ଗ୍ୟାଙ୍ଗଷ୍ଟର୍‌ଙ୍କୁ ଘାରିଲାଣି ଭୟ, ହାଇଦର୍ ପରେ କାହା ପାଳି?

ଗ୍ୟାଙ୍ଗଷ୍ଟର୍‌ଙ୍କ ପଛରେ ଜେଲ୍‌ରେ ସ୍ପାଏ
ଜେଲ୍‌ରେ ୧୫୦ ଦୁର୍ଦ୍ଦାନ୍ତ ଅପରାଧୀ ତାଲିକା
ଏବେ ରାଜା, ଟିଟୋ, ଧଳସାମନ୍ତ ଉପରେ ନଜର
ପୁଲିସ ଗୁଳିରେ ମଲେଣି ୫ ଦୁର୍ଦ୍ଦାନ୍ତ ଅପରାଧୀ

କଟକ : ଗ୍ୟାଙ୍ଗଷ୍ଟର୍ ହାଇଦର୍ ପୁଲିସ ଗୁଳିରେ ନିହତ ହେବାପରେ ଏବେ ରାଜ୍ୟ ପୁଲିସର ପରବର୍ତ୍ତୀ ଶିକାର କିଏ? ଅପରାଧ ପ୍ରତି ପୁଲିସର ଏବେ ‘ଶୂନ୍ୟ ସହନଶୀଳ ନୀତି’ ପାଇଁ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିଟୋ, ଧଳସାମନ୍ତ ଭାଇ, ରାଜା ଆଚାର୍ଯ୍ୟ, ସକିଲ, ବିକ୍ରମ ମଲ୍ଲିକ ପ୍ରମୁଖ ପ୍ରମାଦ ଗଣିଲେଣି। ଏମାନେ ଜେଲ୍ ଭିତରେ ଅପରାଧିକ ଷଡ଼୍‌ଯନ୍ତ୍ର କରୁଥିବା ଅଭିଯୋଗରେ ବାରମ୍ବାର ବିଭିନ୍ନ ଜେଲ୍‌କୁ ସ୍ଥାନାନ୍ତର ହେଉଥିବାରୁ ହାଇଦର୍ ଭଳି ଅବସ୍ଥା ହେବା ଆଶଙ୍କାରେ ଆତଙ୍କିତ ହୋଇପଡ଼ିଲେଣି। ଏବେ ଓଡ଼ିଶାର ବିଭିନ୍ନ ଜେଲରେ ଥିବା ୧୫୦ ପାଖାପାଖି ଦୁର୍ଦ୍ଦାନ୍ତ ଅପରାଧୀ ନିୟମିତ ମୂଳ ଜେଲ୍‌ରୁ ଅନ୍ୟ ଜେଲକୁ ହାଇଦର ଭଳି ସ୍ଥାନାନ୍ତର ହେଉଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ଗୋଟିଏ ଜେଲ୍‌ରେ ଅତି ବେଶିରେ ୩ରୁ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରଖାଯିବାକୁ କାରାଗାର ବିଭାଗ ନିଷ୍ପତ୍ତି ନେବା ସହିତ ସେହି ଅନୁଯାୟୀ କାର୍ଯ୍ୟକ୍ରମ ବି ଆରମ୍ଭ କରିଦେଇଥିବା ସୂଚନା ମିଳିଛି।

ପୁଲିସର ଗୁଳିରେ ମରିଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ରେକର୍ଡ ଯଦି ଦେଖାଯାଏ ତେବେ କଟକର ଦୁର୍ଦ୍ଦାନ୍ତ ଅପରାଧୀ ସଂଗ୍ରାମ ଓରଫ ଦୀପୁ ସାହୁ ୨୦୦୫ରେ ପୁଲିସ ଗୁଳିରେ ନିହତ ହୋଇଥିଲା। ଦୀପୁ ପରେ ପରେ ଚର୍ଚ୍ଚାକୁ ଆସିଥିଲା ସମ୍ବଲପୁରର ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ ଓରଫ ରାଜୁ ସାହା ଏନ୍‌କାଉଣ୍ଟର୍‌।

