ଅପହଞ୍ଚ ଇଲାକାରେ ଚର୍ମ ରୋଗର ଆତଙ୍କ

ଜ୍ବରରେ କମ୍ପୁଛି ଜାଡ଼ା ଗ୍ରାମ, ଜଣେ ମୃତ, ଚିକିତ୍ସା ପାଇଁ ଝଡ଼ାଫୁଙ୍କାର ସାହାରା

ରା.ଉଦୟଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ପୁରୁଣାପାଣି ପଞ୍ଚାୟତର ଦୁଇ ଅପହଞ୍ଚ ଏବଂ ଦୁର୍ଗମ ଗାଁ କାଲାଦ୍ବାରୀ ଓ ଦଲିଖତରେ ଅଜଣା ଚର୍ମରୋଗର ଆତଙ୍କ ଦେଖାଦେଇଛି। ପିଲାଠୁ ଆରମ୍ଭ କରି ବୁଢ଼ା ସମସ୍ତେ ଏହି ରୋଗରେ ଆକ୍ରାନ୍ତ ‌ହୋଇଛନ୍ତି। ଶରୀରର ଯେକୌଣସି ଭାଗରେ ହଠାତ୍ କ୍ଷତ ସୃଷ୍ଟି ‌ହୋଇ ଘା ହୋଇଯାଉଛି। ତାହା ବଡ଼ ବ୍ରଣ ଆକାରର ହୋଇଯିବାପରେ ସେହି ସ୍ଥାନ ନାଲି ପଡ଼ିଯାଉଛି। ଏହାସହ ପାଣି ଓ ପୂଜ ବାହାରୁଛି। କେବଳ ଏତିକି ନୁହେଁ, କିଛି ଗ୍ରାମବାସୀ ଏହାମଧ୍ୟରେ ଜ୍ବରରେ ଆକ୍ରାନ୍ତ ହୋଇସାରିଛନ୍ତି। କାଲାଦ୍ଵାରୀ ଗ୍ରାମର ଜଟିଆଣି ରଇତ ଏକ ସପ୍ତାହ ହେଲା ଏହି ରୋଗ ସାଙ୍ଗକୁ ଜ୍ବର ଓ ମୁଣ୍ଡବିନ୍ଧାରେ ଛଟପଟ ହେଉଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗ୍ରାମକୁ ସ୍ବାସ୍ଥ୍ୟ ସେବା ଅପହଞ୍ଚ ହୋଇଥିବାରୁ ଦୁଇ ଗାଁର ଲୋକେ ବର୍ତ୍ତମାନ କେବଳ ଝଡ଼ାଫୁଙ୍କାର ସାହାରା ନେଉଛନ୍ତି। ସୀମାନ୍ତ ଗଞ୍ଜାମ ଜିଲ୍ଲାର ଖମ୍ବାରିଗାଁ ନିକଟ ଚୈତନ୍ୟପୁର ଗ୍ରାମକୁ ଗୁଣିଆ ପାଖକୁ ଝଡ଼ାଫୁଙ୍କା ପାଇଁ ଯାଉଛନ୍ତି। ହେଲେ, ଏହି ରୋଗରୁ ଉପଶମ ମିଳିବା ବଦଳରେ ସେମାନଙ୍କ ଯନ୍ତ୍ରଣା ଦିନକୁଦିନ ବଢ଼ିବାରେ ଲାଗିଛି। ବିଶେଷକରି ଛୋଟପିଲାମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। କିନ୍ତୁ କେଉଁ କାରଣରୁ ଏହି ରୋଗ ମହାମାରୀ ଭଳି ବ୍ୟାପିବାରେ ଲାଗିଛି ତାହା ଗ୍ରାମବାସୀ ଜାଣିପାରୁନାହାନ୍ତି। ତୁରନ୍ତ ଏଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିକାରମୂଳକ ପଦକ୍ଷେପ ନିଆ ନଗଲେ ସ୍ଥିତି ସଂଗିନ୍ ହେବା ଆଶଙ୍କା ଦେଖାଦେଇଛି। କାଲାଦ୍ବାରୀ ଓ ଦଲିଖତ ଗ୍ରାମକୁ ଏଯାଏ ସ୍ବାସ୍ଥ୍ୟ ବିଭାଗର କୌଣସି ଟିମ୍ ଏବଂ ପଞ୍ଚାୟତ ଜନପ୍ରତିନିଧିବୃନ୍ଦ ଓ ବ୍ଲକ୍ ପ୍ରଶାସନର ଅଧିକାରୀମାନେ ପହଞ୍ଚି ପାରିନାହାନ୍ତି। ସେହିପରି ଘରୋଇ ଉପଚାର ପାଇଁ ଔଷଧୀୟ ପତ୍ର ଓ ଚେରକୁ ବାଟି ଲଗାଉଛନ୍ତି। କିନ୍ତୁ ‌ଦେହରେ ରୋଗ ମାଳିବାରେ ଲାଗିଛି।

ଅନ୍ୟପକ୍ଷରେ, ଶିଆଳିଲଟି ପଞ୍ଚାୟତର ଜାଡ଼ା ଗ୍ରାମରେ ବି ଅଧିକାଂଶ ଲୋକ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସେମାନେ ବି ଝଡ଼ାଫୁଙ୍କାର ସାହାଯ୍ୟ ନେଉଛନ୍ତି। ଦେଢ଼ ମାସ ତଳ‌େ କାଳିଆ ରଇତ ନାମକ ଜଣେ ବ୍ୟକ୍ତି ଜ୍ବରରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ। ଜ୍ବର ଭଲ ହେବା ପାଇଁ ତାଙ୍କ ପରିବାର ଝଡ଼ାଫୁଙ୍କାର ଆଶ୍ରୟ ନେଇଥିଲେ। ଏହାମଧ୍ୟରେ ତାଙ୍କର ୧୦ ବର୍ଷର ପୁଅ ବି ଜ୍ବରରେ ପଡ଼ିଥିବା ସହ ତାର ଦେହର ଚର୍ମ ହଳଦିଆ ପଡ଼ିଯାଇଛି। ଫଳରେ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର