ଭୁବନେଶ୍ବର: ରାଜ୍ୟରେ ୧୫-୧୮ବର୍ଷର ପିଲାଙ୍କ ଟିକାକରଣ ଧିମେଇ ଯାଇଛି। ଜାନୁଆରି ମାସରୁ ପିଲାଙ୍କ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଯଥାଶୀଘ୍ର ଟିକାକରଣ ଶେଷ କରିବା ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ମାତ୍ର ଏପ୍ରିଲ ଅଧା ସୁଦ୍ଧା ରାଜ୍ୟରେ ୫୮ ପ୍ରତିଶତ ପିଲା ଟିକା ନେଇପାରିଛନ୍ତି। ଆନ୍ଧ୍ର, ଜମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ ଭଳି ରାଜ୍ୟମାନେ ପିଲାଙ୍କ ଟିକାକରଣରେ ବେଶ୍ ଭଲ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀରେ କରୋନାର ଚତୁର୍ଥ ଲହର ପାଦ ଥାପି ସାରିଥିବା ବିଶେଷଜ୍ଞ ମତ ରଖୁଥିବା ବେଳେ ରାଜ୍ୟରେ ମଧ୍ୟ ଚତୁର୍ଥ ଲହରର ଭୟ ଦେଖା ଦେଇଛି। ଏ ସମୟରେ ପିଲାଙ୍କ ଟିକାକରଣ ଧିମେଇଯିବା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି।
ରାଜ୍ୟରେ ୧୫-୧୮ବର୍ଷରେ ୨୩.୬୫ଲକ୍ଷ ପିଲା ରହିଛନ୍ତି। ତହିଁରୁ ୨୦ଲକ୍ଷ(୮୭%)ରୁ ଅଧିକ ପିଲା ନିଜର ପ୍ରଥମ ଡୋଜ୍ ନେଇ ସାରିଥିବା ବେଳେ ୧୩ଲକ୍ଷ(୭୨%)ରୁ ଅଧିକ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ତେବେ ବୌଦ୍ଧ, ଦେବଗଡ଼, ନବରଙ୍ଗପୁର, ନୂଆପଡ଼ା, ଅନୁଗୁଳ, ଭଦ୍ରକ ଓ ପୁରୀ ଜିଲ୍ଲାରେ ପିଲାଙ୍କ ଟିକାକରଣ ୬୦ ପ୍ରତିଶତରୁ ବି କମ୍ ରହିଛି। ଜଗତସିଂହପୁର ଜିଲ୍ଲାରେ ଉଭୟ ଡୋଜ୍ ଟିକାକରଣ ସର୍ବାଧିକ ୯୨ ପ୍ରତିଶତ ଟିକାକରଣ ହୋଇପାରିଛି। ଭୁବନେଶ୍ବରରେ ୮୭, ବାଲେଶ୍ବର ୭୭, ଗଞ୍ଜାମ ୭୫, କଟକ ୭୨, ମାଲକାନଗିରି-କୋରାପୁଟରେ ୭୧ ଓ ଖୋର୍ଧା ୭୦ ପ୍ରତିଶତ ଟିକା ଦିଆଯାଇଛି। ଯଦି ଅନ୍ୟ ରାଜ୍ୟମାନଙ୍କ ସହିତ ରାଜ୍ୟରେ ପିଲାଙ୍କ ଟିକାକରଣକୁ ତୁଳନା କରାଯାଏ ତାହାଲେ ଓଡ଼ିଶା ବେଶ୍ ପଛରେ ରହିଛି। ଆନ୍ଧ୍ରରେ ୧୦୨ ପ୍ରତିଶତ ହୋଇଥିବା ବେଳେ ଜମ୍ମୁ ଓ କାଶ୍ମୀର ୮୩, ହିମାଚଳ ପ୍ରଦେଶ ୮୦ ପ୍ରତିଶତ ହୋଇପାରିଛି। ତେବେ ଜାତୀୟ ସ୍ତରରେ ପିଲାଙ୍କ ଟିକାକରଣ ୫୪ ପ୍ରତିଶତ ରହିଥିବା ଜଣାପଡ଼ିଛି।
ସେହିପରି ରାଜ୍ୟରେ ୧୨-୧୪ବର୍ଷର ପିଲାଙ୍କ ଟିକାକରଣ ମଧ୍ୟ ଉତ୍ସାହଜନକ ନୁହେଁ। ମାତ୍ର ୦.୧୩ ପ୍ରତିଶତ ପିଲା ଉଭୟ ଡୋଜ୍ ଟିକା ନେଇଛନ୍ତି। ଓଡ଼ିଶାରେ ୧୨-୧୪ ବର୍ଗର ୧୫.୨୧ଲକ୍ଷ ପିଲା ଥିବା ବେଳେ ଏଥିରେ ୭.୪ଲକ୍ଷ ବାଳିକା ରହିଛନ୍ତି। ବର୍ତମାନ ସୁଦ୍ଧା ୧୦ଲକ୍ଷ(୭୨%)ରୁ ଅଧିକ ପିଲା ନିଜର ପ୍ରଥମ ଡୋଜ୍ ନେଇ ସାରିଲେଣି। ଏଥିରେ ଗଞ୍ଜାମରୁ ସର୍ବାଧିକ ୧ଲକ୍ଷରୁ ଅଧିକ ପିଲା ନିଜର ପ୍ରଥମ ଡୋଜ୍ ନେଇଛନ୍ତି। ମୟୂରଭଞ୍ଜରେ ୬୫ହଜାରୁ ଅଧିକ, ବାଲେଶ୍ବରରେ ୬୨ହଜାରରୁ ଅଧିକ, କଟକ ୫୨ହଜାରରୁ ଅଧିକ ପିଲା ଟିକା ନେଇ ସାରିଲେଣି। ଏହାସହ ୧୮ବର୍ଷରୁ ଅଧିକ ପ୍ରିକସନ ଡୋଜ୍ କ୍ଷେତ୍ରରେ ମଧ୍ୟ ବିଶେଷ ଅଗ୍ରଗତି ଦେଖିବାକୁ ମିଳିନାହିଁ। ଗତମାସରେ ଦୈନିକ ଟିକାକରଣ ୧.୫ଲକ୍ଷ ରହୁଥିବା ବେଳେ ଏବେ ତାହା ୫୦ହଜାରକୁ ଖସି ଆସିଛି। ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ତେବେ ୧୫-୧୮ବର୍ଗର ପିଲାଙ୍କ ଟିକାକରଣ ଚଳିତମାସରେ ଶେଷ କରିବା ଲାଗି ସେଭଳି କୌଣସି ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ନ ଥିଲା। କିନ୍ତୁ ଯଥାଶୀଘ୍ର ଏହାକୁ ଶେଷ କରିବା ଲାଗି କୁହାଯାଇଥିଲା। ତେଣୁ ପିଲାଙ୍କ ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି ସ୍କୁଲ କର୍ତୃପକ୍ଷମାନଙ୍କୁ କୁହାଯାଇଥିବା ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।