ବାଲେଶ୍ବର : ଟଙ୍କା ଲୁଟିବା ପାଇଁ ସର୍ବସମ୍ମୁଖରେ ଗୁଳି ମାରିବାକୁ ପଛାଉନାହାନ୍ତି ଦୁର୍ବୃତ୍ତ। ଆଉ ବାଲି ମାଫିଆଙ୍କ ଦୁଃସାହସ ଏମିତି ଯେ, ସେମାନେ ପୁଲିସ ମୁଣ୍ଡରେ ବନ୍ଧୁକ ଲଗାଇ ଜବତ ଜିନିଷ ଛଡ଼ାଇ ନେବା ସହ ମାଜିଷ୍ଟ୍ରେଟ୍ଙ୍କୁ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ କରୁଛନ୍ତି। ସବୁଠୁ ପରିତାପର ବିଷୟ ହେଉଛି, ଅପରାଧୀଙ୍କୁ ଧରିବା ଦୂରେ ଥାଉ, ସେମାନଙ୍କ ବିରୋଧରେ ଅଭିଯୋଗ କରିବାକୁ ବି ସରକାରୀ କଳ ଥତମତ ହେଉଛି ବାଲେଶ୍ବରର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣା ଅନୁସାରେ, ବାଲେଶ୍ବର ସଦର ଥାନା ସିନ୍ଧିଆ ପଞ୍ଚାୟତ କୁଡ଼ିଆଠାରେ ଥିବା ବୁଢ଼ାବଳଙ୍ଗ ନଦୀଘାଟରୁ ବେଆଇନ୍ ବାଲି ଉତ୍ତୋଳନ କରାଯାଉଥିବା ନେଇ ୩୦ ତାରିଖ ସକାଳେ ଜିଲ୍ଲାପାଳଙ୍କୁ କେହି ଜଣେ ବ୍ୟକ୍ତି ଫୋନ୍ କରି ସୂଚନା ଦେଇଥିଲେ। ଜିଲ୍ଲାପାଳଙ୍କଠୁ ନିର୍ଦେଶ ପାଇ ସଦର ତହସିଲଦାର ଅନାମିକା ସିଂ, ତାଙ୍କ ଟିମ୍ ଏବଂ ସାଙ୍ଗରେ ସଦର ଥାନାର ଜଣେ କନେଷ୍ଟବଳ ଘଟଣାସ୍ଥଳକୁ ଯାଇଥିଲେ। ଯାଞ୍ଚ ବେଳେ ସକସନ୍ ମେସିନ୍ (ନଦୀ ଭିତରୁ ବାଲି ଉତ୍ତୋଳନ କରୁଥିବା ଯନ୍ତ୍ର) ଲାଗିଥିବା ଏକ ବୋଟ୍କୁ ଜବତ କରାଯାଇଥିଲା। ୨ ଜଣ ବୋଟ୍ମ୍ୟାନ୍ ଓ ସମ୍ପୃକ୍ତ କନେଷ୍ଟବଳଙ୍କ ଦ୍ବାରା ଜବତ ବୋଟ୍କୁ ବାଲିଘାଟ ନିକଟକୁ ଆଣିବାକୁ ନିର୍ଦେଶ ଦେଇ ତହସିଲଦାର ସେଠାରୁ ଆସିଥିଲେ। ତେବେ ଅପରାହ୍ନ ପାଖାପାଖି ୫ଟା ସମୟରେ ସିନ୍ଧିଆ ଘାଟ ନିକଟରେ ହଠାତ୍ ୨୦ରୁ ୨୫ ଜଣ ଯୁବକ ବନ୍ଧୁକ, ଖଣ୍ଡା ଓ କାତି ଧରି ନଈ ଭିତରେ ବୋଟ୍ଟିକୁ ଘେରି ଯାଇଥିଲେ। କନେଷ୍ଟବଳଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବୋଟ୍ଟିକୁ ନଛାଡ଼ିଲେ ଗୁଳି କରିବା ସହ ଅନ୍ୟମାନଙ୍କୁ କାଟି ନଦୀରେ ଫୋପାଡ଼ି ଦେବାକୁ ଧମକାଇଥିଲେ। ତେଣୁ ଭୟରେ ସମସ୍ତେ ବୋଟ୍ରୁ ଓହ୍ଲାଇ ପଡ଼ିବା ପରେ ସେମାନେ ବୋଟ୍ଟିକୁ ନେଇ ଯାଇଥିଲେ।
ତେବେ, ଘଟଣାର ୫ ଦିନ ପରେ ବି ଥାନାରେ କୌଣସି ମାମଲା ରୁଜୁ ହୋଇ ପାରିନାହିଁ। ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/sand-mining-l.jpg)