ପୁରୀ : ପ୍ରସୂତୀକାଳୀନ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ଓ ପ୍ରସୂତୀଙ୍କୁ ସଂକ୍ରମଣ ଭୟ

ପୁରୀ : ପ୍ରସୂତୀ ଓ ନବଜାତ ଶିଶୁମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ପ୍ରତି ଜିଲ୍ଲା ଚିକିତ୍ସାଳୟରେ ଖୋଲିଛି ପ୍ରସୂତୀକାଳୀନ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର(ଏମ୍‌ସିଏଚ୍‌ ସେଣ୍ଟର)। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‌ବି ଖୋଲିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର। ଏଥିପାଇଁ ସ୍ବତନ୍ତ୍ର ଡାକ୍ତର, କର୍ମଚାରୀ ବି ନିଯୁକ୍ତ ଅଛନ୍ତି। ତଥାପି ପରିସ୍ଥିତିରେ ସୁଧାର ଆସୁନି। ସ୍ବଚ୍ଛତା ତ’ ଦୂରର କଥା ବେଡ୍‌ ଅଭାବରୁ ଅଧିକାଂଶ ସମୟରେ ପ୍ରସୂତୀ ଓ ନବଜାତକମାନେ ତଳେ ଶୋଉଥିବା ଦେଖିବାକୁ ମିଳିଛି। ଏହା ସଂକ୍ରମଣର ଭୟ ସୃଷ୍ଟି କରିଛି। ଯାହାକୁ ନେଇ ରୋଗୀ ଓ ସଂପର୍କୀୟଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

୨୦୧୫ ନବକଳେବର ସମୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହି ଚିକିତ୍ସାଳୟର ଶୁଭାରମ୍ଭ କରାଯାଇଥିଲା। ୩୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ଜରିଆରେ ୫ ମହଲା ବିଶିଷ୍ଟ ଏହି ଚିକିତ୍ସାଳୟକୁ ପୂର୍ଣ୍ଣ ରୂପ ଦିଆଯାଇଥିଲା। ନବକଳେବର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ପିନାକୀ ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ୧୦୦ ଶଯ୍ୟା ବିଶିଷ୍ଟ ଏହି ଚିକିତ୍ସାଳୟକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଲିଫ୍ଟ ସାଙ୍ଗକୁ ନାନାଦି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଆରମ୍ଭରୁ ହିଁ ଏହି ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। କେତେବେଳେ ଲିଫ୍ଟ ଖରାପ ହେଲା ତ’ କେତେବେଳେ ଲିଫ୍ଟ ଭିତରେ ରୋଗୀ ଫସିବା ଘଟଣା ଲୋକଲୋଚନକୁ ଆସିଛି। ଅଦ୍ୟାବଧି ବି ଏହି ସମସ୍ୟାରେ ସମାଧାନ ହୋଇ ପାରିନାହିଁ। ପରିଛନ୍ନତା କଥା ନ କହିବା ଭଲ। ଚଲାବାଟରେ ରକ୍ତ ଛିଟା ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳୁଛି। ସଫା କରାଯାଉନଥିବାରୁ ରୋଗୀମାନେ ଏହାକୁ ମାଡ଼ି ଯା’ଆସ କରୁଛନ୍ତି। ଯାହା ସଂକ୍ରମଣର ଭୟ ସୃଷ୍ଟି କରିଛି। ନିମ୍ନମାନର କାମ ଯୋଗୁଁ କିଛି ଜାଗାରେ ସିଲିଂ ବି ଛାଡ଼ିଲାଣି। ଶୌଚାଳୟ ଓ ଚିକିତ୍ସାଳୟ ପରିସର ଅପରିଷ୍କାର, ଅପରିଛନ୍ନ ରହୁଛି। ଅନେକ ଶୌଚାଳୟରେ ତାଲା ଝୁଲୁଛି। ଯେଉଁ ଶୌଚାଳୟ ବ୍ୟବହାର ହେଉଛି ତାହା ଅପରିଷ୍କାର ଅବସ୍ଥାରେ ପଡ଼ି ରହିଛି। ଅନେକ ଫ୍ୟାନ୍, ଲାଇଟ୍ ଅଚଳ । ରୋଗୀ ଓ ରୋଗୀଙ୍କ ସଂପର୍କୀୟଙ୍କ ପାଇଁ ଆବଶ୍ୟକୀୟ ଡଷ୍ଟବିନ୍‌ ବ୍ୟବସ୍ଥା ନଥିବାରୁ ଅଳିଆ ଆବର୍ଜନା ଏଣେତେଣେ ପଡ଼ୁଛି।। ଏହାରି ଭିତରେ ପ୍ରସୂତୀ ଓ ନବଜାତକମାନେ ଶୋଇବା ସ୍ବାସ୍ଥ୍ୟ ବିଭାଗର ନଗ୍ନ ଚିତ୍ରକୁ ପଦାରେ ପକାଇଛି।

ସମ୍ବନ୍ଧିତ ଖବର