ତୃତୀୟ ଲହର ଭୟ: ପାର୍ବଣ ଋତୁରେ ବାହାରେ ଭିଡ଼ କରନି

୬୨୫ ପଜିଟିଭ୍, ୬୭ ମୃତ୍ୟୁ

ଭୁବନେଶ୍ବର: କ‌ରୋନାର ସମ୍ଭାବ୍ୟ ତୃତୀୟ ଲହର ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବିଶେଷଜ୍ଞମାନେ ତୃତୀୟ ଲହର ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଆସିପାରେ ବୋଲି ଅନୁମାନ କରୁଛନ୍ତି। ଏହି ସମୟରେ ପାର୍ବଣ ଋତୁ ଥିବାରୁ ଲୋକମାନେ ବାହାରକୁ ଆସି ଭିଡ଼ ନ ଜମାଇବା ଲାଗି ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଦ୍ବିତୀୟ ଲହର ଥିକ୍ ଟେଲ ବା ମୋଟା ଲାଞ୍ଜ ପରିସ୍ଥିତିରେ ରହିଛି। ଭୁବନେଶ୍ବରରେ ମଧ୍ୟ ସଂକ୍ରମଣ ପୂର୍ବାପେକ୍ଷା କମିଛି। ପ୍ରଥମ ଲହରରେ ଶିଶୁମାନେ ସଂକ୍ରମିତ ହେଉଥିଲେ ଏବେ ବି ହେଉଛନ୍ତି। ଯେହେତୁ ୧୮ବର୍ଷରୁ କମ୍ ପିଲାଙ୍କୁ ଟିକା ଦିଆଯାଇନି ତେଣୁ ସେମାନେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି। ଟିକା ନେବା ପରେ ବି ଲୋକମାନେ ସଂକ୍ରମିତ ହେବେ ମାତ୍ର ଗୁରୁତର ହେଉ ନାହାନ୍ତି। ତେବେ ଶିଶୁମାନଙ୍କ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ଡା. ମିଶ୍ର କହିଛନ୍ତି। ତେବେ ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହରରେ ଦୈନିକ ସଂକ୍ରମଣ ୧୪ହଜାର ଛୁଇଁପାରେ ବୋଲି ପର୍ବରୁ ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି ସୂଚନା ଦେଇ ସାରିଛନ୍ତି। ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି କରିଛନ୍ତି। ତୃତୀୟ ଲହରରେ ପାଇଁ ଯାହା ଆବଶ୍ୟକ ରହିଛି ତାହା ତୁଳନାରେ ସରକାର ଅଧିକ ପ୍ରସ୍ତୁତ ରହିଛନ୍ତି ବୋଲି ସେ କହିଥିଲେ। ରାଜ୍ୟରେ ନମୁନା ପରୀକ୍ଷାରେ ହଠାତ୍ ହ୍ରାସ ଦେଖିବାକୁ ମିଳିଛି। ଯାହାଫଳରେ ସଂକ୍ରମିତଙ୍କ ସଂଖ୍ୟା ପାଇଛି।

ଗତ ୨୪ଘଣ୍ଟାରେ ରାଜ୍ୟର ୫୩,୫୨୭ ନମୁନା ପରୀକ୍ଷା ହୋଇଥିବା ବେ‌ଳେ ୬୨୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ରହିଛି ୧.୧୭ ପ୍ରତିଶତ। ଖୋର୍ଧାରୁ ସର୍ବାଧିକ ୨୧୪, କଟକ ୫୬, ବାଲେଶ୍ବର ୫୦, ଜଗତସିଂହପୁର ୩୮, ଯାଜପୁର ୩୪, ପୁରୀ ୨୯, କେନ୍ଦୁଝର, ଅନୁଗୁଳ, ସମ୍ବଲପୁରରୁ ୧୮ ଲେଖାଏଁ ଓ ଷ୍ଟେଟ୍‌ ପୁଲରୁ ୪୮ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୨ହଜାର ୩୨୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୬୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା କରାଯାଇଛି। ଏଥିରେ କଟକ ୨୦, ଜଗତସିଂହପୁର ୧୪, ଢେଙ୍କାନାଳ ୮, ଯାଜପୁର ୬, ବାଲେଶ୍ବର ୫, ଅନୁଗୁଳ, କେନ୍ଦ୍ରାପଡ଼ାରେ ୩ ଲେଖାଏଁ, ଭଦ୍ରକ, ମୟୂରଭଞ୍ଜରେ ୨ ଲେଖାଏଁ, ରାୟଗଡ଼ା, ପୁରୀ, ନବରଙ୍ଗପୁର, କେନ୍ଦୁଝରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୭୪୯୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୧୦୩୫ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୪୦୮କୁ ଖସି ଆସିଛି। ଅପରପକ୍ଷରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୮୭ହଜାର ୩୬୯କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର