ବାରିପଦା: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଘଟିଲା। ଶିମିଳିପାଳରୁ ଖସି ୧୨ ଦିନ ହେଲା ଝାଡ଼ଖଣ୍ଡର ବିଭିନ୍ନ ଜଙ୍ଗଲରେ ଘୂରି ବୁଲିବା ପରେ ଶେଷରେ ପଶ୍ଚିମବଙ୍ଗକୁ ପଳାଇଲା ବାଘୁଣୀ ଜୀନତ୍‌। ଫଳରେ ଏବେ ବାଘୁଣୀକୁ ଫେରାଇ ଆଣିବା ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ଗତ ନଭେମ୍ବର ମାସରେ ମହାରାଷ୍ଟ୍ରର ତଡ଼ବା-ଅନ୍ଧାରୀ ଜଙ୍ଗଲରୁ ଶିମିଳିପାଳ ଆସିଥିବା ଜୀନତ୍‌ ଚଳିତ ମାସ ୮ ତାରିଖ ରାତିରେ ବାଙ୍ଗିରିପୋଷି ଦେଇ ଝାଡ଼ଖଣ୍ଡ ରାଜ୍ୟରେ ପ୍ରବେଶ କରିଥିଲା। ଚାକୁଳିଆ ଅଞ୍ଚଳ ଦେଇ ରାଜାବସ‌ା ଓ ଚିଆବାନ୍ଧି ଜଙ୍ଗଲରେ ୧୦ ଦିନ ହେଲା ଏପଟ ସେପଟ ହେଉଥିଲା।

ଗୋଟିଏ ଦିନରେ ଚାଲିଲା ୨୬ କିମି
ଏବେ ଟ୍ରାଙ୍କୁଲାଇଜ୍‌ କରିବା କଷ୍ଟକର

Advertisment

ବନ ବିଭାଗ ପକ୍ଷରୁ ତାକୁ ଟ୍ରାଙ୍କୁଲାଇଜ୍‌ କରି ଶିମିଳିପାଳ ଫେରାଇ ଆଣିବାକୁ ଉଦ୍ୟମ ହୋଇଥିଲେ ବି ଏହି ପ୍ରୟାସ ସଫଳ ହୋଇନଥିଲା। ହେଲେ ବନ କର୍ମଚାରୀ ଜୀନତ୍‌କୁ ୧ କିମି ପରିଧି ଦୂରରେ ନିୟମିତ ନଜର ରଖୁଛନ୍ତି ବୋଲି କହିଥିଲେ ଶିମିଳିପାଳ ଟାଇଭର ରିଜର୍ଭ (ଏସ୍‌ଟିଆର୍‌) କର୍ତ୍ତୃପକ୍ଷ। ତେବେ ସମସ୍ତଙ୍କୁ ଚକ୍‌ମା ଦେଇ ୧୯ ତାରିଖ ଦିନ ଚିରଚିରା-ଚିକିଲିଗଡ-ଗିଦ୍ଧିନି-ପରିହାତୀ-ଦୁବରାଜପୁର-ସିଲଦା ହୋଇ ପଶ୍ଚିମବଙ୍ଗର କହେଁଇଶୋର ଜଙ୍ଗଲକୁ ଚାଲିଯାଇଥିଲା ଜୀନତ୍‌। ଆଜି ଭୋର୍‌ ସମୟରେ ଝାଡ଼ଗ୍ରାମ ବନଖଣ୍ଡର ବେଲପାହାଡ଼ି ରେଞ୍ଜରେ ବାଘୁଣୀର ଅବସ୍ଥିତି ଟ୍ରାକ୍‌ ହୋଇଥିବା ବେଳେ ସନ୍ଧ୍ୟାରେ ପଶ୍ଚିମବଙ୍ଗର ଶିମୁଲିପାଲ ଜଙ୍ଗଲରେ ଠାବ ହୋଇଛି। ଆଜି ଗୋଟିଏ ଦିନରେ ସେ ୨୬ କିମି ଜଙ୍ଗଲ ଅତିକ୍ରମ କରିଥିବା ଜଣାପଡ଼ିଛି। ବାଘୁଣୀ ଭୟରେ ଜଙ୍ଗଲ ଆଖପାଖ ଅଞ୍ଚଳରେ ହାଇଆଲର୍ଟ ଜାରି କରିଛି ସ୍ଥାନୀୟ ପ୍ରଶାସନ।