ଭବାନୀପାଟଣା : ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ଘଟଣା ବିଜେଡି ପାଇଁ ଏକ ଅପୂରଣୀୟ କ୍ଷତି ଆଣିଛି। ଦଳ ଭୁବନେଶ୍ବସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଶୋକସଭା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଏହିଭଳି ଏକ ସମୟରେ କଳାହାଣ୍ଡିଠାରେ ପୂର୍ବତନ ବିଧାୟକ ଅନାମ ନାଏକଙ୍କ ମାଂସଭୋଜି ଆଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଫାର୍ମ ହାଉସରେ ଏହି ଭୋଜିଭାତ ହୋଇଛି। ତେବେ କିଛିବର୍ଷର ନିରବତା ପରେ ଅନାମଙ୍କ ସକ୍ରିୟତା ପ୍ରସଙ୍ଗ ଯେତିକି ବିସ୍ମୟ ସୃଷ୍ଟି କରୁନି, ଶୋକ ଭିତରେ ଥିବା ବେଳେ ବିଜେଡି ନେତାଙ୍କ ଭୋଜିର ଆୟୋଜନକୁ ନେଇ ରାଜନୈତିକ ନେତାମାନେ ଆଚମ୍ବିତ। ସମୁଦାୟ ଘଟଣାକୁ କର୍ମୀ ମହଲରେ ନାପସନ୍ଦ କରାଯାଇଛି।
ବ୍ରଜରାଜନଗର ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କର ଗୁରୁବାର ଦିନ ଦୁଃଖଦ ମୃତ୍ୟୁ ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଠିକ୍ ସେହି ସମୟରେ ଜିଲ୍ଲା ବିଜେଡିର ଭବାନୀପାଟଣା କାର୍ଯ୍ୟାଳୟରେ ବି ଶୋକସଭା ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହାପୂର୍ବରୁ ସହର ନିକଟ ସୁକୁନାଭଟ୍ଟାସ୍ଥିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଫାର୍ମ ହାଉସ୍ରେ ପୂର୍ବତନ ବିଧାୟକ ଅନାମ ନାଏକଙ୍କ ନେତୃତ୍ବରେ ଏକ ଭୋଜିଭାତର ଆୟୋଜନ କରାଯାଇଥିଲା। ତା’ସହିତ ଆଡ଼ମ୍ବରପୂର୍ଣ୍ଣ ମଉଜ ମଜ୍ଲିସ୍ ବି! ଏହାକୁ ନେଇ ବିଜେଡି କର୍ମୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ, ମନ୍ତ୍ରୀ ଶ୍ରୀ ମିଶ୍ର ଏହି ଭୋଜିସଭାରେ ଉପସ୍ଥିତ ନଥିଲେ। ଦଳର ବହୁ ବଛା ବଛା ନେତା ଭୋଜିଭାତରେ ସାମିଲ ହୋଇଥିଲେ।
/sambad/media/post_attachments/wp-content/uploads/2022/01/kkkk.jpg)
ଗତ ନିର୍ବାଚନରେ ଅନାମ ନାଏକ ଦଳୀୟ ଟିକେଟରୁ ବଂଚିତ ହୋଇଥିଲେ। ତାଙ୍କ ବଦଳରେ ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀରେ ଦୁଷ୍ମନ୍ତ ନାଏକ ବିଜେଡିରୁ ପ୍ରାର୍ଥୀଙ୍କୁ ଦଳ ପ୍ରାର୍ଥୀ କରିଥିଲା। ସେ ପରାଜିତ ହୋଇଥିଲେ। ଏହାପରେ ବିଜେଡିରେ ଅନାମ ଏକପ୍ରକାର କୋଣଠେସା ହୋଇଥିଲେ। ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ମଧ୍ୟ ହୋଇଥିଲା। ତେବେ, କିଛିଦିନ ତଳେ ଅନାମଙ୍କୁ ବିଜେଡି ମଞ୍ଚରେ ପୁଣି ଦେଖିବାକୁ ମିଳିଥିଲା। ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଜିଲ୍ଲା ବିଜେଡିର କ୍ଷତିଭରଣା ପାଇଁ ତାଙ୍କୁ ପୁନର୍ବାର
ଦଳୀୟ କାର୍ଯ୍ୟକ୍ରମରେ ଲୋଡ଼ା ପଡ଼ିଥିଲା। ଏହାପରଠୁ ସେ ଅତ୍ୟନ୍ତ ଉତ୍ସାହିତ ହୋଇପଡ଼ିଛନ୍ତି।
ସେପଟେ ବର୍ତ୍ତମାନ ଅନାମ ସାମ୍ନାକୁ ଆସିବା ପରେ ଦୁଷ୍ମନ୍ତଙ୍କ ଗୋଷ୍ଠୀ ଏବେ ଅଡ଼ୁଆରେ ପଡ଼ିଛନ୍ତି। ଏହି ଦୁଇ ଗୋଷ୍ଠୀର ବିବାଦରୁ ଆଉ କିଏ ଫାଇଦା ନେବ, ସେ ନେଇ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଦୁଇ ଜଣଙ୍କ ଏହିଭଳି ପ୍ରତିଦ୍ବନ୍ଦ୍ବିତା ଭିତରେ ଦଳୀୟ ହାଇକମାଣ୍ଡ ଜଣେ ପୂର୍ବତନ ପ୍ରଶାସକଙ୍କୁ ସୁଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ଏହି ପୂର୍ବତନ ପ୍ରାଶାସନିକ ଅଧିକାରୀ ବର୍ତ୍ତମାନ କଳାହାଣ୍ଡି ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍ ସଦସ୍ୟ ଭାବେ ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ହୋଇଛନ୍ତି। ବିଜେଡିର ଏହି ଦୁଇ ଗୋଷ୍ଠୀର କନ୍ଦଳ ଆଗକୁ କେଉଁ ରୂପ ନେଉଛି କର୍ମୀ ମହଲରେ ଉତ୍ସୁକତା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/bhawanipatna.jpg)