ଭୁଲ୍ ଠିକଣା ଓ ଫୋନ୍ ନମ୍ବର ଦେଇଛନ୍ତି ଫେରନ୍ତା
ଜିଲ୍ଲାୱାରୀ ଫେରନ୍ତାଙ୍କ ତଥ୍ୟ ଏବେ ବି ରହସ୍ୟରେ
ଆଇଏଲଏସ୍ରେ ଚାଲିଛି ୬ ବିଦେଶ ଫେରନ୍ତାଙ୍କ ଜିନ୍ ଅନୁଶୀଳନ
ଭୁବନେଶ୍ୱର : କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ବିପଦ ରାଜ୍ୟରେ ଧୀରେ ଧୀରେ ଘନେଇବାରେ ଲାଗିଛି। ଗତମାସ ୨୪ତାରିଖ ପରେ ରାଜ୍ୟକୁ ଯେତିକି ସଂଖ୍ୟକ ବିଦେଶ ଫେରନ୍ତା ଆସିଛନ୍ତି ତହିଁରୁ ୪୦ ପ୍ରତିଶତଙ୍କ ପତ୍ତା ମିଳୁନାହିଁ। ଏହାସହ ବିଦେଶରୁ ଫେରିଥିବା ୬ଜଣ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନଙ୍କ ନମୁନାକୁ ଜିନ୍ ଅନୁଶୀଳନ କରିବା ଲାଗି ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ପଠାଯାଇଛି। ଯେହେତୁ ୪୦ ପ୍ରତିଶତ ଫେରନ୍ତାଙ୍କ କୌଣସି ପତ୍ତା ମିଳୁନାହିଁ, ତେଣୁ ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ଆହୁରି ବଢ଼ିଯାଇଛି।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଗତମାସ ୨୪ତାରିଖ ପରେ ଓଡ଼ିଶାକୁ ୮ଶହରୁ ଅଧିକ ବିଦେଶ ଫେରନ୍ତା ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଆର୍ଥାତ୍ ୩୨୦ ଫେରାନ୍ତା ‘ଏୟାର ସୁବିଧା’ ପୋର୍ଟାଲରେ ଭୁଲ୍ ଫୋନ୍ ନମ୍ବର ଓ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନାହିଁ। ଏହି ପୋର୍ଟାଲରେ ସେଲ୍ଫ ଡିକ୍ଲାରେସନ୍ ବ୍ୟବସ୍ଥା ରହିଥିବାରୁ ଏମିତି ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି। ଯାହାକି ସେମାନଙ୍କୁ ଠାବ କରିବାରେ ସମସ୍ୟା ସୃଷ୍ଟି କରୁଛି।
ତେବେ ରାଜ୍ୟ ସରକାର ଗତ କିଛିଦିନ ଭିତରେ ୮ଶହ ଜଣ ବିଦେଶରୁ ଫେରିଥିବା କହୁଥିଲେ ହେଁ କେଉଁ ଜିଲ୍ଲାକୁ କେତେ ସଂଖ୍ୟକ ଯାତ୍ରୀ ଫେରିଛନ୍ତି ତାହାର ତଥ୍ୟ ଦେଉନାହାନ୍ତି। ବିଧାନସଭା ଚାଲିଥିବା ଓ ‘ଓମିକ୍ରନ୍’କୁ ନେଇ ଲୋକମାନଙ୍କ ଭିତରେ ଭୟ ରହିଥିବାରୁ ଜିଲ୍ଲାୱାରୀ ତଥ୍ୟ ପ୍ରଦାନ କରାଗଲେ ଅଯଥାରେ ସମସ୍ୟା ସୃଷ୍ଟି କରିବ ବୋଲି କିଛି ଅଧିକାରୀ ମତ ଦେଉଛନ୍ତି। ଅନ୍ୟପଟରେ କିନ୍ତୁ ବିଦେଶ ଫେରନ୍ତା କେଉଁ ଗାଁ ଗଣ୍ଡାରେ ପସିଛନ୍ତି ସେଠାର ସ୍ଥାନୀୟ ଲୋକ ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଉଛି। ରାଜ୍ୟ ସରକାରଙ୍କ ଏଭଳି ଦୋମୁହାଁ ନୀତି ଆଗକୁ ବିଦେଶ ଫେରନ୍ତାଙ୍କୁ ଚିହ୍ନଟ କରିବା ଦିଗରେ ବହୁ ସମସ୍ୟା ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି କେନ୍ଦ୍ର ସରକାର ଯାହା ତଥ୍ୟ ଦେଉଛନ୍ତି ତାହା ଜିଲ୍ଲାକୁ ପଠାଯାଉଛି। ବିଦେଶ ଫେରନ୍ତାଙ୍କୁ ଜିଲ୍ଲାରେ ଖୋଜା ଚାଲିଛି। ଏଥିପାଇଁ ଲୋକମାନେ ସହଯୋଗ କରିବା ସରକାର। ଓମିକ୍ରନ୍ ନେଇ ରାଜ୍ୟ ସରକାର ଚିନ୍ତିତ। ଘର ଭିତରେ ନିଜ ପରିବାର କିମ୍ବା ଗାଁ ଗଣ୍ଡାକୁ ଏହା ନ ବ୍ୟାପିବ ସେଥିପାଇଁ ସେମାନେ ନିଜ ଆଡ଼ୁ ପରୀକ୍ଷା କରିବା ଜରୁରୀ। ଟେଷ୍ଟ କରିବା ପରେ ଘରେ ରହିବେ, ତେଣୁ ଭୟ କରିବାର କୌଣସି କାରଣ ନାହିଁ। ଆକ୍ରାନ୍ତ ଦେଶରୁ ଆସୁଥିବା ଫେରନ୍ତାଙ୍କ ପାଇଁ ପ୍ରୋଟୋକଲ ଜାରି ହୋଇଛି। ୭ଦିନ ସଙ୍ଗରୋଧରେ ରହିବା ପରେ ୮ମ ଦିନରେ ପୁନର୍ବାର ଟେଷ୍ଟ କରାଯିବ। ଏଥିରେ ଯେଉଁମାନଙ୍କର ପଜିଟିଭ୍ ଚିହ୍ନଟ ହେବ ସେମାନଙ୍କର ନମୁନା ସିକ୍ବେସିଂ କରାଯିବ ବୋଲି ଡା.ମିଶ୍ର କହିଛନ୍ତି।
ଅପରପକ୍ଷରେ ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦେଶକ ଡା.ଅଜୟ ପରିଡ଼ା କହିଛନ୍ତି ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧ଜଣଙ୍କ ପଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କ ଜିନ୍ ଅନୁଶୀଳନ ହୋଇଥିଲା। ସେଥିରେ ଗୋଟିଏ ହେଲେ ନମୁନା ଓମିକ୍ରନ୍ ଚିହ୍ନଟ ହୋଇନାହିଁ। ତେବେ ନଭେମ୍ବର ୨୯ତାରିଖ ପରଠାରୁ ଓମିକ୍ରନ୍ ଚିହ୍ନଟ ରାଷ୍ଟ୍ରରୁ ଫେରିଥିବା ୨୪୬ ଜଣଙ୍କ ନମୁନା ଜିନ୍ ଅନୁଶୀଳନ ବିଭିନ୍ନ ଜିଲ୍ଲାରୁ ଆସିଛି। ଆସନ୍ତା ଗୁରୁବାର ପରେ ଏହା ସ୍ପଷ୍ଟ ହେବ ବୋଲି ଡା. ପରିଡ଼ା କହିଛନ୍ତି। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଦେଶରୁ ଫେରନ୍ତାଙ୍କ ମଧ୍ୟରୁ ୬ଜଣ ଏ ପର୍ଯ୍ୟନ୍ତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ନମୁନାଗୁଡ଼ିକୁ ସିକ୍ବେସିଂ ପାଇଁ ଆଇଏଲଏସ୍କୁ ପଠାଯାଇଛି। ନଭେମ୍ବର ୨୪ତାରିଖ ପରେ ସମୁଦାୟ ୨୪୬ଟି ନମୁନା ଆଇଏଲଏସ୍କୁ ସିକ୍ବେସିଂ ପାଇଁ ଆସିଛି। ଜିନ୍ ଅନୁଶୀଳନ ପରେ ସଂପୃକ୍ତ ବ୍ୟକ୍ତିମାନେ ଓମିକ୍ରନ୍ରେ ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ।