କରୋନାର ଚତୁର୍ଥ ଲହର ଭୟ: ପିଲାଙ୍କୁ ଥଣ୍ଡାଜ୍ବର ହେଲେ ସ୍କୁଲ ମନା

ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ଟିକା ନେଇପାରିବେ ୧୨-୧୪ବର୍ଷର ପିଲା

ଭୁବନେଶ୍ବର: କରୋନାର ଚତୁର୍ଥ ଲହରକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି। କିଛି ରାଜ୍ୟରେ ହଠାତ୍ ସଂକ୍ରମଣ ବୃଦ୍ଧି ପାଇବା ପରେ ଓଡ଼ିଶା ପାଇଁ ଏହା ଆହ୍ବାନ ସୃଷ୍ଟି କରିଛି। ଆଗୁଆ ସତର୍କତାମୂଳକ ପଦକ୍ଷେପସ୍ବରୂପ ଜିଲ୍ଲାସ୍ତରରେ ଏଥିପାଇଁ ସତର୍କ ରହିବା ଲାଗି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏବେ ସ୍କୁଲ ଖୋଲିଥିବା ବେଳେ ଛାତ୍ରଛାତ୍ରୀ ଥଣ୍ଡାଜ୍ବରରେ ପୀଡ଼ିତ ହେଉଥିବା ନଜରକୁ ଆସିଛି। ତେଣୁ ପିଲାଙ୍କୁ ଥଣ୍ଡାଜ୍ବର କିମ୍ବା କରୋନା ଲକ୍ଷଣ ଦେଖାଦେଲେ ସ୍କୁଲ ନ ଛାଡ଼ିବା ସହିତ ତୁରନ୍ତ ପରୀକ୍ଷା କରାଇନେବା ଜରୁରୀ। ଆଜି ଅଭିଭାବକ ଓ ସ୍କୁଲ କର୍ତୃପକ୍ଷଙ୍କୁ ଏହି ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ ମହାପାତ୍ର।

ଡା.ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସବୁ ଥଣ୍ଡାଜ୍ବର କରୋନା ନୁହେଁ। ଅଲଗା ଭାଇରାଲ ଇନଫେକ୍ସନ୍ ବି ଥଣ୍ଡାଜ୍ବର କରିଥାଏ। କିନ୍ତୁ ଏହାକୁ ହେୟଜ୍ଞାନ କରିବା ଉଚିତ୍ ନୁହେଁ। ପରୀକ୍ଷା କରିବା ଦ୍ବାରା ରାଜ୍ୟରେ ସଂକ୍ରମଣ ହାର କେତେ ରହୁଛି ତାହା ସାମ୍ନାକୁ ଆସିପାରିବ। ଜାଣ ଜାଣି ‌ପରୀକ୍ଷା ନ କଲେ ବିପଦକୁ ଟାଣିବା ସହିତ ସମାନ। ଦେଶରେ କରୋନା ସଂକ୍ରମଣ ବଢ଼ୁଛି, ‌ରାଜ୍ୟରେ ସଂକ୍ରମଣ ନ ବଢ଼ିବ ବୋଲି କହିହେବନି। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଯଦି ସଂକ୍ରମଣ ବଢ଼େ ତାହା କିପରି ନିୟନ୍ତ୍ରଣାଧୀନ ହୋଇ ରହିବ ତାହାକୁ ଲୋକମାନେ ଗୁରୁତ୍ବ ଦେବା ଉଚିତ୍। ରାଜ୍ୟରେ ନୂଆ ଭାରିଏଣ୍ଟ ନେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ୍‌) ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିବା ଡା.ମହାପାତ୍ର କହିଛନ୍ତି।

ଅପରପକ୍ଷରେ ପିଲାଙ୍କ ଟିକାକରଣ ବଢ଼ାଇବା ଲାଗି ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ଟିକା ନେବାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଏହି ଭିତ୍ତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାମାନଙ୍କୁ ଚିଠି ଜାରି ହୋଇଛି। ଚିଠିରେ କୁହାଯାଇଛି ଯେ, ୧୨-୧୪ବର୍ଗର ପିଲାଙ୍କ ଟିକାକରଣ ମାର୍ଚ ୧୬ତାରିଖରୁ ଆରମ୍ଭ ହୋଇଛି। ଚଳିତମାସ ୧୫ତାରିଖ ସୁଦ୍ଧା ରାଜ୍ୟରେ ୧୦.୮୩ଲକ୍ଷ ବା ୭୧ ପ୍ରତିଶତ ପିଲା ନିଜର ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଏହାସହ ଦ୍ବିତୀୟ ଡୋଜ୍ ଟିକା ନେବା ପାଇଁ ଯୋଗଁ ପିଲାଙ୍କ ମଧ୍ୟରୁ ୫୮୮୯ଜଣ ଦ୍ବିତୀୟ ଡୋଜ୍ ନେଇ ସାରିଲେଣି। ତେବେ ଘରୋଇ ହସ୍ପିଟାଲରେ କର୍ବିଭାକ୍ସ ଟିକା ନେବା ଲାଗି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଟିକା ପିଛା ୮ଶହ ଟଙ୍କା ସହିତ ୫ ପ୍ରତିଶତ ଜିଏସ୍‌ଟି ରହିଛି। ଏହାସହ ଘରୋଇ ଟିକାକରଣ କେନ୍ଦ୍ର ମଧ୍ୟ ସେବା ବାବଦରେ ୧୫୦ ଟଙ୍କା ‌ନେଇପାରନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି। କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ଓଡ଼ିଶାରେ ୬୦ବର୍ଷରୁ ଅଧିକ ବୟସ୍କଙ୍କ ଦ୍ବିତୀୟ ଡୋଜ୍ ଓ ପ୍ରିକସନ୍ ଡୋଜ୍ ଟିକାକରଣ ଉତ୍ସାହଜନକ ନ ଥିବା ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ।
ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୭ହଜାର ୯୭୯କୁ ବୃଦ୍ଧି ପାଇଛି। ଆଉ କୌଣସି ନୂଆ କରୋନା ମୃତ୍ୟୁ ସଂପର୍କରେ ସରକାରୀ ଘୋଷଣା ହୋଇନାହିଁ। ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦୧ ରହିଛି। ରାଜ୍ୟର ୧୩ଟି ଜିଲ୍ଲା ଏବେ କରୋନାମୁକ୍ତ ରହିଛି।

ସମ୍ବନ୍ଧିତ ଖବର