Odisha Sun Times

୨୦୧୪ ଅକ୍ଟୋବରରେ ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ ପୁଲିସ ଗୁଳିରେ ମରିଥିଲା। କଟକ ନିଆଳିର ଦୁର୍ଦ୍ଦାନ୍ତ ଅପରାଧୀ ଚଗଲା ମଲ୍ଲିକ ୨୦୦୬ ପରଠାରୁ କଟକରୁ ଫେରାର ହୋଇଯାଇଥିଲା। ୨୦୧୮ ଜୁଲାଇରେ ନୟାଗଡ଼ରେ ପୁଲିସ ଏନ୍‌କାଉଣ୍ଟର୍‌ରେ ମରିଥିଲା। ୨୦୧୮ ମେ’ରେ ଭୁବନେଶ୍ବର ଭରତପୁରର ଶ୍ରୀକାନ୍ତ ରଣା ଓରଫ ଟେରୁ ବ୍ରହ୍ମପୁରରେ ଏନକାଉଣ୍ଟର୍‌ରେ ନିହତ ହୋଇଥିଲା। ଯଦି ଗଲା ୧୬ ବର୍ଷର ଅପରାଧିକ ରେକର୍ଡ ଦେଖାଯାଏ ତେବେ ଗ୍ୟାଙ୍ଗଷ୍ଟରକୁ ମିଶାଇ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ପୁଲିସ ଗୁଳିରେ ନିହତ ହୋଇଛନ୍ତି।

ବଲାଙ୍ଗୀର ଜେଲ୍‌ରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ, ବାଲେଶ୍ବର ଜେଲ୍‌ରେ ଗ୍ୟାଙ୍ଗଷ୍ଟର ସୁଶୀଲ ଧଳସାମନ୍ତ ଥିବାବେଳେ ବାରିପଦା ସର୍କଲ ଜେଲ୍‌ରେ କଟକର ଗ୍ୟାଙ୍ଗଷ୍ଟର ସକିଲ ସହଯୋଗୀ ସେକ୍ ରାହୁଲ୍ ଓ ସମ୍ବଲପୁରର ଦୁର୍ଦ୍ଦାନ୍ତ ଅପରାଧୀ ରାଜନ ମିଶ୍ର ପ୍ରମୁଖ ଅଛନ୍ତି। ସେହିପରି ଗ୍ୟାଙ୍ଗଷ୍ଟର ସକିଲ ପ୍ରଥମେ ଚୌଦ୍ବାର ଓ ପରେ କେନ୍ଦୁଝରରେ ରହିଥିଲା। ଏବେ ତାକୁ ବ୍ରହ୍ମପୁର ଜେଲରେ ରଖାଯାଇଛି। ବିକ୍ରମ ମଲ୍ଲିକ ଏବେ ଝାରପଡ଼ାରୁ ସମ୍ବଲପୁର ଜେଲ୍‌କୁ ସ୍ଥାନାନ୍ତର ହୋଇଥିବାବେଳେ ଝାରପଡ଼ା ଜେଲରେ ରାଜା ଆଚାର୍ଯ୍ୟ, ରାଜେନ୍ଦ୍ର ବାରିକ ଓରଫ ରାଜୁ ପ୍ରମୁଖ ରହିଛନ୍ତି। ଝାରପଡ଼ା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋକୁ ନିକଟରେ ବ୍ରହ୍ମପୁର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଛି। ଝାରପଡ଼ାରେ ଥିବା ଅନୀଲ ଛୋଟରାୟ ଜାମିନରେ ଖଲାସ ହୋଇଛି। ଚୌଦ୍ବାର ସର୍କଲ ଜେଲ୍‌ରେ ଥିବା ଆତଙ୍କବାଦୀ ଅବଦୁଲ ରହେମାନ୍‌ ସମେତ ଗ୍ୟାଙ୍ଗଷ୍ଟର ହାଇଦର‌ର ବଡ଼ ପୁଅ ସେକ୍‌ ମୁନ୍ନା, କନ୍ଦରପୁରର ତପୁ ଓରଫ ପ୍ରଶାନ୍ତ କୁମାର ଦାସ, ମଧୁପାଟଣାର ଗୁଗୁ ଓରଫ ଶିବାଶିଷ ଖୁଣ୍ଟିଆ, ଜ୍ଞାନ ବେଉରା, ଭଜନା ପ୍ରମୁଖ ଅଛନ୍ତି। ସେହିପରି ପୁରୀ ଜିଲ୍ଲାରେ ରାଜୁ ସାହୁ, ନିହାର ରଞ୍ଜନ ପ୍ରଧାନ, କେଦାର ପଲାଇ, ପପୁ ବରାଳ, ମାଧବ ଖୁଣ୍ଟିଆ ଭଳି ଦୁର୍ଦ୍ଦାନ୍ତ ଅପରାଧୀ ଅଛନ୍ତି। ଏମାନଙ୍କୁ ମିଶାଇ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୫୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ଜେଲ୍ ବିଭାଗ ପ୍ରସ୍ତୁତ କରିଛି।

