ରଥଯାତ୍ରାରେ କରୋନା ଭୟ: ମାସ୍କ ବିନୁ ଅନ୍ୟଗତି ନାହିଁ

ରଥଯାତ୍ରାରେ ବଣ୍ଟାଯିବ ୧୦ ଲକ୍ଷ ମାସ୍କ, କରୋନା ଲକ୍ଷଣ ଥିବା ବ୍ୟକ୍ତିମାନେ ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ

ପୁରୀ : ତିନିଦିନ ପରେ ଶ୍ରୀଜିଉ ଯିବେ ଗୁଣ୍ଡିଚା ଘର। ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବାନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା। ଏପଟେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଫଳରେ ବିନା ମାସ୍କରେ ରଥଯାତ୍ରା ଦେଖିବା ଲାଗି ନଯିବାକୁ ଚେତାଇ ଦେଇଛି ସ୍ବାସ୍ଥ୍ୟ ବିଭାଗ।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୭ହଜାର ୭୩ ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ବେଳେ ୨୧ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟ ଓ ଦେଶ ବାହାରୁ ଭକ୍ତଙ୍କ ସମାଗମ ହେବାକୁ ଯାଉଥିବାରୁ କୋଭିଡ୍‌ ସଂକ୍ରମଣ ଭୟ ରହିଛି। ଥଣ୍ଡା, କାଶ କିମ୍ବା କୋଭିଡ୍‌ର କୌଣସି ଲକ୍ଷଣ ଦେଖାଗଲେ ସେମାନେ ଘରେ ରୁହନ୍ତୁ, ରଥଯାତ୍ରା ଭଳି ବିପୁଳ ସମାଗମ ସ୍ଥଳକୁ ନଆସନ୍ତୁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନିବେଦନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ରଥଯାତ୍ରାରେ ‌ସମସ୍ତ ଭକ୍ତ ଯେପରି ମାସ୍କ ପିନ୍ଧିବେ, ସେନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ୧୦ଲକ୍ଷ ମାସ୍କ ଯୋଗାଇ ଦିଆଯିବ। ଜିଲ୍ଲା ପ୍ରଶାସନ ଭକ୍ତମାନଙ୍କୁ ଏହି ମାସ୍କ ବଣ୍ଟନ କରି‌ବେ।

NDTV.com

ସେହିଭଳି ପର୍ଯ୍ୟଟକ ତଥା ଭକ୍ତମାନେ ଯେପରି ଫୁଡ୍‌ ପଏଜନ୍‌ର ଶିକାର ନହୁଅନ୍ତି, ସେଥିପାଇଁ ଫୁଟପାଥ୍‌ଠୁ ନେଇ ତାରକା ହୋଟେଲ୍‌ ପର୍ଯ୍ୟନ୍ତ ଖାଦ୍ୟ ଯାଞ୍ଚ କରାଯିବ। ୨୦ରୁ ଅଧିକ ଫୁଡ୍‌ ଇନ୍ସପେକ୍ଟରଙ୍କ ତତ୍ତ୍ବାବଧାନରେ ବିଭିନ୍ନ ଖାଦ୍ୟ ଷ୍ଟଲ୍‌, ରେସ୍ତୋରାଁ ଓ ହୋଟେଲ୍‌ ଉପରେ ଅଚାନକ ଚଢ଼ଉ କରାଯିବ। କୋଭିଡ୍‌ ସଂକ୍ରମଣ ପୁନର୍ବାର ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି କୋଭିଡ୍‌ ହସ୍ପିଟାଲ୍‌ଗୁଡ଼ିକୁ ସଚଳ ରଖାଯାଇଛି। ଆହୁରି ଅତିରିକ୍ତ ୨୦ଟି ଆଇସିୟୁ ପ୍ରସ୍ତୁତ କରି ରଖାଯିବ ଏବଂ ଆବଶ୍ୟକ ପରିମାଣରେ ଅକ୍ସିଜେନ ମହଜୁଦ ରଖାଯିବ। ‌ବିଶେଷକରି; ଯେଉଁମାନେ ରଥଯାତ୍ରାରେ ସାମିଲ୍‌ ହେବାକୁ ଆସୁଛନ୍ତି, ସେମାନେ ନିଜେ କୋଭିଡ୍‌କୁ ଧ୍ୟାନରେ ରଖି ମାର୍ଗଦର୍ଶିକା ଆପଣାଇବା ସହ ସାନିଟାଇଜର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି।

ମାସ୍କ ପିନ୍ଧି ରଥଯାତ୍ରାକୁ ଆସିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ
୨୦ ଫୁଡ୍‌ ଇନ୍ସପେକ୍ଟର, ପ୍ରସ୍ତୁତ ରହିଛି କୋଭିଡ୍‌ ହସ୍ପିଟାଲ୍‌ ବେଡ୍‌

ସୋମବାର ଦିନ ଏ ସଂକ୍ରାନ୍ତରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଜିଲ୍ଲାପାଳ ସମର୍ଥ ବର୍ମା, ସିଡିଏମ୍‌ଓ ଡାକ୍ତର ସୁଜାତା ମିଶ୍ରଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ପଦାଧିକାରୀଙ୍କ ଉପସ୍ଥିତିରେ ରଥଯାତ୍ରା ସମୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ରଥଯାତ୍ରା ପରିପ୍ରେକ୍ଷୀରେ ୧୪ଟି ଫାଷ୍ଟ ଏଡ୍‌ ସେଣ୍ଟର ସହ ୨୯ଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଉଛି। ରଥଯାତ୍ରା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦, କେଡିଏମ୍‌ଏମ୍‌ ହୋମ୍‌ରେ ୫, ପୁଲିସ ଡାକ୍ତରଖାନାରେ ୨୦, ଚନ୍ଦନପୁର ସିଏଚ୍‌ସିରେ ୧୦, ସାକ୍ଷୀଗୋପାଳ ଡାକ୍ତରଖାନାରେ ୧୦, ପିପିଲି ମଙ୍ଗଳପୁର ଡାକ୍ତରଖାନାରେ ୬ ଓ ଆଇଡିଏଚ୍‌ କୋଭିଡ୍‌ କେୟାର ସେଣ୍ଟରରେ ୧୦ଟି ଅତିରିକ୍ତ ଶଯ୍ୟା ମହଜୁଦ ରହିବ। ୨୦ଜଣ ସ୍ବେଚ୍ଛାସେବୀ ଓ ୧୦ଟି ଷ୍ଟ୍ରେଚର ରଖାଯିବ। ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ୩ଟି ରାପିଡ୍‌ ଆକ୍ସନ ଟିମ୍‌ କାମ କରିବ।

healthline

‘ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ’

ପୁରୀ ଷ୍ଟେସନ୍, ବଡ଼ଦାଣ୍ଡ, ବସଷ୍ଟାଣ୍ଡରେ ଖୋଲିବ ହେଲ୍‌ଥ କ୍ୟାମ୍ପ୍
ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ଶହ ଟପିଲା

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ୁଛି। ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀରେ ପ୍ରବଳ ଜନସମାଗମ ଆଶା କରାଯାଉଛି। ଯାହାକି ରାଜ୍ୟରେ କରୋନା ସଂକ୍ରମଣକୁ ଆହୁରି ବଢ଼ାଇ ଦେଇପାରେ। ତେଣୁ କରୋନା ଲକ୍ଷଣ ଥିବା ବ୍ୟକ୍ତିମାନେ ପୁରୀ ନ ଯାଇ ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର।

ଡା.ମହାପାତ୍ର କହିଛନ୍ତି ଯେ ରାଜ୍ୟରେ କିଛି ମାତ୍ରାରେ ସଂକ୍ରମଣ ବଢ଼ିଛି। ଖୋର୍ଧାରେ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଟେଷ୍ଟିଂ ବଢ଼ାଯିବ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ପୁରୀ ଷ୍ଟେସନ୍, ବସଷ୍ଟାଣ୍ଡ, ବଡ଼ଦାଣ୍ଡରେ ହେଲ୍‌ଥ କ୍ୟାମ୍ପ ଖୋଲିବ। ଲକ୍ଷଣ ଥିଲେ ହେଲ୍‌ଥ କ୍ୟାମ୍ପ ଯାଇ ଚିକିତ୍ସା କରନ୍ତୁ ବୋଲି ଡା.ମହାପାତ୍ର କହିଛନ୍ତି। ନିକଟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନକୁ ରଥଯାତ୍ରା ପାଇଁ ସର୍ଭେଲାନ୍‌ସ ଓ ଟେଷ୍ଟିଂ ବଢ଼ାଇବାକୁ କୁହାଯାଇଛି। ଏହାସହ ପ୍ରାଥମିକତା ଭିତ୍ତିରେ ଟିକାକରଣକୁ ବଢ଼ାଇବା ଲାଗି ନିର୍ଦେଶ ଦିଆଯାଇଛି।

ରାଜ୍ୟରେ ଗତ ୨୪ଘଣ୍ଟାରେ ୬୯ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୨୬, କଟକ ୧୩, ସୁନ୍ଦରଗଡ଼ ୮, ବାଲେଶ୍ବର ୫, ସମ୍ବଲପୁର ୪, ପୁରୀ ୨, ବଲାଙ୍ଗୀର, ଜଗତସିଂହପୁର, କଳାହାଣ୍ଡିରୁ ଜଣେ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୬ଜଣଙ୍କୁ ଚିହ୍ନଟ କରାଯାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୩୨୮କୁ ବୃଦ୍ଧି ପାଇଛି। ରାଜ୍ୟରେ ସଂକ୍ରମଣ ବଢ଼ିଥିଲେ ହେଁ କୌଣସି ନୂତନ ମୃତ୍ୟୁ ଘୋଷଣା ହୋଇନାହିଁ। ଆଜି ରାଜ୍ୟରେ ୫୨ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବର୍ତମାନ ରାଜ୍ୟରେ ୪୦୪ଜଣ କୋଭିଡ ଚିକିତ୍ସାଧୀନ ଆକ୍ରାନ୍ତ ରହିଛନ୍ତି। କିଛିଦିନ ପୂର୍ବରୁ ରାଜ୍ୟରେ ୯/୧୦ଟି ଜିଲ୍ଲା କୋଭିଡ ମୁକ୍ତ ଥିବା ବେଳେ ଏବେ ସଂକ୍ରମିତ ଜିଲ୍ଲାଙ୍କ ତାଲିକା ବଢ଼ି ଚାଲିଛି।

ସମ୍ବନ୍ଧିତ ଖବର