ଭୁବନେଶ୍ୱର : ଉତ୍ତର ପ୍ରଦେଶରେ ଆତଙ୍କ ସୃଷ୍ଟି କରିଥିବା ସ୍କ୍ରବ୍ ଟାଇଫସ୍କୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏବେ ତତ୍ପର ହୋଇ ଉଠିଛି। ମୌସୁମୀ ବର୍ଷା ପରେ ତଳିଆ ଅଞ୍ଚଳରେ ଏଭଳି ରୋଗ ଦେଖା ଦେଇପାରେ ବୋଲି ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ। ତେଣୁ ସ୍କ୍ରବ୍ ଟାଇଫସ୍ର ନିୟନ୍ତ୍ରଣ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଜିଲ୍ଲାମାନଙ୍କୁ କୁହାଯାଇଛି। ଏପରିକି ଆଇଜିଏମ୍ ଏଲିସା କିଟ୍ କିଣିବା ଲାଗି ସିଡିଏମ୍ଓମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ଗତ କିଛିଦିନ ଧରି ଉତ୍ତର ପ୍ରଦେଶ ଓ ବିହାରରେ ସ୍କ୍ରବ୍ ଟାଇଫସ୍ ଦେଖା ଦେଇଛି। ଉତ୍ତର ପ୍ରଦେଶରେ ଅନେକ ଶିଶୁ ଏଥିରେ ପ୍ରାଣ ହରାଇ ସାରିଲେଣି। ଯଦିଓ ଓଡ଼ିଶାରେ ଏ ପର୍ଯ୍ୟନ୍ତ ସ୍କ୍ରବ୍ ଟାଇଫସ ରୋଗୀ ଚିହ୍ନଟ ହୋଇ ନାହାନ୍ତି। ହେଲେ ଆଗୁଆ ପଦକ୍ଷେପ ସ୍ବରୂପ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍କ୍ରବ୍ ଟାଇଫସ ସମେତ ଲେପ୍ଟୋସିରିଓସିସ୍ର ଆଗୁଆ ଚିହ୍ନଟ ଓ ଏହାକୁ ନିୟନ୍ତ୍ରଣ ଲାଗି କୁହାଯାଇଛି। କେନ୍ଦ୍ର ସରକାର ନିକଟରେ ଏହାର ନିୟନ୍ତ୍ରଣ ଲାଗି ନିର୍ଦେଶାବଳୀ ଜାରି କରିଛନ୍ତି। ତେଣୁ ଏହାର ଅନୁକରଣରେ ସିଡିଏମ୍ଓମାନେ ପଦକ୍ଷେପ ଗ୍ରହଣ କରିପାରିବେ।
ତେଣୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସ୍କ୍ରବ୍ ଟାଇଫସ ଓ ଲେପ୍ଟୋରିସିରିଓସିସ୍ ରୋଗୀ ସଂକ୍ରାନ୍ତୀୟ ସଚେତନତା ବୈଠକ କରିବେ। ଆଇଜିଏମ୍ ଏଲିସା କିଟ୍ରେ ଯଦି କୌଣସି ବ୍ୟକ୍ତି ଏହି ଦୁଇ ରୋଗରେ ଚିହ୍ନଟ ହୁଅନ୍ତି ତାହେଲେ ସେ ସଂପର୍କିତ ରିପୋର୍ଟ ଆଇଡିଏସ୍ପି ସେଲ୍କୁ ପଠାଇବାକୁ କୁହାଯାଇଛି। ଜ୍ବରରେ ଆକ୍ରାନ୍ତ ହୋଇ କୌଣସି ବ୍ୟକ୍ତି ହସ୍ପିଟାଲକୁ ଆସିଲେ ନିରୀକ୍ଷଣ ବଢ଼ାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ ରହିଛି।
ସ୍କ୍ରବ୍ ଟାଇଫସ୍ ସାଧାରଣଭାବେ ସିଗର୍ସ(ଲାର୍ଭାଲ ମାଇଟ୍ସ) କାମୁଡ଼ିବା ଦ୍ବାରା ଦେଖାଯାଇଥାଏ। ଟିଙ୍କ କାମୁଡ଼ିବାର ୧୦ଦିନ ପରେ ରୋଗୀଙ୍କଠାରେ ଜ୍ବର, ମୁଣ୍ଡବିନ୍ଧା, ଦେହ କୁଣ୍ଡେଇହେବା ଓ ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ଠିକ୍ ସମୟରେ ଚିକିତ୍ସା ନ ହେଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ। ରାଜ୍ୟରେ ସ୍କ୍ରବ୍ ଟାଇଫସ୍ରେ କୌଣସି ବ୍ୟକ୍ତି ଆକ୍ରାନ୍ତ ଅଛନ୍ତି କି ନାହିଁ ଜାଣିବା ଲାଗି ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଇସିଏମ୍ଆରକୁ ରକ୍ତ ନମୁନା ପରୀକ୍ଷଣ କରିବା ଲାଗି କୁହାଯାଇଥିଲା। ସେରୋ ସର୍ଭେ ସମୟରେ ଯେଉଁ ନମୁନା ସଂଗ୍ରହ କରାଯାଇଛି ତାହା ଉପରେ ଅଧିକ ଗବେଷଣା କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ନିବେଦନ କରିଥିଲା। ମାତ୍ର କରୋନାର ଦ୍ବିତୀୟ ଲହର ପାଇଁ ଏହି ଗବେଷଣା ଆଗକୁ ବଢ଼ିପାରି ନ ଥିବା ସୂଚନା ମିଳିଛି।