ଅନୁଗୁଳ/ଢେଙ୍କ‌ାନାଳ: ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶାଣିତ ସମାଲୋଚନା କରିବା ସହ ରାଜ୍ୟ ସରକାରଙ୍କ ସଫଳତାର ହିସାବ ଦେଇଛନ୍ତି। ଅନୁଗୁଳ ଓ ଢେଙ୍କାନାଳର ପୁଅ ବୋଲି କହୁଥିବା ଧର୍ମେନ୍ଦ୍ର କାହିଁକି ଏଠାରେ ଲଢ଼ିବାକୁ ସାହସ କଲେନି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ। ଏକଥା ବି କହିଛନ୍ତି ଯେ ତାଙ୍କୁ ହାରିବା ଭୟ ଘାରିଛି। ନିଜ ମାଟି ପାଇଁ କିଛି କରିନଥିବାରୁ ସେ ବାଧ୍ୟ ହୋଇ ସମ୍ବଲପୁର ଯାଇ ନିର୍ବାଚନ ଲଢ଼ୁଛନ୍ତି। ହେଲେ କାମ କରିନଥିବା ନେତାଙ୍କୁ ଲୋକେ ଗ୍ରହଣ କରିବେନି।

Advertisment

କାର୍ତ୍ତିକ ପାଣ୍ଡିଆନ ଆଜି ଢେଙ୍କାନାଳର ହିନ୍ଦୋଳ, ଭୁବନ ଓ କଙ୍କଡ଼ାହାଡ଼ ବ୍ଲକ୍‌ରେ ପ୍ରଚାର ସାରିବା ପ‌ରେ ଅନୁଗୁଳର ପାଳଲହଡ଼ା ଓ ତାଳଚେରରେ ସାଧାରଣ ସଭାକୁ ଉଦ୍‌ବୋଧନ ଦେଇଥିଲେ। ସବୁ ସଭାରେ ତାଙ୍କ ଟାର୍ଗେଟ୍‌ରେ ଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହିନ୍ଦୋଳରେ ପାଣ୍ଡିଆନ କହିଥି‌ଲେ, ଜଣେ କେନ୍ଦ୍ରମନ୍ତ୍ରୀ ଆମ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳି ଦେଉଛନ୍ତି। ଏଭଳି ନେତାଙ୍କୁ ଯିଏ ଅସମ୍ମାନ କରୁଛି ତାଙ୍କୁ ୨୫ ତାରିଖ ନିର୍ବାଚନରେ ଉଚିତ ଜବାବ ଦେବା। ୧୦ବର୍ଷ କେନ୍ଦ୍ରମନ୍ତ୍ରୀ ରହି କଟକ-ସମ୍ବଲପୁର ରାସ୍ତା ସଜାଡ଼ି ପାରିଲେନି। ଆପଣଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ଦକ୍ଷତା ବିକାଶ କେନ୍ଦ୍ର ଦେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ଚଉକିକୁ ସ୍ବପ୍ନରେ ଦେଖୁଥିବା ଲୋକ ସେବା କେମିତି କରିବ ବୋଲି କହି ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଥିଲେ। ପ‌ରେ କଙ୍କଡ଼ାହାଡ଼ ଯାତ୍ରା ପଡ଼ିଆରେ ଜନସଭାକୁ ସମ୍ବୋଧିତ କରି ପରଜଙ୍ଗକୁ ଏନ୍‌ଏସି ମାନ୍ୟତା, ପରଜଙ୍ଗଠାରେ ଗ୍ରିଡ୍‌ ସବ୍‌ଷ୍ଟେସନ୍‌ ନିର୍ମାଣ ଓ ଅନନ୍ତଶୟନ ମନ୍ଦିରକୁ ସାଢ଼େ ୩ କୋଟି ଟଙ୍କା ଅନୁଦାନ ପ୍ରଦାନ କଥା ଉଠାଇଥିଲେ। କାମାକ୍ଷାନଗର ନିର୍ବାଚନମଣ୍ଡଳୀ ଭୁବନ ବାଟତାରିଣୀ ପଡ଼ିଆରେ ପହଞ୍ଚି ଜନସଭାକୁ ସେ ସମ୍ବୋଧିତ କରିଥିଲେ। ସେ କହିଥିଲେ, କେନ୍ଦ୍ରମନ୍ତ୍ରୀଙ୍କ ନିଜ ଗାଁ ସ୍କୁଲ୍‌କୁ ବି ମୁଖ୍ୟମନ୍ତ୍ରୀ ୫-ଟିରେ ରୂପାନ୍ତରଣ କରିଛନ୍ତି। କିନ୍ତୁ ୧୦ବର୍ଷ ବିତିଲା ପଛେ କେନ୍ଦ୍ରମନ୍ତ୍ରୀ ନିଜ ଗାଁ ଲୋକଙ୍କ ମନ ଜିଣି ପାରିଲେ ନାହିଁ।

ଅନୁଗୁଳ ଜିଲ୍ଲା ପାଳଲହଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ପାଣ୍ଡିଆନ କହିଥିଲେ ଯେ, କେନ୍ଦ୍ର ଶିକ୍ଷା ବିଭାଗର ମନ୍ତ୍ରୀ ଚାହିଁଥିଲେ ପ୍ରତି ବ୍ଲକରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ହୋଇଥାନ୍ତା। ଗୋଟିଏ ଦସ୍ତଖତରେ ନବୋଦୟ ବିଦ୍ୟାଳୟ ହୋଇଥାନ୍ତା। ଗୋଟିଏ ସେକେଣ୍ଡରେ ଢେଙ୍କାନାଳ, ଅନୁଗୁଳ ଜିଲ୍ଲାର ସବୁ ବ୍ଲକ୍‌ରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ଦକ୍ଷତା ବିକାଶ କେନ୍ଦ୍ର ଖୋଲି ପାରିଥାନ୍ତେ। କିନ୍ତୁ ସେ ଏ ମାଟିରେ ଜନ୍ମ ହୋଇ ଏହାକୁ ଭୁଲି ଯାଇଛନ୍ତି। ଏହି ପବିତ୍ର ମାଟିର ବରପୁତ୍ରମାନଙ୍କ ସମ୍ମାନ ରଖିବା ପାଇଁ କିଛି କଲେ ନାହିଁ। ଏଥିପାଇଁ ପ୍ରତ୍ୟେକ ନିର୍ବାଚନରେ ଅଞ୍ଚଳବାସୀ ତାଙ୍କୁ ଉଚିତ୍‌ ଜବାବ ଦେଉଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ମାଟିରେ ଜନତାଙ୍କ ଆଶୀର୍ବାଦରେ ପୁଣି ଶଙ୍ଖ ବାଜିବ ବୋଲି ପାଣ୍ଡିଆନ କହିଥିଲେ। ତାଳଚେ‌ର ସଭାରେ ସେ କୋଇଲା ରୟାଲିଟି ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ସରକାରଙ୍କ ପାଇଁ ତାଳଚେରର ବିକାଶ ବାଧାପ୍ରାପ୍ତ ହେଉଛି ବୋଲି କହିଥିଲେ। କେନ୍ଦ୍ର କୋଇଲା ରୟାଲିଟି ବଢ଼ାଉନି। ଏହା କହିଲେ କେନ୍ଦ୍ରମନ୍ତ୍ରୀ ରାଗୁଛନ୍ତି। ଏଥିରୁ ସେ ତାଳଚେର ମାଟି ପାଇଁ କେତେ ଚିନ୍ତିତ ତାହା ଜଣାପଡ଼ୁଛି ବୋଲି କହିଥିଲେ। ସନ୍ଧ୍ୟାରେ ଅନୁଗୁଳ ସହରରେ ରୋଡ ସୋ’ କରି ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ। ଆସନ୍ତା ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ପ୍ରଥମ ଦସ୍ତଖତରେ ରାଜ୍ୟରେ ବିଜୁଳି ବିଲ୍‌ ଛାଡ଼ କରିବେ। ଏହାଦ୍ବାରା ଓଡ଼ିଶାର ୯୦ ପ୍ରତିଶତ ପରିବାର ଉପକୃତ ହେବେ ବୋଲି ପାଣ୍ଡିଆନ୍ କହିଥିଲେ। ଏହି ସବୁ କାର୍ଯ୍ୟକ୍ରମ‌ରେ ବିଜେଡିର ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।