ଭୁବନେଶ୍ବର: ପୁଣି ଡରାଇଲାଣି ଅକ୍ଟୋବର। ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ସାରା ଦେଶରୁ ବିଦାୟ ନେବା କ୍ଷଣି ଓଡ଼ିଶାକୁ ବାତ୍ୟା ଆଶଙ୍କା ଦେଖାଦେଇଛି। ଚିତ୍ର ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଆସନ୍ତା ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଯାହାକି ୨୨ ତାରିଖରେ ଲଘୁଚାପ ଓ ୨୩ ତାରିଖରେ ଅବପାତରେ ପରିଣତ ହେବ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ମୁହାଁଇବ। ଏହାର ତୀବ୍ରତା କେତେ ରହିବ ତାହାକୁ ନେଇ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଡେଲ୍‌ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ‌ଜିଏଫ୍‌ଏସ୍‌ ମଡେଲ କହୁଛି ସମୁଦ୍ରରେ ଥିବା ସମୟରେ ଏହା ଛୋଟଧରଣର ବାତ୍ୟା ହୋଇପାରେ। ମାତ୍ର ଉପକୂଳ ଓଡ଼ିଶା ଛୁଇଁଲା ବେଳକୁ ଦୂର୍ବଳ ହୋଇଯିବ। ପବନର କୌଣସି ପ୍ରଭାବ ରହିବ ନାହିଁ। ହେଲେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୟୁରୋପିଆନ୍‌ ମଡେଲ୍‌ର ଆକଳନ ହେଉଛି ଯେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହେବ ନାହିଁ। ସମୁଦ୍ର ମଧ୍ୟରେ ଅବପାତ ରୂପରେ ରହିବ ଏବଂ ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମଡେଲ କହୁଛି।

Advertisment

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅପରାହ୍ଣ ୩ଟାରେ ତାମିଲନାଡ଼ୁର ବହୁ ଦୂରରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ରହିଥିଲା। ଏହା କ୍ରମଶଃ ପଶ୍ଚିମ ଦିଗରେ ଗତି କରି ୧୭ ତାରିଖ ସକାଳ ସୁଦ୍ଧା ତାମିଲନାଡ଼ୁ ଉପକୂଳ ସ୍ପର୍ଶ କରିବ। ୧୮ ତାରିଖରେ ଆରବ ସାଗରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାଦ୍ବାରା ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବ। ରାତି ତାପମାତ୍ରା କମିବ ନାହିଁ। ୧୮ ଓ ୧୯ ତାରିଖରେ ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣ ଦକ୍ଷିଣରେ ପାଗ ଆଂଶିକ ମେଘୁଆ ରହିବା ସହ ବିକ୍ଷିପ୍ତ ଭାବେ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। ୧୯ରୁ ୨୨ ତାରିଖ ମଧ୍ୟରେ ଉତ୍ତର-ପୂର୍ବା ପବନ ବହିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ଏକରୁ ଦେଢ଼ ଡିଗ୍ରି କମିପାରେ। ୨୧ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ୨୩ ତାରିଖରେ ଏହା ଅବପାତରେ ପରିଣତ ହେବା ସହ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପ୍ରଭାବରେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମେଘୁଆ ପାଗ ରହିବ। ଦିନ ସମୟରେ କୋହଲା ଓ ରାତି ତାପମାତ୍ରା ପ୍ରାୟ ଦେଢ଼ ଡିଗ୍ରି ବଢ଼ିବା ସହ ବର୍ଷା ହେବ। କେତେ ବର୍ଷା ହେବ ଏବଂ ଉପକୂଳରୁ କେତେ ଦୂରରେ ଯିବ ତାହା ଏବେଠାରୁ ଆକଳନ କରାଯାଇପାରିବ ନାହିଁ। ଯଦି ଓଡ଼ିଶା ଛୁଇଁବ କିମ୍ବା ଉପକୂଳ ନିକଟରେ ଯାଏ ତେବେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ଅପସାରଣ ପରେ ଏନେଇ ଅଧିକ ଆକଳନ କରିହେବ ବୋଲି ସେ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ଯେ ଏବେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହା ପ୍ରଭାବରେ ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ବର୍ଷା ହେଉଛି। ୧୬ରୁ ୧୮ ତାରିଖ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୨୦ ତାରିଖ ପରେ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ଆକଳନ କରାଯାଇପାରେ। ଏବେ ସେନେଇ କିଛି କହିହେବ ନାହିଁ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ସାରା ଦେଶରୁ ‌ସମ୍ପୂର୍ଣ୍ଣ ବିଦାୟ ନେଇଛି। ଦେଶର ଉତ୍ତର-ପଶ୍ଚିମ ଭାଗରୁ ସେପ୍ଟେମ୍ବର ୧୭ ବଦଳରେ ୨୩ ତାରିଖରୁ ଆରମ୍ଭ ହୋଇଥିବା ଅପସାରଣ ପ୍ରକ୍ରିୟା ଆଜି ଶେଷ ହୋଇଛି। ୧୩ ତାରିଖରେ ରାଜ୍ୟରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ସ୍ୱାଭାବିକ ତାରିଖରେ ବିଦାୟ ନେଇଛି। ମୌସୁମୀ ସମୟରେ ରାଜ୍ୟରେ ସ୍ବାଭାବିକ ବର୍ଷା ହୋଇଛି ଅକ୍ଟୋବର ମାସରେ କେତେକ ଜିଲ୍ଲାରେ‌ ଆଦୌ ବର୍ଷା ହୋଇ ନାହିଁ। ସୂଚନାଯୋଗ୍ୟ ଯେ ଚଳିତବର୍ଷ ଜୁନ ୨୦ରେ ରାଜ୍ୟର କିଛି ଅଞ୍ଚଳରେ ମୌସୁମୀ ଅଗ୍ରସର ହୋଇ ୨୨ରେ ସମ୍ପୂର୍ଣ୍ଣ ହୋଇଥିଲା। ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିରବ ରହିଛି।