ନୂଆଦିଲ୍ଲୀ: ଖରିଫ ଋତୁରେ ଠିକ୍ ଭାବେ ବର୍ଷା ହେଲାନି। ଅସ୍ବାଭାବିକ ଓ ନିଅଣ୍ଟିଆ ବର୍ଷା ଚାଷ କାମକୁ ଗୁରୁତର ଭାବେ ପ୍ରଭାବିତ କଲା। ଗୋଟିଏ ଚାଷ ଋତୁ ଏଭଳି ଦଶା ଭୋଗିଥିବା ବେଳେ ରବି ଋତୁର ଭାଗ୍ୟକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହେଲାଣି। ଚଳିତ ବର୍ଷ କମ୍ ଜମିରେ ଚାଷ ହୋଇଥିବାରୁ ଗହମ, ଚାଉଳ, ଡାଲି ଆଦିର ଉତ୍ପାଦନ କମ୍ ରହିବ। ବର୍ଷାକୁ ନେଇ ଏଭଳି ଅନିଶ୍ଚିତତା ଲାଗି ରହିଥିବାରୁ ସାରା ଦେଶରେ ଖାଦ୍ୟଶସ୍ୟ ଦାମ୍ ବେଲଗାମ ହେବାର ଆଶଙ୍କା ଦେଖାଦେଇଛି। ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ମୋଦୀ ସରକାର ଲାଗି ଏହା ଚାଲେଞ୍ଜ ସଦୃଶ ହୋଇଛି। ଏହାର ମୁକାବିଲା ଲାଗି କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ଏହା କାମ ଦେଉନି। ଦରବୃଦ୍ଧି ସାଧାରଣ ଲୋକକୁ ଅସ୍ତବ୍ୟସ୍ତ କରିପକାଇଲାଣି। କେନ୍ଦ୍ର ସରକାର ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ବାଣ୍ଟିବା ସ୍କିମ୍ର ମହଲତ ବୃଦ୍ଧି କରିଛନ୍ତି। ଏହା କିଛି ପରିମାଣରେ ହିତାଧିକାରୀଙ୍କୁ ଆଶ୍ବସ୍ତି ଆଣିପାରେ। କିନ୍ତୁ ବଜାର ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିପାରେ। ବଜାରରେ ବିଭିନ୍ନ ସାମଗ୍ରୀ ଚଢ଼ା ଦାମ୍ରେ ବିକ୍ରି ହେବ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଲାଣି। ୨୦୨୩କୁ ଲୋକମାନେ ଦରବୃଦ୍ଧି ବର୍ଷ ଭାବେ ମନେ ରଖିବେ। ଟମାଟୋ ଓ ପିଆଜ ଦରରେ ହଠାତ ବୃଦ୍ଧି ସରକାରଙ୍କ ଦରବୃଦ୍ଧି ମୁକାବିଲା ନୀତିର ଅସଲ ମୁଖା ଖୋଲିଦେଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ମିଳିତ ଭାବେ ଉଦ୍ୟମ କରିବା ସତ୍ତ୍ବେ ଦରଦାମ୍ ନିୟନ୍ତ୍ରଣ କରିପାରିନଥିଲେ। ନୂଆ ଟମାଟୋ ଫସଲ ବଜାରକୁ ଆସିବା ପରେ କିଛି ଦିନ ପାଇଁ ଦାମ୍ କମ୍ ରହିଥିଲା। ଏବେ ପୁଣି ତାହା ମହଙ୍ଗା ହେବାକୁ ଲାଗିଛି। ସେହିଭଳି ପିଆଜ ମୂଲ୍ୟରେ ଯେଉଁ ବୃଦ୍ଧି ଘଟିଛି ତାହା ମଧ୍ୟ କମ୍ ହେବା ନାଁ ଧରୁନି।
ଏହାସହିତ ଗହମ, ଅଟା ଓ ଡାଲି ଦାମ୍ରେ ବୃଦ୍ଧି ମଧ୍ୟ ଚିନ୍ତାର କାରଣ ହୋଇଛି। ଲୋକମାନଙ୍କ ପାଖରେ ସୁଲଭ ମୂଲ୍ୟରେ ଅଟା ଓ ଡାଲି ପହଞ୍ଚାଇବା ଲାଗି କେନ୍ଦ୍ର ସରକାର କେନ୍ଦ୍ରୀୟ ଖାଦ୍ୟଶସ୍ୟ ଭଣ୍ଡାର ଉପରେ ନଜର ପକାଇଛନ୍ତି। ସେଥିରୁ ସାମଗ୍ରୀ ବାହାର କରି ଲୋକମାନଙ୍କୁ କମ୍ ଦାମ୍ରେ ବିକ୍ରି କରାଯାଉଥିଲେ ମଧ୍ୟ ଚାହିଦାକୁ ତାହା ମେଣ୍ଟାଇ ପାରୁନାହିଁ। ଚଳିତ ବର୍ଷ ଜଳବାୟୁରେ ଏଲ୍-ନିନୋ ପ୍ରଭାବ ରହିବାରୁ ଗହମ ଚାଷ ପ୍ରଭାବିତ ହୋଇଛି। ଚଳିତ ବର୍ଷ ଗହମ ଉତ୍ପାଦନ କମ୍ ରହିବ ବୋଲି ଆକଳନ କରାଯାଇଛି। କୃଷି ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ କମ୍ ଜମିରେ ଗହମ ଓ ଡାଲି ଚାଷ ହୋଇଛି। ସ୍ବାଭାବିକ ବର୍ଷା ନହେବାରୁ ଜଳଭଣ୍ଡାରଗୁଡ଼ିକ ମଧ୍ୟ ଭର୍ତ୍ତି ହୋଇପାରିନାହିଁ। କେନ୍ଦ୍ରୀୟ ଜଳ ଆୟୋଗଙ୍କ ତଥ୍ୟ ଅନୁସାରେ ୧୫୦ଟି ଜଳାଶୟରେ ଜଳ ସ୍ତର ୨୦% ହ୍ରାସ ପାଇଛି। ଖରିଫ ଋତୁ ଲାଗି ପ୍ରକାଶ ପାଇଥିବା ଅଗ୍ରୀମ ଆକଳନ ଅନୁସାରେ ଚାଉଳ ଓ ଡାଲି ଉତ୍ପାଦନ ମଧ୍ୟ ହ୍ରାସ ପାଇବ।
ଲୋକମାନଙ୍କୁ ଦରବୃଦ୍ଧିରୁ ଆଶ୍ବସ୍ତି ପ୍ରଦାନ କରିବା ଲାଗି ସରକାର ‘ଭାରତ ଡାଲି’ ନାମରେ ବୁଟ ଡାଲି ବିକ୍ରି କରୁଛନ୍ତି। ସେହିଭଳି ‘ଭାରତ ଅଟା’ ନାମରେ କେଜି ପିଛା ୨୭ଟଙ୍କା ୫୦ ପଇସାରେ ଅଟା ବିକ୍ରି କରାଯାଉଛି। ସରକାର କେଜି ପିଛା ୨୫ ଟଙ୍କାରେ ପିଆଜ ବି ବିକ୍ରି କରୁଛନ୍ତି। ନାଫେଡ୍ ଭଳି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଜରିଆରେ ଏସବୁ ସାମଗ୍ରୀ ବିକ୍ରି କରାଯାଉଛି। ଗହମ ଓ ଚାଉଳ ରପ୍ତାନି ଉପରେ ସରକାର କଟକଣା ଲଗାଇଛନ୍ତି। ଦେଶ ଭିତରେ ସେଗୁଡ଼ିକର ଉପଲବ୍ଧତା ବଢ଼ାଇବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଚାଉଳ ଉପରେ ଲଗାଯାଇଥିବା କଟକଣା ଆସନ୍ତା ବର୍ଷ ବି ରହିବ ବୋଲି କୁହାଯାଉଛି। ଖାଦ୍ୟ ସାମଗ୍ରୀ ଦାମ୍ରେ ହଠାତ ଯେଉଁଭଳି ବୃଦ୍ଧି ଘଟୁଛି ତାହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।