Morocco World News

ଜଣେ ବରିଷ୍ଠ ଜେଲ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ଜେଲ୍‌ରେ ଏବେ ୨୪ ଘଣ୍ଟିଆ ସିସି କ୍ୟାମେରା, ସ୍ପାଏ ଏବଂ ମେଟାଲ୍ ଡିଟେକ୍ଟର ସକ୍ରିୟ ହୋଇଥିବାବେଳେ ତାହାଦ୍ବାରା ଧରାପଡ଼ି ଅନ୍ୟ ଜେଲକୁ ସ୍ଥାନାନ୍ତର ହେଉଥିବାରୁ ଅପରାଧୀଙ୍କ ଗ୍ୟାଙ୍ଗ୍ ଏକପ୍ରକାର ଦୁର୍ବଳ ହେଉଛି। ଗଲା ମେ ୫ ତାରିଖରେ ଝାରପଡ଼ା ଜେଲରେ ଥିବା ଟିଟୋ ସେଠାରୁ ମୋବାଇଲ୍ ମାଧ୍ୟମରେ ବାହାରର ଅପରାଧିକ କାର୍ଯ୍ୟକଳାପକୁ ସକ୍ରିୟ କରିବାରୁ ତାକୁ ବ୍ରହ୍ମପୁର ସର୍କଲ ଜେଲ୍‌କୁ ସ୍ଥାନାନ୍ତର କରାଗଲା। ଏବେ ହାଇଦର୍ ଚୌଦ୍ବାର ଜେଲରେ ସମାନ ପରିସ୍ଥିତି ସୃଷ୍ଟି କରିବାରୁ ତାକୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ଏବଂ, ସ୍ଥାନାନ୍ତର ବେଳେ ସେ ଏନ୍‌କାଉଣ୍ଟର୍‌ର ଶିକାର ହେଲା। ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଜେଲ୍‌ରେ ଥିବା ଅପରାଧୀମାନେ ଆତଙ୍କିତ ହୋଇପଡ଼ିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଚି।

ଅନ୍ୟପଟେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର କିମ୍ବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଏବେ ଜେଲ୍‌ ଭିତରେ ବି ସ୍ପାଏ ଲଗାଯାଇଛି। ଏମାନଙ୍କ ସମ୍ପର୍କରେ ଖବର ଦେବାକୁ ଜେଲର ଅନ୍ୟ ଛୋଟ ଅପରାଧୀଙ୍କୁ ନିୟୋଜିତ କରାଯାଇଛି। ଅନେକ ସମୟରେ ଜେଲ ୱାର୍ଡ ଅପରାଧୀଙ୍କ ସହିତ ହାତ ମିଳାଉଥିବାରୁ ଅପରାଧୀଙ୍କ ତଥ୍ୟ ସଂଗ୍ରହ ପାଇଁ ଏଭଳି କରାଯାଇଥିବା ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର