ବାରିପଦା: ଶିମିଳିପାଳ ଅଭୟାରଣ୍ୟରୁ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗ ପଳାଇଥିବା ବାଘୁଣୀ ‘ଜୀନତ୍‌’ ଆଜି ୪ଟି ଛେଳି ଶିକାର କରିଛି। ଗାଁରେ ପଶି ୪ଟି ଛେଳିକୁ ମାରିବା ପରେ ୨ଟିକୁ ଖାଇ ଦେଇଛି। ଅନ୍ୟପଟେ ବନ ବିଭାଗର ୧୨୦ ଜଣିଆ ଟିମ୍‌ ‘ଜୀନତ୍‌’କୁ ଟ୍ରାଙ୍କୁଲାଇଜ୍‌ କରିବାକୁ ସୁଯୋଗ ଉଣ୍ଡୁଛନ୍ତି। ଜୀନତ୍‌ ଭୟରେ ବୁଦ୍‌ୱାନ ଜଙ୍ଗଲ ନିକଟବର୍ତ୍ତୀ ୮ଟି ଗାଁରେ ତାଟିକବାଟ ପଡ଼ି ଯାଇଛି। ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ବୁଦ୍‌ୱାନର ରାଇକା ହୋଲିକ୍‌ ଜଙ୍ଗଲରୁ ଚିଲିକା ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।

Advertisment

ପଶ୍ଚିମବଙ୍ଗ ରାଜ୍ୟ ପୁରୁଲିଆ ଜିଲ୍ଲା ରାଇକିଆ ପାହାଡ଼ ସଂଲଗ୍ନ କ୍ୱିଲାପାଳ ଜଙ୍ଗଲରେ ଜୀନତ୍‌ ଏବେ ବୁଲୁଛି। ଯନ୍ତାରେ ଛେଳି ଓ ବାର୍‌ହା ରଖି ଥୋପ ପକାଯାଉଥିଲେ ମଧ୍ୟ ବାଘୁଣୀ ଖାଇବାକୁ ଆସୁନାହିଁ। ବିଭାଗୀୟ କର୍ମଚାରୀମାନେ ଅତ୍ୟାଧୁନିକ ଟ୍ରାକିଂ ସିଷ୍ଟମ୍‌ ଜରିଆରେ ଟ୍ରାଙ୍କୁଲାଇଜ୍‌ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ବନ ବିଭାଗର ଯନ୍ତା, ଗାଡ଼ି ଓ କର୍ମଚାରୀଙ୍କ ଚଳପ୍ରଚଳ ସଂପର୍କରେ ଜାଣି ଜୀନତ୍‌ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି। ବନ ବିଭାଗ ପକ୍ଷରୁ ସାଟେଲାଇଟ୍‌ ମନିଟରିଂ, ଥର୍ମାଲ ଇମେଜ୍ ସ୍କାନିଂ ସିଷ୍ଟମ୍‌ ଓ ନାଇଟ୍‌ ଭିଜନ୍‌ ଡ୍ରୋନ୍‌ ମାଧ୍ୟମରେ ସ୍ଥିତି ନିରୀକ୍ଷଣ କରାଯାଉଛି।

୪ ଛେଳିକୁ ମାରିଲା, ଦୁଇଟି ଖାଇଲା
ବାଘୁଣୀ ପଛରେ ୩ ରାଜ୍ୟର ୧୨୦ ଜଣିଆ ଟିମ୍‌

ସୁନ୍ଦରବନର ଏକ ଟିମ୍ ଜାଲ ପକାଇ ବାଘ ଧରିବା ନିମନ୍ତେ ନିୟୋଜିତ ହୋଇଛନ୍ତି। ଆଜି ଗାଁରେ ପଶି ଛେଳି ଶିକାର କରିବା ପରେ ଡାକବାଜି ଯନ୍ତ୍ର 
ଯୋଗେ ଜଙ୍ଗଲ ସଂଲଗ୍ନ କେଶରା, କୈରା, ସାଗେଡ଼ି, ଲେଡ଼ାଶୋଲ, ଚିରୁଗାଡୁ, ବାରୁଡ଼ି ଆଦି ଗାଁର ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ସଂପୃକ୍ତ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବା ବେଳେ ଗାଁ ଲୋକେ ଏକୁଟିଆ ଯାତାୟାତ କରିବାକୁ ଅସୁରକ୍ଷିତ ମଣୁଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୩୦ ଜଣିଆ ଟିମ୍‌, ପଶ୍ଚିମବଙ୍ଗ ପୁରୁଲିଆ ବନଖଣ୍ଡର ୩୦ ଜଣିଆ ଟିମ୍‌ ଓ ସୁନ୍ଦରବନର ଏକ ସ୍ୱତନ୍ତ୍ର ଟିମ୍‌ ସମେତ କାଜିରଙ୍ଗା ବ୍ୟାଘ୍ର ପ୍ରକଳ୍ପ କର୍ମଚାରୀ ମିଶି ୧୨୦ ଜଣିଆ ଟିମ୍‌ ବାଘୁଣୀକୁ ଧରିବା ପାଇଁ ଦିନରାତି ପ୍ରୟାସ ଜାରି ରଖିଛନ୍ତି। ବାଘୁଣୀ ବୁଲୁଥିବା ନେଇ ଗୁଜବ ସୃଷ୍ଟି ନ କରିବାକୁ ପୁରୁଲିଆ ବନଖଣ୍ଡ ଅଧିକାରୀ ଅଞ୍ଜନ ଗୁହା ନିବେଦନ କରିଛନ୍ତି।