆଁ କଲାଣି ତ ଆଉ କେଉଁଠି ଧୋଇ ଗଲାଣି । ୨୦୧୫ରୁ ଏଯାଏଁ ଜଳସଂପଦ ବିଭାଗ ପକ୍ଷରୁ ପଥର ପ୍ୟାକିଂ, ଘଳିଆ ମରାମତି, ଘାଇ ମରାମତି, ବନ୍ଧ ସୁଦୃଢୀକରଣ ଭଳି କାର୍ଯ୍ୟ ପାଇଁ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ନିମ୍ନମାନର କାମ ଯୋଗୁଁ ବର୍ଷା ଋତୁ ଆସିଲେ ‌ସ୍ଥାନୀୟ ଲୋକେ ବନ୍ୟା ଆଶଙ୍କାରେ ଭୟଭୀତ ହେଉଛନ୍ତି।

ସମ୍ବନ୍ଧିତ ଖବର